ନାରୀ ନିର୍ଯ୍ୟାତନା

  • 27/03/2017

ସେତେବେଳେ ଧର୍ଷଣ ଏକ ଏତେ ବ୍ୟବହୃତ ଶବ୍ଦ ନ ଥିଲା । ଅବଶ୍ୟ ସେତେବେଳେ ମଧ୍ୟ ନ ଥିଲା ଏତେ ପ୍ରସାରିତ ଓ ବ୍ୟାପକ ଗଣମାଧ୍ୟମ । ଟେଲିଭିଜନ ତ ଆଦୈା ନଥିଲା । ଖବର କାଗଜ ମଧ୍ୟ ଥିଲା ହାତ ଗଣତି । ଶିହରଣ ସୃଷ୍ଟିକାରୀ ସମ୍ବାଦ ପ୍ରକାଶ କରିବାର ପ୍ରବଣତା ସାମ୍ବାଦିକତାକୁ ଗ୍ରାସକରିନଥିଲା । ତେଣୁ ଗତ ଶତାବ୍ଦୀର ୬୦ ଦଶକରେ ଶାନ୍ତିଲତାର ଗଣଧର୍ଷଣ ଓ ତଦ୍ଜନିତ ମୃତ୍ୟୁ ଶାନ୍ତିଲତା ହତ୍ୟାକାଣ୍ଡ ଭାବେ ଶିରୋନାମିତ ହୋଇଥିଲା । ସେହିଭଳି ୮୦ ଦଶକରେ ଛବିରାଣୀ ହତ୍ୟାକାଣ୍ଡ ଭାବେ ଯାହା ସଚରାଚରେ ପ୍ରଚାରିତ ହୋଇଥିଲା ତାହା ମଧ୍ୟ ଥିଲା ଏକ ଗଣଧର୍ଷଣ ଜନିତ ମୃତ୍ୟୁ । ଅର୍ଥାତ୍ ସମ୍ବାଦ ଭିତରେ ଧର୍ଷଣ ବିଷୟର ଉଲ୍ଲେଖ କରାଯାଉଥିଲେ ମଧ୍ୟ, ଘଟଣାଟି ଶିରାନାମାରେ ଏକ ହତ୍ୟାକାଣ୍ଡ ରୂପେ ହିଁ ଅଧିକ ଗୁରୁତ୍ୱ ପାଉଥିଲା । ସବୁ ଧର୍ଷଣର ପରିସମାପ୍ତି ମୃତ୍ୟୁରେ ହୁଏ ନାହିଁ ଯଦିଓ ଏହା ଏକ ଗୁରୁତର ଅପରାଧ ବୋଲି ଏହା ବିରୁଦ୍ଧରେ ଆଇନଗତ ବ୍ୟବସ୍ଥା ରହିଛି । ତେଣୁ ଧର୍ଷଣ ବା ଦୁଃଷ୍କର୍ମ ଇତ୍ୟାଦି ଦ୍ୱାରା ସମ୍ବାଦ ଶିରୋନାମିତ ହେବାରେ ଅସ୍ୱାଭାବିକତା କିଛି ନାହିଁ । କିନ୍ତୁ ଏହି ଭଳି ସମ୍ବାଦର ସଂଖ୍ୟା ଯେ କ୍ରମାନ୍ୱୟରେ ବଢିଚାଲିଛି ତାହା ହିଁ ବେଳେ ବେଳେ ଏହି ସମ୍ବାଦ ପରିବେଷଣର ପ୍ରତିରୋଧକ ଶକ୍ତି ଉପରେ ପ୍ରଶ୍ନ ଚିହ୍ନ ଠିଆ କରାଏ । ବରଂ ସନ୍ଦେହ ହୁଏ ଯେ ଗଣମାଧ୍ୟମରେ ଏହି ଭଳି ସମ୍ବାଦ ପରିବେଷଣ ସମାଜରେ ଧର୍ଷଣକୁ ବଢିବାରେ ସାହାଯ୍ୟ କରୁ ନାହିଁ ତ? ବିଶେଷତଃ ଯେତେବେଳେ ଏହି ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁୁ ଦଣ୍ଡର ସମ୍ବାଦ ହେଉଛି ବିରଳ ।  ବିଡମ୍ବନା ଯେ ଧର୍ଷଣର ହାର ବଢୁଛି କିନ୍ତୁ ଦଣ୍ଡାଜ୍ଞା (Conviction)ର ହାର କମିବାରେ ଲାଗିଛି । ଯେପରି, ୧୯୭୪ରେ ଏହି ହାର ଥିଲା ୩୯%, ୨୦୧୧ରେ ଏହି ହାର ଖସି ଅସିଛି ଶତକଡା ୨୬କୁ । (A short History of Indian Rape-Law Reform, India RealTime, January 9, 2013) ୭୦ ଦଶକ ପ୍ରାରମ୍ଭିକ କାଳରେ ୩୦୦୦ ରୁ କମ ଧର୍ଷଣ ମାମଲା ରୁଜ୍ଜୁ ହେଉଥିବା ବେଳେ,  ୨୦୧୦ ବେଳକୁ ଏହି ସଂଖ୍ୟା ୨୦,୦୦୦କୁ ଟପି ଯାଇଛି । ଅଥଚ ୧୯୭୪ ମସିହାରେ ୯୯୬ ମାମଲାରେ ଦଣ୍ଡାଜ୍ଞା ଶୁଣା୍ାଇଥିବା ବେଳେ, ୨୦୧୧ ମସିହାରେ ୪୦୭୨ ଟି ମାମଲାରେ ଦଣ୍ଡାଜ୍ଞା ଶୁଣାଇ ଦିଆଯାଇଛି । ତେଣୁ ଧର୍ଷଣ କରି ଖସିଯିବାର ସଂଭାବନା ବୃଦ୍ଧି ପାଇଛି, ଏହା ହୁଏତ ଏକ କାରଣ ହୋଇପାରେ ଧର୍ଷଣ ବୃଦ୍ଧି ପାଇବାର । ଗତ ଦୁଇ ଦଶନ୍ଧି ହେଲା ଦେଖାଯାଉଛି ଯେ ଧର୍ଷଣ ଜନିତ ମୃତ୍ୟୁ ର ସମ୍ବାଦ ପରିବେଷଣରେ ହତ୍ୟାକାଣ୍ଡ ଅପେକ୍ଷା ଧର୍ଷଣ ହିଁ ଅଧିକ ଗୁରୁତ୍ୱ ପାଉଛି ଓ ତଦନୁରୂପରେ ସଂବାଦଟି ଶିରୋନାମିତ ହେଉଛି । ଓଡିଶା ମାଟିରେ ଉତ୍ତର ନବେଦଶକରେ  ଅଂଜନା ମିଶ୍ର ଧର୍ଷଣ ମାମଲା, ନିକଟ ଅତୀତରେ ବେବିନା ବେହେରା ଧର୍ଷଣ ମାମଲା ଓଡିଶାବାସୀଙ୍କୁ ବେଶ ମର୍ମାହତ କରିଛ, ପ୍ରତିବାଦର ବିଶାଳ ପଟୁଆରମାନ ବାହାରିଛି ଏବଂ ପ୍ରତିକ୍ରିୟା ଗଣମାଧ୍ୟମରେ ବେଶ ପ୍ରଚାରିତ ହୋଇଛି । ଦିଲ୍ଲୀ ରେ ସଂଜୟ ଚୋପ୍ରା-ଗୀତା ଚୋପ୍ରା ଧର୍ଷଣର ଲୋମହର୍ଷଣକାରୀ ଘଟଣା, କଲିକତାରେ ଧନଂଜୟ ଚାଟାର୍ଜୀ ଦ୍ୱାରା ଧର୍ଷଣର ଘଟଣା, ନିଠାରୀର ନାବାଳିକା ଧର୍ଷଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା । କିନ୍ତୁ  ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ହୋଇଥିବା ଧର୍ଷଣ ସୃ୍ଷ୍ଟି କରିଥିଲା ଏକ ଅଭୂତପୂର୍ବ ପ୍ରତିକ୍ରିୟା ଯାହା ଫଳରେ ଧର୍ଷଣକୁ ଏକ ଅପରାଧ ଭାବେ ପୁନଃସମୀକ୍ଷା ପାଇଁ ଭାରତର ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କ  ଅଧ୍ୟକ୍ଷତାରେ ଏକ କମିଶନ ବସିଲା ଓ କଠିନ ଦଣ୍ଡ ବିଧାନର ବ୍ୟବସ୍ଥା କରାଗଲା । ଏହି ପ୍ରତିକ୍ରିୟାରୁ ହିଁ ଧର୍ଷଣ ଏକ ଗୁରୁତ୍ୱ ପୂର୍ଣ ପ୍ରସଂଗ ହୋଇ ଆତ୍ମପ୍ରକାଶ କରିଛି ଓ ଆରମ୍ଭ ହୋଇ ଯାଇଛି    ଗଣମାଧ୍ୟମରେ, ବିଶେଷତଃ ବୈଦୁତିକ ଗଣମାଧ୍ୟମରେ ବିରାମହୀନ ବିତର୍କ । ଏହା ଏକ ସାମାଜିକ କଳଙ୍କ, ଏହା ବନ୍ଦ ହେବା ଉଚିତ- ଏହା ଉପରେ ସମସ୍ତେ ଏକମତ ହେଲେହେଁ, କିପରି ଏହା ହେବ, କେଉଁ ଉପାୟ ଅବଲମ୍ବନ କରିବାକୁ ହେବ ତାହା ନେଇ ଭିନ୍ନ ମତ ରହିଛି ।
                                                                                                                                                 ଧର୍ଷଣ ଅପରାଧର ଇତିହାସ 

Print Friendly, PDF & Email