ପାକ୍ଷିକ ଜନତନ୍ତ୍ର ପୃଷ୍ଠାରେ (୧୬-୩୦ ଏପ୍ରିଲ ୨୦୧୩) ଏହି ଶିରୋନାମାରେ ପ୍ରକାଶିତ ସଂପାଦକୀୟ ଓ ଏହି ଆହ୍ୱାନର ସ୍ରଷ୍ଟା ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ପୂର୍ବତନ ବରିଷ୍ଠ ସଦସ୍ୟ ତଥା ଶ୍ରମିକ ନେତା ଶ୍ରୀମାନ୍ ମାୟାଧର ନାୟକଙ୍କର ସଂଳାପଧର୍ମୀ ସୁଖପାଠ୍ୟ ନିବନ୍ଧ ପଢିବା ସମୟରେ ମନେପଡୁଥିଲା ବିତ୍ତଶାସ୍ତ୍ରରେ ଅଧ୍ୟାପନା କରୁଥିବା ମୋ ପୁଅର ଘର ଭଡାଦେବା ସପକ୍ଷରେ ଯୁକ୍ତି-ଯେ କିପରି ଏହା ଏକ ରୋଜଗାରର ଏକ ଚିରସ୍ଥାୟୀ ମଡେଲ । ଏହା ସହିତ ମଧ୍ୟ ମନେ ପଡୁଥିଲା ଯେ ଯଦି ବଂଧୁ ନିଖିଳ ପଟ୍ଟନାୟକ(ସୃଜନିକା) ସହୃଦୟତାର ବଶବର୍ତ୍ତୀ ହୋଇ ତାଙ୍କ ଜମିରୁ ଖଣ୍ଡେ, ମୁଁ ଅବସର ନେବାର ଅବ୍ୟବହିତ ପୂର୍ବରୁ. ମତେ ବିକି ନ ଥାନ୍ତେ ତାହାହେଲେ ଏହି ଲେଖକ ତାର ସମସ୍ତ ଜୀବନ ଭଡା ଘରେ ହିଁ ଅତିବାହିତ କରିବାକୁ ବାଧ୍ୟ ହୋଇଥାନ୍ତା । ନିଖିଳ ବାବୁ ଜମି ବିକି ମୋତେ ଯେ ଭଡାଦେବାର ଦାୟରୁ ମୁକ୍ତ କରିଦେଲେ-ଏହା କହିବା ବାହୁଲ୍ୟ ମାତ୍ର । ଜମି ବିକା ଓ ଭଡା ଦେବା ସଂପର୍କରେ ଏହିଭଳି ବ୍ୟକ୍ତିଗତ ଅଭିଜ୍ଞତାରୁ କିଛି ହାଲୁକା ମନ୍ତବ୍ୟ କରିବା ପରେ ଏହି ଧାରଣାକୁ ଯେତେବେଳେ ମୁଁ ଗଂଭୀରତାର ସହ ବିଚାର କରିବାକୁ ବସୁଛି ସେତେବେଳେ ଏହି ଧାରଣାର ପ୍ରସଂଗିକତା, ଏହାର ମୋ÷÷ଳିକତା, ଏହାର ବ୍ୟାବହାରିକତା ଇତ୍ୟାଦି ସଂପର୍କରେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି ।
ଜମିକୁ ନେଇ ସରକାର, ଜମି ମାଲିକ(ଚାଷୀ) ଓ ଶିଳ୍ପପତି ମାନଙ୍କ ମଧ୍ୟରେ ଯେତେବେଳେ ପ୍ରବଳ ଟଣା ଓଟରା, ଯାହା ଅନେକ ସମୟରେ ସୃଷ୍ଟି କରୁଛି ଆଇନ ଶୃଂଖଳା ପରିସ୍ଥିତି, ସେତେବେଳେ ବିଭିନ୍ନ ପ୍ରକାର ବିକଳ୍ପ ପ୍ରସ୍ତାବ ଆଗତ ହେବା ସ୍ୱଭାବିକ । ଏକ ଚରମ ପ୍ରସ୍ତାବ ହେଉଛି ଚାଷ ଜମି ଉପରେ ଶିଳ୍ପିକରଣ ଉପରେ ପ୍ରତିବଂଧକ- । ‘ଜମି ବିକନା, ଭଡା ଦିଅ’ ଅବଶ୍ୟ ଏହିଭଳି ପ୍ରସ୍ତାବ ନୁହେଁ । ଏହା ଭିତରେ ଶିଳ୍ପିକରଣ ପ୍ରତି ଅସମର୍ଥନ ନାହିଁ, କେବଳ ଶିଳ୍ପତଳ ମାଟି ଶିଳ୍ପପତିର ମାଲିକାନାକୁ ନ ଯାଇ ମୂଳ ମାଲିକ ନାଁରେ ରହିବାର ସଂଭାବନା ଉପରେ ହିଁ ଗୁରୁତ୍ୱ ଦିଆଯାଇଛି । ଏ ଯାବତ୍ ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରୁଛି ସରକାର ଓ ଏହାପରେ ହସ୍ତାନ୍ତର କରୁଛି ଶିଳ୍ପ ପ୍ରତିଷ୍ଠାନକୁ । ଆଇନ ବଳରେ ହିଁ ଜମି ଅଧିଗ୍ରହଣ ହେଉଛି, ଜମି ମାଲିକର କୈ÷ାଣସି ସ୍ୱାଧୀନତା ନାହିଁ ତାର ଜମି ହସ୍ତାନ୍ତର ସଂପର୍କରେ ନଷ୍ପତ୍ତି ନେବାର । ଏହି ପ୍ରଚଳିତ ପୃଷ୍ଠଭୂମିରେ ‘ଜମି ବିକନା, ଭଡା ଦିଅ’ ସେତିକିବେଳେ ଫଳପ୍ରଦ ହେବ ଯେତେବେଳେ ଜମି ମାଲିକକୁ ତାର ଜମି ହସ୍ତାନ୍ତର ସଂପର୍କରେ ନଷ୍ପତ୍ତି ନେବାର ଅଧିକାର ମିଳିବ । ତେଣୁ ‘ଜମି ବିକନା, ଭଡା ଦିଅ’ ଆହ୍ୱାନ ପୂର୍ବରୁ ଜମି ମାଲିକକୁ ତାର ଜମି ହସ୍ତାନ୍ତର ସଂପର୍କରେ ନଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ଦାବି ଉଠିବା ଉଚିତ । ନୂତନ ଜମି ଅଧିଗ୍ରହଣ ନୀତିରେ ଶୁଣାଯାଏ ଯେ ଶିଳ୍ପ ପ୍ରତିଷ୍ଠାନ ପାଇଁ ସରକାର ଜମି ଅଧିଗ୍ରହଣ କରିବାର ଦାୟୀତ୍ୱରୁ ଆଂଶିକ ଅବ୍ୟାହତି ନେଉଛନ୍ତି; ନୂତନ ଆଇନ ଅନୁସାରେ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ତାଙ୍କ ଆବଶ୍ୟକତାର ଏକ ସିଂହ ଭାଗ ଜମି ନିଜେ ବଜାର ଦରରେ କିଣିବେ । ଏହି ଆଇନ କାର୍ଯ୍ୟକାରୀ ହେଲେ ଜମି ମାଲିକ ମାନେ ହୁଏତ ମୁଲ ଚାଲ କରିବାର ସୁଯୋଗ ପାଇବେ, ବିକିବେ କି ଭଡାଦେବେ, କି ଆଦୈ ବିକିବେ ନାହିଁ । ଏହି ଆଇନର ଅବର୍ତ୍ତମାନରେ ‘ଜମି ବିକନା, ଭଡା ଦିଅ’ ଆହ୍ୱାନ କେତେ ଦୂର ପ୍ରଭାବୀ ହେବ ?
ଧରାଯାଉ ଏହି ଆହ୍ୱାନ କାର୍ଯ୍ୟକାରୀ ହେଲା- ଜମି ବିକା ନ ଯାଇ ଭଡା ଦିଆଗଲ।। ଏହାଦ୍ୱାରା ବିସ୍ଥାପନକୁ ଅଟକାଇ ଦିଆ୍ୟାଇ ପାରିବ କି? ଅବା ବିସ୍ଥାପନ ଜନିତ ସମସ୍ୟାର ଗମ୍ଭୀରତାକୁ ହ୍ରାସ କରାଯାଇ ପାରିବ କି? ଜମି ମାଲିକ ଯେତେବେଳେ ଚାହିଁବେ ତାଙ୍କ ଜମିକୁ ଫେରାଇ ଆଣି ପାରିବେ କି? ଜମି ମାଲିକ ମାନେ ଉଚିତ ଦରରେ ଭଡା ପାଇବେ କି? ଯଦି ଭଡା ନ ପାନ୍ତି, ତାହାଲେ ତାର ପ୍ରତିକାର କ’ଣ ? ଏହି ସବୁ ପ୍ରଶ୍ନ ମନରେ ଉଠିବାର ହେତୁ ହେଉଛି ଭଡା ଦିଆ ନିଆ ସଂପର୍କରେ
ଆମର ଥିବା ସାଧାରଣ ଧାରଣା ଓ ଅଭିଜ୍ଞତା । କାରଣ ଯେଉଁ ମାନେ ଘର ଭଡା ଦେଇଥାନ୍ତି ସେମାନେ ଭଡାତିଆକୁ ବଦଳାଇ ପାରନ୍ତି, କାହାରିକୁ ଭଡା ନ ଦେବାର ସ୍ୱାଧୀନତା ସେମାନଙ୍କର ଥାଏ, ଚାହିଦା ଅନୁସାରେ ଭଡା ବୃଦ୍ଧି କରିବାର ଅଧିକାର ମଧ୍ୟ ସେମାନଙ୍କର ଥାଏ । ଏହା ସତ୍ତେ୍ୱ ଭଡାଟିଆ ମାନେ ଅନେକ କ୍ଷେତ୍ରରେ ଘର ନ ଛାଡିବା, ଘର ମାଲିକମାନେ ଅନ୍ୟନ୍ୟୋପାୟ ହୋଇ ଅଦାଲତର ବା ସ୍ଥାନୀୟ ଗୁଣ୍ଡାଙ୍କର ଶରଣାଗତ ହେବା-ଏକ ସାଧାରଣ ଦୃଶ୍ୟ ହୋଇଛି । ସେହିପରି ଘର ମାଲିକ ଯଦି ରାଜନେତା, ଅଫିସର ବା ଶ୍ରମିକନେତା ଘରଭଡା ର ପରିମାଣ ଖୁବ ସମ୍ମାନଜନକ ହେଉଥିବା ବେଳେ ଭଡା ଆଦାୟ ଯେତେ ସହଜ ହେଉଛି, ଘର ମାଲିକ ସାଧାରଣ ଲୋକ ହୋଇଥିଲେ କଥା ଭିନ୍ନ ହେଉଛିା ଅଭିଜ୍ଞତାର ଏହି ପୃଷ୍ଠଭୂମିରେ, ସାଧାରଣ ଚାଷୀ ଟିଏ ବଡ ଶିଳ୍ପପତିକୁ ଜମି ଭଡା ଦେଇ କେତେ ନିଶ୍ଚିନ୍ତ ରହିପିାରିବ? କେଉଁ ପରିମାଣର ଭଡା ପାଇବ? ଜମି ପାଇଁ ସରକାର ନେଉଥିବା ଖଜଣାର ଭଡା କେତେ ଗୁଣ ହେବ? କିଏ ସ୍ଥିର କରିବ ସଠିକ ଭଡା କେତେ ହେବ? ସଂଭାବ୍ୟ ଦ୍ୱନ୍ଦର ସମାଧାନ କିଏ କରିବ? ଶିଳ୍ପ ପାଇଁ ଜମି ଭଡା ଦେଇ ସାରିଲା ପରେ, ଏହି ଜମିକୁ ଜମି ମାଲିକ କ’ଣ ଫେରାଇ ନେଇ ପାରିବ? ନା, ଶିଳ୍ପର ପରମାୟୁ ସରିଲେ ଯାଇ ଜମି ମାଲିକ ଜମି ଫେରିପାଇବ? ଯେତେବେଳେ ଫେରିପାଇବ, ସେତେବେଳେ ଏହି ଜମିରେ କ’ଣ କୃଷି ଉତ୍ପାଦିକା ଶକ୍ତି ଅକ୍ଷୁର୍ଣ ଥିବ ? ସଘନ ଚିଂଗୁଡି ଚାଷ ପାଇଁ ଯେଉଁମାନେ ସେମାନଙ୍କର ଜମି ଚିଂଗୁଡି ଚାଷୀ ମାନଙ୍କୁ ଭଡାରେ ଦେଇଥିଲେ, ସେମାନେ ଚାଷ ସରିଗଲା ପରେ ଏକ ପରିତ୍ୟକ୍ତ, ବିଷାକ୍ତ ଓ ଗର୍ତ୍ତମୟ ଭୂମି ହିଁ ଫେରି ପାଇଥିଲେ । ଯାହା ଏ ଲେଖକର ସାଧାରଣ ବୁଦ୍ଧି କହୁଛି-ତାହା ହେଉଛି ଶିଳ୍ପପାଇଁ ଜମି ଭଡାଲାଗିବା ଅର୍ଥ ଏହା ଉପରୁ ସବୁଦିନ ପାଇଁ କତ୍ତୃତ୍ୱ ହରାଇବା ସତ୍ତେ୍ୱ କିଛି ଅର୍ଥ ଭଡା ଆକାରରେ ପାଇବା ପୁରୁଷାନୁକ୍ରମେ । ବିକ୍ରି କରିଥିଲେ ଏକ ସମୟରେ ମିଳିବା ଅର୍ଥ ଠାରୁ ସମୁଦାୟ ଭଡାର ପରିମାଣ କେତେ ଅଧିକା ହେବ ତାହା ଅବଶ୍ୟ ନିର୍ଭର କରୁଛି ବିକ୍ରି ଦର ଓ ଭଡା ଦର ଉପରେ ।
ତେବେ ‘ଜମି ବିକନା, ଭଡା ଦିଅ’ ଆହ୍ୱାନ ପ୍ରତିଧ୍ୱନିତ କରେ ଓଡିଶାରେ ବହୁ ଦିନରୁ ଚାଲି ଆସୁଥିବା ବଖରା ବା ଭାଗ ଚାଷ । ବଖରା ଚାଷରେ ଜମିର ମୋ÷÷ଳିକ ଚରିତ୍ରକୁ ଜଳାଂଜଳି ଦିଆଯାଏ ନାହିଁ । ଜମି ଯେ ପ୍ରଧାନତଃ ଚାଷ ପାଇଁ -ଏହା ଅବ୍ୟାହତ ରହେ । ଏହି ପ୍ରଚଳନରେ ଉଦବାସ୍ତୁ ହେବାର ଆଶଂକା ନ ଥାଏ । ଜମିହୀନ ଚାଷୀ ଓ ଛୋଟ ଚାଷୀ ମାନେ ହିଁ ସାଧାରଣତଃ ଭାଗ ଚାଷ କରିଥାନ୍ତି ଓ ଏକ ନିର୍ଦ୍ଧାରିତ ଅଂଶ ଜମି ମାଲିକକୁ ଦେଇଥାନ୍ତି । ଭାଗଚାଷୀ ଓ ଜମି ମାଲିକ ମଧ୍ୟରେ ଅମଳର ଭାଗ ବାଣ୍ଟର ଅନୁପାତ ନେଇ ବହୁ ବିତର୍କ ଆମ ବିଧାନ ସଭାରେ ହୋଇଛି । ଏବେ କଂପାନୀ ମାନେ ବାହାରିଲେଣି ବଡ ଆକାରର ଚାଷ ଜମି ଭଡାରେ ନେଇ କୃଷି କରିବେ-ଯାହା କଂପାନୀ ଚାଷ ନାମରେ କୁଖ୍ୟାତି ଅର୍ଜ୍ଜିଲାଣି । କଂପାନୀ ଚାଷ ହେଲେ ଛୋଟ ଛୋଟ ଭାଗ ଚାଷୀ ଉଦବାସ୍ତୁ ହେବେ । କାରଣ ଜମି ମାଲିକ ମାନେ ବେଶୀ ଭଡା ବା ଭାଗ ଲୋଭରେ କଂପାନୀ ମାନଙ୍କୁ ହିଁ ସେମାନଙ୍କର ଜମି ଦେବେ ।
ତେଣୁ ‘ଜମି ବିକନା ଭଡା ଦିଅ’ଆହ୍ୱାନ ଜମିହୀନଙ୍କ ଉଦ୍ଦେଶ୍ୟରେ ନିଶ୍ଚିତ ନୁବୋଁ
କିନ୍ତୁ ଭଡାଦେବା ଯେ ନିଶ୍ଚିତ ଜମି ମାଲିକର ସ୍ୱାର୍ଥରେ-ଏପରି ମଧ୍ୟ ନୁହେଁ । ଅବଶ୍ୟ ଏକ ସନ୍ତୋଷ ଦ୍ୱାରା ଆବିଷ୍ଟ ହୋଇ ପାରେ ଜମି ମାଲିକ ଯେ ଖାତା ପତ୍ରରେ ଜମିର ମାଲିକ ସେ – ବନସ୍ତରେ ବୁଲୁଥିବା ହାତୀ ରାଜାକୁ ସନ୍ତୋଷ ଦେବା ଭଳି । କହିବା ବାହୁଲ୍ୟ, ଶିଳ୍ପ ପ୍ରତିଷ୍ଠାନ କୁ ଜମି ବିକିବା ଓ ଜମି ଭଡାଦେବାର ପରିଣାମ ଏକ, କେବଳ ତଫାତ୍ ହେଉଛି ଜମି ମାଲିକାନାର ଭ୍ରମରେ । ବିକି ଦେଲା ପରେ ଏ ଭ୍ରମ ମନକୁ ଗ୍ରାସେ ନା । ଭଡା ଦେଲେ ଏ ଭ୍ରମ ଏକ ମିଥ୍ୟା ସନ୍ତୋଷ ଦେଉଥାଏ ।