ଖେଳାଳି ନିଲାମ ନା କ୍ରୀତଖେଳାଳି!

  • 27/03/2017

କ୍ରିକେଟ ଖେଳାଳିଙ୍କ ପାଇଁ ନିଲାମ ଡ଼ାକ ଗତ କେତେବର୍ଷ ହେଲା ଏକ ନିୟମିତ ଦୃଶ୍ୟ ହୋଇଗଲାଣି । କ୍ରୀତଦାସ ପ୍ରଥା ପ୍ରଚଳିତ ଥିବା ବେଳେ ମଣିଷଙ୍କର ନିଲାମ ଡ଼ାକ ହେଉଥିଲା ବୋଲି ଇତିହାସରୁ ଜଣାଯାଏ । ଜୀବଜନ୍ତୁଙ୍କୁ ବଜାର/ହାଟରେ ବିକ୍ରି କଲାପରି ଏହି ମଣିଷ ମାନଙ୍କୁ ଜବରଦସ୍ତ ଧରିଆଣି ଗରାଖଙ୍କ ନିକଟରେ ବିକ୍ରି କରାହେଉଥିଲା , ସେମାନଙ୍କର କୌøଣସି ଜୁ ନ ଥିଲା । କିନ୍ତୁ ଭଦ୍ରଲୋକଙ୍କ ଖେଳ କ୍ରିକେଟର ଖେଳାଳି ନିଜ଼କୁ ନିଲାମ ହାଥୁଡ଼ି ତଳେ ଥୋଇଦେବା ଏ ଲେଖକ ପାଇଁ ହୋଇଛି ଏକ ଅଭାବନୀୟ ଦୃଶ୍ୟ ।
ମନେପଡ଼ୁଛି ପିଲାବେଳ କଥା । ଗତ ଶତାଦ୍ଦୀର ମଧ୍ୟ ଷାଠିଏ ଦଶକର କଥା । ଜାମସେଦପୁରରେ ହାଇସ୍କୁଲ ଛାତ୍ର ମୁଁ । ଆଜିକାର କିନାନ ସ୍ଟାଡ଼ିୟମ ସେତେବେଳେ ଗଢିଉଠୁଥାଏ । ଭିତରକୁ ଯିବା ପାଇଁ ବିଶେଷ କୌଣସି କଟକଣା ନ ଥାଏ । ଆମେ ପିଲାମାନେ ସେଠାକୁ ପଳାଉ କ୍ରିକେଟ ଖେଳ ଦେଖିବାକୁ । ସଂପୂର୍ଣ ଧଳା  ପୋଷାକରେ ଖେଳାଳୀମାନେ କେତେ ମର୍ଯ୍ୟଦାବନ୍ତ ଦେଖାଯାଉ ନ ଥିଲେ ସତେ । ଓଡ଼ିଶା ବନାମ ବିହାର ରଂଜି ଖେଳ ଆମ ପାଇଁ ହେଉଥିଲା ଅତ୍ୟନ୍ତ ପ୍ରତୀକ୍ଷିତ ।
ସୁଧୀର ଦାସଙ୍କ ଅଧିନାୟକତ୍ୱରେ ବିହାର ଦଳ ବିରୁଦ୍ଧରେ ଲଳିତେନ୍ଦୁ ପରିଜାଙ୍କ ଅଧିନାୟକତ୍ୱରେ ଓଡ଼ିଶା ଦଳ ଖେଳିବାର ଦୃଶ୍ୟ ଏବେ ମଧ୍ୟ ଆଖି ସାମନାରେ ନାଚି ଉଠେ । ବିହାର ପଟୁ Wicket Keeper ଦଲଜିତ ସିଂହ ଓ ସନ୍ୟାଲ ମହାଶୟଙ୍କର ଖେଳ, ଓଡ଼ିଶା ପଟୁ  ଅଭିଜ୍ଞ ସ୍ୱାମୀ ସାର୍, ଯୁବ ଖେଳାଳୀ ଅଶୋକ ଜେନା ଓ ମଦନ ମହାନ୍ତିଙ୍କର ଖେଳ ଆମକୁ ବେଶ ଆମୋଦିତ କରୁଥିଲା । ବିହାର ବନାମ ବଂଗଳା ଖେଳରେ ଆମେ ଦେଖୁଥୁଲୁ ପ୍ରବାଦ ପୁରୁଷ ବଂଗଳାର ଅଧିନାୟକ ପଙ୍କଜ ରାୟଙ୍କ ବ୍ୟାଟିଂ । ଖୁବ ସହଜ ବାତାବାରଣ ଭିତରେ ଖେଳ ହେଉଥିଲା । ଖେଳରେ ଆଭିଜାତ୍ୟ ଥିଲା, ଗାମ୍ଭୀର୍ଯ୍ୟ ଥିଲା । ସେତେବେଳେ ଟିଭି ନ ଥିଲା । ରେଡ଼ିଓରୁ ଶୁଣୁଥୁଲୁ କ୍ରିକେଟ ଖେଳର ଧାରା ବିବରଣୀ । ମାଇକ ସ୍ମିଥଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ବିରୋଧରେ ପଟୌøଡ଼ିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କଲିକତାର ଇଡେନ ଗାର୍ଡ଼ନ ଠାରେ ଼ଖେଳୁଥାଏ । ଇଂଲଣ୍ଡ ତରଫରୁ ଛ’ଫୁଟ ସାତ ଇଂଚ ଉଚ୍ଚତା ବିଶିଷ୍ଟ ଖେଳାଳୀ ଲାର୍ଟରଙ୍କର ବୋଲିଂ, ମାଇକେଲ କଲିନ କାଉଡ଼୍ରେଙ୍କ ବ୍ୟାଟିଂ , ଭାରତ ତରଫରୁ ବାପୁ ନାଦକର୍ଣୀ, ରମାକାନ୍ତ ଦେଶାଇ, ରୁଷି ସୁର୍ତ୍ତୀ, ଚନ୍ଦ୍ରଶେଖରଙ୍କ ବୋଲିଂ ଓ ଜୟସିମା, ବିଜୟ ମଂଜରେକର, ଦିଲ୍ଲୀପ ସରଦେଶାଇ, ଚାଂଦୁ ବୋର୍ଡ଼େ, ସଲିମ ଦୁରାନୀ ଓ ପଟୌøଦିଙ୍କ ବ୍ୟାଟିଂ କୌøଶଳର   ଏତେ ଚମକ୍ରାର ଓ ପୁଂଖାନୁପୁଂଖ ପରିବେଷଣ ବଂଗଳା ଭାଷା ରେ କମଳ ଭଟ୍ଟାଚାର୍ଯ୍ୟ, ପୁଷ୍ପେନସରକାର ଓ ଅଜୟ ବସୁ କରୁଥିଲେ ଯେ ଶ୍ରୋତା ପାଇଁ ସତେ ଯପେରି କିଛି ବାଳି ରହି ଯାଉନଥିଲା,  ସ୍ୱଚକ୍ଷୁରେ ଖେଳ ଦେଖିପାରୁ ନ ଥିବା ଶ୍ରୋତାର ଅବଶୋଷ ମେଣ୍ଟି ଯାଉଥିଲା । ପାଂଚ ଦିନ ଖେଳୁଥିଲେ ଏହି ଖେଳାଳି ମାନେ । ଏହାହିଁ ଥିଲା ଖେଳର ଏକମାତ୍ର ଢ଼ାଂଚା-ଟେଷ୍ଟ ଖେଳ । ରୁଷି ସୁର୍ତ୍ତୀ ପାଉଥିଲେ ପ୍ରତି ଟେଷ୍ଟ ପିଛା ୩୫୦ଟଙ୍କା । ଲୋକାଲ ଟ୍ରେନରେ ଯାତାୟତ କରୁଥିଲେ । (ଏବେକାର ଖେଳାଳି ପାଇଁ ତ ଏହା ଦୁଃସ୍ୱପ୍ନ । ସଚ୍ଚିନ ତେନ୍ଦୁଲକର ଙ୍କର Ferrari 360 Modena ଗାଡି ତ ବେଶ ଚର୍ଚ୍ଚିତ ।) ଅଧିକାଂଶ ଖେଳାଳି ଟାଟାର ସିମେଣ୍ଟ କଂପାନୀ ଏ.ସି.ସି ରେ ଚାକିରି କରୁଥିଲେ । (ଏହି ପରଂପରାର ସତେ ଯେପରି ଫେରିଛି- ଅଧିନାୟକ ଧୋନି ଏଇ ନିକଟ ଅତୀତରେ ବି.ସି.ସି.ଆଇ ର ଅଧ୍ୟକ୍ଷ ଶ୍ରିନିବାସନ୍ ଙ୍କର   India Cements ରେ ଉପାଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ) ମହାରାଷ୍ଟ୍ର ସରକାର ଖେଳାଳିଙ୍କୁ ଅବଶ୍ୟ ଯୋଗାଇଥିଲା ମାଗଣାରେ ଫ୍ଲାଟ ଗୋଟିଏ ଜାଗାରେ,ନାଁ ଥିଲା sportsfield ।   ସେତେବେଳେ ଶସ୍ତା ସମୟ ଥିଲା- କନଭେଣ୍ଟ ସ୍କୁଲରେ ଦରମା ଥିଲା ମାସକୁ ୫ଟଂକା,   ବର୍ଗଫୁଟ ୧୦ ଟଙ୍କା ରୁ ୩୦ ଟଙ୍କା ହାରରେ ଫ୍ଲାଟ ମିଳୁଥିଲା । ରୁଷି ସୁର୍ତ୍ତୀଙ୍କ ଭାଷାରେ , “ଖେଳ କୁ ଭଲ ପାଉଥୁଲୁ ବୋଲି ଖେଳୁଥୁଲୁ ଓ ଦେଶ ପାଇଁ ଖେଳୁଥୁଲୁ ।”
ଏହି ସଂପ୍ରଦାୟର ଉତ୍ତର ପୁରୁଷ ଯେ ନିଜକୁ ନିଲାମ ହାତୁଡ଼ି ତଳେ ସମର୍ପିତ କରିଦେବ ଏହା ଖେଳକୁ ନିଛକ ଭଲପାଉଥିବା ବ୍ୟକ୍ତିଙ୍କ ପାଇଁ ନିହାତି ଅପ୍ରତ୍ୟାଶିତ ।
ଏହି ପୃଷ୍ଠଭୂମିରେ ଦେଖିଲେ, କ୍ରିକେଟ ଖେଳର ଚରିତ୍ର କେତେ ବଦଳି ଯାଇଛି ସତେ!ଆଜି ପାଂଚ ଦିନିଆ ଟେଷ୍ଟ ଖେଳ ନାମମାତ୍ର ହୋଇଯାଇଛି । ଦିନକିଆ ଖେଳ (ସର୍ବାଧିକ ୫୦ ଓଭର ପ୍ରତି ଦଳକୁ), ୨୦ ଓଭର ଖେଳ ଆଜି ଅଧିକ ଗୁରୁତ୍ତ୍ୱ ପାଇଛି । ଖେଳ ସହିତ ଏବେ ଯୋଡ଼ି ଦିଆଯାଇଛି ସ୍ୱଳ୍ପ ବସ୍ତ୍ର ପରିହିତ, ଉତ୍ସାହ ଦାୟିନୀ ତରୁଣୀଙ୍କର (Cheer Girls)ନୃତ୍ୟ ।

ଆଜିର ଖେଳାଳି ବିଭିନ୍ନ ବିଜ୍ଞାପନ ଖଚିତ ରଂଗୀନ ପୋଷାକରେ ଦୃଶ୍ୟମାନ ହେଉଛି ପଡ଼ିଆରେ , ସତେ ଯେପରି ଼ବିଜ୍ଞାପନର ଚଳନ୍ତି ହୋର୍ଡ଼ିଂ । କାହିଁକି ବା ନ ହେବେ? ଖେଳରୁ ଯେତିକି ପାଆନ୍ତି ତାହାର କାହିଁ କେତେ ଗୁଣ ଅଧିକା ଯେ ବିଜ୍ଞାପନରୁ ପାଆନ୍ତି । ଯେପରି ଧୋନି ଖେଳରୁ ୩୫ ଲକ୍ଷ ଡ଼ଲାର ପାଇଥିବା ବେଳେ ବିଜ୍ଞାପନରୁ ପାଆନ୍ତି  ୨କୋଟି ୩୦ ଲକ୍ଷ ଡ଼ଲାର; ସଚ୍ଚିନ ତେନ୍ଦୁଲକର ଖେଳରୁ ୨୧ ଲକ୍ଷ ଡ଼ଲାର ପାଇଥିବା ବେଳେ ବିଜ୍ଞାପନରୁ ପାଆନ୍ତି ୧ କୋଟି ୬୫ ଲକ୍ଷ ଡ଼ଲାର (ଫୋର୍ବସ୍ ପତ୍ରିକା ରେ ପ୍ରକାଶିତ ତଥ୍ୟ)ା  ବିଜ୍ଞାପନଦାତାଙ୍କୁ ଗରାଖ ବିକ୍ରି କରିବା ହିଁ ଆଜିର ଖେଳ ଓ ଖେଳାଳିଙ୍କର ମୁଖ୍ୟ ପେଶା । ତା ନ ହେଲେ ସଚ୍ଚିନ ଆୟକର ବିଭାଗ ସାମନା ରେ ନିଜକୁ କ୍ରିକେଟ ଖେଳାଳି ଭାବେ ଘୋଷଣା ନ କରି କଳାକାର (ବିଜ୍ଞାପନଦାତାଙ୍କ ପାଇଁ ଅଭିନେତା )ଭାବେ ଘୋଷଣା କରନ୍ତେ କାହିଁକି? ଆଜି ଖେଳାଳିର ପାରିଶ୍ରମିକ କିଛି କମ ନୁହେଁ ।   ଆଜି ଟେଷ୍ଟ ଖେଳାଳିର ପାରିଶ୍ରମିକ ଷାଠିଏ ଦଶକର ଟେଷ୍ଟ ଖେଳାଳିର  ପାରିଶ୍ରମିକର ପ୍ରାୟ ୨୦୦୦ଗୁଣ ହୋଇଯାଇଛି! ପାଂଚ ଦିନର ଟେଷ୍ଟ ଖେଳି ସାତ ଲକ୍ଷ ଟଙ୍କା ପାଉଥିବା ଖେଳାଳି, ଦିନକିଆ ଖେଳି ପାଉଛି ଚାରି ଲକ୍ଷ ଟଙ୍କା ଓ ୨୦ ଓଭର ଖେଳିଲେ ପାଉଛି ଦୁଇ ଲକ୍ଷ ଟଙ୍କା ।   ତଥାପି ନିଲାମ ହେବା ପାଇଁ ବ୍ୟାକୁଳତା ତାଙ୍କୁ ଗ୍ରାସିଛି । ଏ ନିଲାମ ଡ଼ାକ ଭାରତୀୟ ଟଙ୍କାରେ ନୁହଁ ଆମେରିକୀୟ ଡ଼ଲାରରେ ହେଉଛି । ଭାରତରେ ଖେଳ ଅଥଚ ଡ଼ାକ ଡ଼ଲାରରେ, କାହିଁକି? ପ୍ରଶ୍ନ କରନ୍ତି ପୂର୍ବତନ ଖେଳାଳି ସଂଜୟ ମଂଜରେକର । ଏତେ ପଇସା, ଅଥଚ ଖେଳର ଗୁଣାତ୍ମକ ମାନରେ ସେହି ଅନୁପାତରେ ବୃଦ୍ଧି ହୋଇଛି କି? ବରଂ ଜାଣିବା ଶୁଣିବା ଲୋକଙ୍କ ଭିତରେ କ୍ଷୋଭ ଯେ ପଇସା ଖେଳକୁ ନଷ୍ଟ କରିଦେଉଛି । କହିବା ବାହୁଲ୍ୟ ଯେ ବିଶ୍ୱ ଅର୍ଥନୀତି ର ବଜାରିକରଣ ପର୍ଯାୟ ରେ କ୍ରିକେଟ ଭଳି ଏକ  ଭଦ୍ରଲୋକଙ୍କ ଖେଳ ବଜାରୀ ହୋଇଯାଇଛି, ଖେଳାଳି ପଣ୍ୟ ହୋଇଯାଇଛି – ନିଲାମ ସ୍ଥିର କରୁଛି ତାର ଦାମ ।

ବଜାର ସଂସ୍କୃତି ବୋଧେ ଚରମରେ ପହଂଚିଛି, ନିଲାମ କେବଳ ଆଉ ଖେଲାଳିଙ୍କ ଭିତରେ ସୀମିତ ହୋଇ ନାହିଁ, କୁମାରୀତ୍ୱର ନିଲାମ ଡ଼ାକ ମଧ୍ୟ ଗଣମାଧ୍ୟମର ସଂବାଦ ହେଲାଣି -ବ୍ରାଜିଲ ର ୨୦ ବର୍ଷୀୟା କୁମାରୀ Caterina Migliorini ଏହି ଡାକ ଦେଇ ସମସ୍ତଙ୍କୁ ଚକିତ କରିଦେଲେଣି ।

Print Friendly, PDF & Email