ଆଗାମୀ ସାଧାରଣ ର୍ନିବାଚନରେ ‘ବି.ଜେ.ପି ଚାହିଁଲେ ଓଡିଶା ଜନମୋର୍ଚ୍ଚାର ସହଯୋଗୀ ଦଳ ହୋଇପାରିବ’ ବୋଲି ଗଣମାଧ୍ୟମରେ ବକ୍ତବ୍ୟ ଦେଇ ଜନମୋର୍ଚ୍ଚା ମୁଖ୍ୟ ପ୍ୟାରୀମୋହନ ମହାପାତ୍ର ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ‘leftist Gandhian by temperament and conviction’ ର ପରିଚୟରେ ନିଜକୁ ଭୂଷିତ କରିଥିବା ପ୍ୟାରୀମୋହନ, ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ମୁଖ୍ୟ ପରାମର୍ଶଦାତା ଭାବେ ଦଶ ବର୍ଷର ବିଜେଡି-ବିଜେପି ମେଣ୍ଟକୁ ବିଖଣ୍ଡିତ କରିଥିବା ପ୍ୟାରୀମୋହନ, ବିଜେଡିର ସେକୁଲାର (Secular) ଭାବମୂର୍ତ୍ତି ତିଆରି କରି ମୂଖ୍ୟଧାରାର ବାମପନ୍ଥୀଙ୍କ ପାଇଁ ବିଜେଡିକୁ ଆକର୍ଷଣୀୟ କରିଥିବା ପ୍ୟାରୀମୋହନ, ବିଜେପିକୁ ଏକ ସହଯୋଗୀ ଦଳ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଗଲେଣି-ତାହା ନିଶ୍ଚିତ ଚକ୍ଷୁ ବିସ୍ଫାରିତକାରୀ । ଯେଉଁମାନେ ନିକଟ ଅତୀତରେ ପ୍ୟାରୀମୋହନଙ୍କର ବାମପନ୍ଥୀ ପୃଷ୍ଠଭୂମିକୁ ଟାଣି ଉଗ୍ର ବାମପନ୍ଥୀଙ୍କ ସହ ଯୋଡିବାର ପ୍ରୟାସ କରୁଥିଲେ, ସେମାନ ମଧ୍ୟ ପ୍ୟାରୀମୋହନଙ୍କର ଏତାଦୃଶ ଘୋଷଣା ଦ୍ୱାରା କମ ବିସ୍ମିତ ହେଉନଥିବେ । ନିଜର ବାମପନ୍ଥୀ ଆଦର୍ଶ ସହ ସାଲିସ କରିବା ପାଇଁ ପ୍ରସ୍ତୁତ ପ୍ୟାରୀମୋହନଙ୍କର ଏତାଦୃଶ ଆମନ୍ତ୍ରଣର ଇଂଗିତ ବିଜେପି ପାଇଁ କେତେଦୂର ଗ୍ରହଣୀୟ ହେବ ବୋଲି ଯେଉଁମାନେ ସନ୍ଦିହାନ ଥିଲେ, ସେମାନଙ୍କ ସନ୍ଦେହ ଦୂର କରିଦେଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଯେତେବେଳେ ସେ ସୂଚନା ଦେଲେ ଯେ ‘ ପ୍ୟାରୀବାବୁ ବିଜେପିର କେତେକ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କ ସହ ସମ୍ପର୍କରେ ଅଛନ୍ତି । ବିଜେପି ଚାହିଁବ ରାଜ୍ୟରେ ଅଣ-ବିଜେଡି, ଅଣ-କଂଗ୍ରେସ ସରକାର ଗଢିବା ।’ ଅର୍ଥାତ ପ୍ୟାôରୀବାବୁ ଓ ବିଜେପି ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି । କାରଣ ପ୍ୟାରୀ ମଧ୍ୟ ଚାହାନ୍ତି ରାଜ୍ୟରେ ଅଣ-ବିଜେଡି, ଅଣ-କଂଗ୍ରେସ ସରକାର, ସେଥିପାଇଁ ବିଜେଡି ଓ କଂଗ୍ରେସ କୁ ଛାଡି ସେ ସମସ୍ତଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ବୋଲି ବାରମ୍ବାର ଗଣମାଧ୍ୟମରେ ଘୋଷଣା କରି ଚାଲିଛନ୍ତି । ସହଯୋଗୀ ଦଳ ମାନଙ୍କୁ ନେଇ ଆଗାମୀ ନିର୍ବାଚନରେ ସେମାନେ ୮୦ ରୁ ୮୫ ଯାଏ ବିଧାନ ସଭା ଆସନ ଅକ୍ତିଆର କରିବେ ଓ ସରକାର ଗଠନ କରିବେ ବୋଲି ଦାବି କରି ଅନେକଙ୍କ ହୃଦୟରେ ଛନକା ପୂରାଇ ଦେଇଛନ୍ତି । ଯେଉଁମାନେ ୨୦୦୯ ନିର୍ବାଚନରେ ପ୍ୟାରୀମୋହନଙ୍କର ବିଜେଡି ବିଜୟର ପୂର୍ବାନୁମାନର ସଠିକତାକୁ ମନେ ରଖିଛନ୍ତି, ସେମାନେ କଦାପି ପ୍ୟାରୀଙ୍କର ଏତାଦୃଶ ଦାବିକୁ ହାଲୁକାରେ ନେବେ ନାହିଁ । ଆଉ ୍ୟଦି ତାଙ୍କର ରଣନୀତି ସହ ପରିଚିତ ବିଜେଡିର ନେତୃତ୍ୱ ଶଙ୍କିତ ହେଉଥାଏ ତାହାଲେ ଏଥିରେ ଅସ୍ୱାଭାବିକତା କିଛି ନାହିଁ ।
କିନ୍ତୁ ପ୍ରଶ୍ନ ହେଉଛି ଯେ ପ୍ୟାରୀ ବିଜେପି ମେଣ୍ଟ କଣ ସତରେ ସଂଘଟିତ ହେବ?ପ୍ୟାରୀ କଂଗ୍ରେସ ସହ ମେଣ୍ଟ ନ କରିବାର ସଂକଳ୍ପ କେତେ ଆନ୍ତରିକ?
ଏହାର ଉତ୍ତର ସଂଧାନରେ ଇତିହାସରେ ସାମାନ୍ୟ ପ୍ରବେଶ ପ୍ରାସଂଗିକ ହୋଇପାରେ । ମୂଳରୁ ପ୍ୟାରୀଙ୍କ ପ୍ରତି ବିଜେପିର ମନୋଭାବ ଯେ ଅନୁକୂଳ ନ ଥିଲା ତାହାର ଏକ ଆଭାସ ମିଳେ ବିଜେପିର ଆଧାର ଆରଏସଏସ ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପତ୍ର ଅର୍ଗାନାଇଜରରେ ୨୦୦୪ ମସିହାରେ (ଅଗଷ୍ଟ ପହିଲା, ପୃ-୧୪)ପ୍ରକାଶିତ ନିମ୍ନୋକ୍ତ ମନ୍ତବ୍ୟରୁ ଯାହାଥିଲା ଏହିପରି- “ଯଦିଓ ପ୍ୟାରୀମୋହନ ବିଜେଡିର କେବଳ ଜଣେ ପ୍ରାଥମିକ ସଭ୍ୟ, ନିଜର ଅମଲାତନ୍ତ୍ରିକ ବୁଦ୍ଧି ପ୍ରୟୋଗ କରି ସେ ଓଡିଶା କଂଗ୍ରେସର ମୁଖ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ ଓ କଂଗ୍ରେସ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ମେଣ୍ଟ ଗଠନର ସମ୍ଭାବନା ସଂପର୍କରେ ଗୋଟିଏ ଦଫା ଆଲୋଚନା ଆରମ୍ଭ କରିସାରିଲେଣି । ଏହା ହେଲେ ସେ ଉପା ସରକାରରେ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ ପାଇବେ । ସେ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ କୌଣସି ରାଜ୍ୟର ରାଜ୍ୟପାଳ ହୋଇଯାନ୍ତୁ, କାରଣ ରାଜ୍ୟ ଭିତରେ ତାଙ୍କର ଭବିଷ୍ୟତ ବିଶେଷ ଉଜ୍ୱଳ ନୁହେଁ । ଏହା ଅବଶ୍ୟ ଭିନ୍ନ କଥା ଯେ ଏହିଭଳି ଘଟଣା କ୍ରମ ସଂପର୍କରେ, ନବୀନ କେତେଦୂର ଅବଗତ ଅଛନ୍ତି ।”(Although Pyarimohan is only a primary member of the BJD, applying his bureaucratic mind he has already started one round of talks with Orissa Congress chief, Janaki Ballabh Pattnaik and with other senior leaders of the Congress to have an alliance with it. Thus he would be able to get a cabinet berth in the UPA government. He has also suggested Janaki Ballabh Pattnaik’s name to serve as a Governor in any state as he has no future in the state now. It is a different issue whether Naveen is aware of the development or not..) । ଏହିଭଳି ବିଜେପି ପୃଷ୍ଠପୋଷକ ଆରଏସଏସର ସନ୍ଦେହ ଦୃଷ୍ଟିରେ ଥିବା ପ୍ୟାରୀମୋହନ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ବିଚ୍ଛେଦର ମୁଖ୍ୟ ସୂତ୍ରଧର ହୋଇ (ଦ୍ରଷ୍ଟବ୍ୟ -http://articles.timesofindia.indiatimes.com/2009-03-11/india/2805702), ଆରଏସଏସର ସନ୍ଦେହକୁ ପ୍ରମାଣିତ କରିଦେଲେ । ଜାନକୀବାବୁ ଆସାମର ରାଜ୍ୟପାଳ ହୋଇଯିବା ତ ଆଉ ଏକ ପ୍ରମାଣ । ଏହି ପୃଷ୍ଠଭୂମିରେ, ବିଶେଷତଃ ଯେତେବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କ ପ୍ରତି ସେପରି କୌଣସି ପ୍ରତିକୂଳ ମନୋଭାବ ପୋଷଣ କରିଥିବା ଦୃଶ୍ୟ ହୋଇନାହିଁ ବା ହେଉନାହିଁ, ସେତେବେଳେ, ପ୍ୟାରୀଙ୍କ ସହ ବିଜେପି କେତେଦୂର ମେଣ୍ଟ କରିବ ତାହାନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । ହୋଇପାରେ ପ୍ୟାରୀଙ୍କ ସହ ମେଣ୍ଟର ଇଂଗିତ ଦେଇ ବିଜେଡି ପାଖରେ ନିଜର ମୁଲଚାଲ କ୍ଷମତାକୁ ବୃଦ୍ଧି କରିବାକୁ ଚାହୁଁଛି ବିଜେପି, ଆଉ ଯଦି ପରିସ୍ଥିତି ଅନୁକୂଳ ହୋଇଯାଏ ତାହାଲେ ବିଜେଡି-ବିଜେପି ମେଣ୍ଟ ସାମନା କରିବେ ୨୦୧୪ ସାଧାରଣ ନିର୍ବାଚନକୁ । ପ୍ୟାରୀବାବୁଙ୍କ ପରି ନିର୍ବାଚନ ରଣ କୌଶଳରେ ନିପୁଣ ବ୍ୟକ୍ତି ଯେ ଏ ସମ୍ଭାବନା ପ୍ରତି ସଚେତନ ନ ଥିବେ ଏପରି ନୁହେଁ । ବୋଧହୁଏ ବିଶେଷ ସଚେତନ ଅଛନ୍ତି, ତା ନହେଲେ ସେ ଦେଢମାସ ତଳେ (୨୧ ଜାନୁୟାରୀ ୨୦୧୩) ଏତେ ଦୃଢତାର ସହ କହି ନ ଥାନ୍ତେ ଯେ ଆଗାମୀ ନିର୍ବାଚନରେ ବିଜେଡି ବିଜେପି ସହ ମେଣ୍ଟ କରିବ । (ଦ୍ରଷ୍ଟବ୍ୟ-thttp://newindianexpress.com/states/odisha/article1429435.ece) । ଅବଶ୍ୟ ନବୀନଙ୍କର ଡୁନ ସ୍କୁଲ ବଂଧୁ ତଥା କଂଗ୍ରେସର ବରିଷ୍ଠ ନେତା କମଳ ନାଥ ଇତ୍ୟବସରରେ ବିଜେଡି ଓ କଂଗ୍ରେସ ମେଣ୍ଟର ସମ୍ଭାବନା ସଂପର୍କରେ ଇଂଗିତ ଦେଇ ବିଜେପି କୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଇଥିବା ଅସମ୍ଭବ ନୁହେଁ, ଯେଉଁଥି ପାଇଁ ହୁଏତ ପ୍ୟାରୀ ବିଜେପି ପ୍ରତି ଉନ୍ମୁକ୍ତ ବୋଲି ଘୋଷଣା କରିଛନ୍ତି ଓ ବିଜେପି ନେତୃତ୍ୱ ପ୍ରାଥମିକ ଆଲୋଚନା ଆରମ୍ଭ କରିଛି । ହୋଇପାରେ ଯେ କମଳ ନାଥଙ୍କର ଘୋଷଣା ପ୍ୟାରୀ ବାବୁଙ୍କୁ କେଗ୍ରେସ ପ୍ରତି ବିମୁଖ କରାଇଛି ।
କହିବା ବାହୁଲ୍ୟ ଯେ ପରିସ୍ଥିତି ସଂପୂର୍ଣ ତରଳ । କିଏ କେଉଁ ପଟକୁ ବୋହିବ ଓ ସର୍ବଶେଷରେ କେଉଁଠି ଲାଗିବ ତାହାର ସଠିକ ପୂର୍ବାନୁମାନ ଏବେ ଠାରୁ କରିବା ଦୁଃସାହସିକତା ହେବ । ତେବେ ନବୀନଙ୍କ ବିଜେଡି ଓ ପ୍ୟାରୀଙ୍କ ଜନମୋର୍ଚ୍ଚା ମଧ୍ୟରେ ମେଣ୍ଟ ହେବ ନାହିଁ, ଏହା ନିଶ୍ଚିତ, ଯେପରି କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ନ ହେବା ବା ଡିଏମକେ ଓ ଏଆଇଡିଏମକେ ମଧ୍ୟରେ ମେଣ୍ଟ ନ ହେବା ନିଶ୍ଚିତ । ତେବେ ଏହିଭଳି ପରିବର୍ତ୍ତନଶୀଳ ରାଜନ÷÷ତିକ ସମୀକରଣରେ କ୍ଷମତା ସ୍ୱାଦ ଚାଖିଥିବା ମୁଖ୍ୟଧାରାର ବାମପନ୍ଥୀ ଦଳ ଗୁଡିକ କେଉଁ କୂଳରେ ଲାଗିବେ ତାହା ଦେଖିବାକୁ ରହିଲା । ଅବଶ୍ୟ ସେମାନେ ତାଙ୍କର ଗତ ନିର୍ବାଚନବେଳର ହିତକାରୀ ପ୍ୟାରୀବାବୁଙ୍କ ଅପେକ୍ଷା ନବୀନବାବୁଙ୍କ ସାନ୍ନିଧ୍ୟରେ ବିଶେଷ ସୁରକ୍ଷିତ ମନେ କରୁଛନ୍ତି ବୋଲି ସେମାନଙ୍କର ଦୃଶ୍ୟମାନ ଆଚରଣରୁ ଜଣାପଡୁଛି । ଯଦି ସର୍ବଶେଷରେ ପ୍ୟାରୀ- ବିଜେପି ମେଣ୍ଟ ସମ୍ଭବ ହୁଏ ତାହାଲେ ବିଜେପିରେ ବିଜୟ ମହାପାତ୍ରଙ୍କର ସ୍ଥିତି କିପରି ପ୍ରଭାବିତ ହେବ ତାହା ତ ନିଶ୍ଚୟ କଳ୍ପନା-ଜଳ୍ପନା ର ବିଷୟ