ପୁରୁଷର ନାକ ପାଇଁ
ନାକ ଦେବାକୁ ପଡେ
ନାରୀକୁ —
ପୁରାଣରେ ସୂର୍ପଣଖାକୁ,
ଏକବିଂଶ ଶତାବ୍ଦୀରେ
ଆଫଗାନ କନ୍ୟା ଆୟେଶାଞ୍ଚକୁ ।
ସତେଯେପରି ନାରୀ ପାଇଁ
ବଦଳିନି ଯୁଗ,
ବଦଳିନି ପୁରୁଷ
ରାମାୟଣ ଯୁଗରୁ ତାଲିବାନୀ ସମୟ ପର୍ଯ୍ୟନ୍ତ ।
ପୁରୁଷର ସମ୍ମାନ ପାଇଁ
ସେ ଯେପରି ସବୁବେଳେ ବଳି,
ସତ୍ୟ ଯୁଗରୁ କଳି ଯୁଗ ପର୍ଯ୍ୟନ୍ତ ।
(୨)
କ୍ରୀଡନକ ସବୁବେଳେ ନାରୀ ପୁରୁଷ ହାତରେ,
ବାଜି ବି ଲାଗିଛି ସେ ପୁରୁଷ ପକାଇଥିବା ପଶାପାଲି ଘରେ,
ବସ୍ତ୍ର ମୁକ୍ତ କରିଅଛି ତାକୁ, ଦୁଃଶାସନ ପୁରୁଷ ସଭାରେ,
ତା ନଗ୍ନ ଶରୀର ଛାପ ଆଜି ବଜାରର ପ୍ରତିଟି ବସ୍ତୁରେ,
କ୍ରୀଡନକ ସବୁବେଳେ ନାରୀ ପୁରୁଷ ହାତରେ,
ପୁରାଣ ଯୁଗରେ ହେଉ ଅବା ଆଜିର ଯୁଗରେ ।

ସମୟ କେବେ ବଦଳିବ?
କିଣା-ବିକା ଚିଜ ନୁହେଁ,
ନିରୋଳା ବ୍ୟକ୍ତି ଟିଏ ବୋଲି
ନାରୀ ସ୍ୱୀକୃତି ପାଇବ ;
ଆଇନରେ ନୁହେଁ, ପୁରୁଷ ମାନସରେ,
ଉଚ୍ଚାରଣରେ ନୁହେଁ, ଆଚରଣରେ ?
ଜାଣେ ନା କେତେ ଯୁଗ ଅପେକ୍ଷା କରିବାକୁ ହେବ,
ସେ ସମୟ କେବେ ଯେ ଆସିବ ?

ଆୟେଶା ମହମ୍ମଦଜାଇ (Aesha Mohammadzai) ଆଫଗାନ ଦେଶର କନ୍ୟା ।
ଶଶୁରାଳୟରେ ନିର୍ଯ୍ୟାତନା ସହ୍ୟ ନ ପାରି ଘରୁ ପଳାଇଯିବା ଥିଲା ତାର ଅପରାଧ । ତାକୁ ଧରି ଆଣି ଦଣ୍ଡ ସ୍ୱରୁପ ତାର ନାକ କାଟି ଦିଆଗଲା ।

 

Print Friendly, PDF & Email