୧୬-୩୦ନଭେମ୍ବର, ୨୦୦୮
ଆମେରିକା ଯେ ଏକ ଶତପ୍ରତିଶତ କୃଷ୍ଣକାୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପଥରେ ଅଗ୍ରସର ହେଉଛି ତାହାର ସୂଚନା ମିଳୁଛି ଅର୍ଦ୍ଧଶ୍ୱେତ-ଅର୍ଦ୍ଧକୃଷ୍ଣକାୟ ବାରାକ ହୁସେନ ଓବାମାଙ୍କର ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟରୁ । ମଣିଷସମାଜ ପୁରୁଷପ୍ରଧାନ ହୋଇଥିବାରୁ ପିତାର ବର୍ଣ୍ଣ, ଜାତି,ଧର୍ମ ଦ୍ୱାରା ହିଁ ପରିଚିତ ହୁଏ ତାର ସନ୍ତାନ ସନ୍ତତି । ଯଦି ଏହା ପ୍ରଥାନହୋଇ ମା’ର ବର୍ଣ୍ଣ, ଜାତି, ଧର୍ମ ଦ୍ୱାରା ସନ୍ତାନସନ୍ତତି ପରିଚିତ ହେଉଥାନ୍ତେ ତା’ହେଲେ ବାରାକ ଓବାମାଙ୍କୁ ଆମେ କୃଷ୍ଣକାୟ ନକହି ଶ୍ୱେତକାୟ କୁହନ୍ତେ । ଏହା ବ୍ୟତିରେକ ମଧ୍ୟ ଓବାମାଙ୍କୁ ଶ୍ୱେତକାୟ କହିବା ଭିତ୍ତହୀନ ହେବନାହିଁ ଯଦି ଆମେ ଏହା ଜାଣୁ ଯେ ଓବାମାଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ (ଓବାମାଙ୍କର ଜନ୍ମ ୪ଅଗଷ୍ଟ ୧୯୬୧) ତାଙ୍କର ଆମେରିକୀୟ ଶ୍ୱେତକାୟ ମାତା ଆନ୍ନ ଡନ୍ହାମ (Ann Dunham) ଓ ଆଫ୍ରିକୀୟ (କେନିଆ ନିବାସୀ) କୃଷ୍ଣକାୟ ପିତା ବାରାକ ହୁସେନ ଓବାମା ସିନିଅର (Barack Hussein Obama Sr.)ଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା ଓ ଏହାପରେ ତାଙ୍କର ଲାଳନ-ପାଳନ ପ୍ରଥମ ଅଳ୍ପକିଛି ବର୍ଷ ପାଇଁ (ଓବାମାଙ୍କୁ ଦଶବର୍ଷ ହେବାପର୍ଯ୍ୟନ୍ତ) ତାଙ୍କ ଶ୍ୱେତକାୟ ମା ଓ ପରବର୍ତ୍ତୀ ସମୟରେ ଅଜା ଓ ଆଇ (Stanley Dunham & Madelyn Dunham)ଙ୍କ ଦ୍ୱାରା ହିଁ ହୋଇଥିଲା – ଅର୍ଥାତ ତାଙ୍କର ଲାଳନପାଳନ ମୁଖ୍ୟତଃ ଏକ ଅନ୍ତରଙ୍ଗ ଶ୍ୱେତକାୟ ପରିବେଶରେ ହିଁ ହୋଇଥିଲା । ଏହା ସେ ନିଜେ ସ୍ୱୀକାର କରନ୍ତି ଯେତେବେଳେ ସେ ନର୍ଥ କାରୋଲିନା (North Carolina)ଠାରେ ଏକ ନିର୍ବାଚନୀସଭାରେ ତାଙ୍କର ଆଇଙ୍କର ମୃତୁ୍ୟଖବର ପାଇ କୁହନ୍ତି ଯେ ଆଇଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କ ଜୀବନକୁ ବହୁ ପରିମାଣରେ ଗଢ଼ିଛି । (ଦ୍ରଷ୍ଟବ୍ୟ -The Statesman, 3rd Nov, 2008, P-3) । ଏଠାରେ ଉଲ୍ଲେଖ କରିଦେବା ପ୍ରାସଙ୍ଗିକ ହେବ ଯେ କୃଷ୍ଣକାୟ ପିତାଙ୍କ ସହ(ଯାହାଙ୍କର ମୃତୁ୍ୟ ୧୯୮୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ହେଲା) ଓବାମାଙ୍କର ଥରେ ମାତ୍ର ହିଁ ଭେଟ ହୋଇଥିଲା ୧୯୭୧ମସିହାରେ ଯେତେବେଳେ ସେ ଅଜା,ଆଇଙ୍କର ତତ୍ତ୍ୱାବଧାନରେ ପ୍ରତିପାଳିତ ହେଉଥିଲେ ।
ତେଣୁ ଶରୀର ଗଢ଼ଣ ଓ ଚେହେରାକୁ ବାଦ୍ ଦେଲେ ଏକଶତ ପ୍ରତିଶତ ଶ୍ୱେତକାୟ ପରିବେଶରେ ପ୍ରତିପାଳିତ ଓବାମା କେତେଦୂର ଏକ ଦରଦୀ ଶ୍ୱେତକାୟଠାରୁ ଭିନ୍ନ ଅଥଚ ଅଧିକ ଗଭୀରଭାବେ କୃଷ୍ଣକାୟ ସମ୍ପ୍ରଦାୟ ସହ ନିଜକୁ ଏକାତ୍ମ କରିପାରିବେ-ତା’ର ବେଦନାକୁ ହୃଦୟଙ୍ଗମ କରିପାରିବେ-ତାହା ନେଇ ପ୍ରଶ୍ନ ସ୍ୱାଭାବିକ ମନ ଭିତରକୁ ଆସେ ।
କିନ୍ତୁ ଓବାମାଙ୍କ ବିଜୟ ଫଳରେ ଜର୍ଜବୁଶ୍ଙ୍କ ଆମେରିକାର ଔଦ୍ଧତ୍ୟରେ କିଛି କ୍ଷୟ ହେବ ବୋଲି ଯଦି କେହି ଆଶା କରୁଥାନ୍ତି ତା’ହେଲେ ଆଶା ବିରୋଧରେ ଆଶା (Hope against Hope) ସଦୃଶ ବୋଲି କହିବା ଅତିଶୟୋକ୍ତି ହେବ ନାହିଁ । ଓବାମାଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ଡ୍ରିମ୍ସ ଅଫ ମାଇଁ ଫାଦର (Dreams of my father, 1995) ଓ ଅଡ଼ାସିଟି ଅଫ ହୋପ୍ (Audacity of Hope, 2006)ରୁ ସର୍ବୋଚ୍ଚ କ୍ଷମତାରେ ଓବାମା କେଉଁ ନୀତି ଅନୁସରଣ କରିବେ, ତା’ର ଝଲକ ମିଳୁଛି । ଆମେରିକୀୟ ସ୍ୱପ୍ନର ପୁନରୁଦ୍ଧାର କିପରି ହେବ ତାହାହିଁ ତାଙ୍କର ମୁଖ୍ୟଚିନ୍ତା । ଭିଏତ୍ନାମ ଯୁଦ୍ଧଫଳରେ ଆମେରିକାର କ’ଣ କ୍ଷତି ହେଲା, କିପରି ଆମେରିକାର ସମ୍ମାନରେ ଆଞ୍ଚ ଆସିଲା, କିପରି ଆମେରିକୀୟ ସୈନ୍ୟବାହିନୀର ମନୋବଳ କ୍ଷୁର୍ଣ୍ଣର୍ ହେଲା, କିପରି ଆମେରିକାର ଜନସାଧାରଣ ଓ ସରକାର ଭିତରେ ବିଶ୍ୱାସର ବନ୍ଧ ଭାଙ୍ଗିଗଲା-ଏହାହିଁ ତାଙ୍କୁ ବିବ୍ରତ କରିଛି । ଏହି ପ୍ରସଙ୍ଗରେ ଓବାମା କେଉଁଠାରେ ହେଲେ କୁହନ୍ତିନାହିଁ ଯେ ଏହି ଯୁଦ୍ଧଫଳରେ ୨୦ଲକ୍ଷ ଭିଏତ୍ନାମ ନାଗରିକଙ୍କର ମୃତୁ୍ୟ ହେଲା, ସେ ଦେଶର ଊର୍ବର ଜମି ବିଷାକ୍ତ ହୋଇଗଲା ବା ଏକ ଗଣହତ୍ୟା ସଙ୍ଗଠିତ ହେଲା । କହିବା ବାହୁଲ୍ୟ ଯେ ଓବାମାଙ୍କର ଚିନ୍ତା ଆମେରିକାକେନ୍ଦ୍ରିକ ହିଁ ହେବ-ଆମେରିକାର ସ୍ୱାର୍ଥ, ଆମେରିକାର ସମ୍ମାନ, ଆମେରିକାର ପ୍ରଭାବ କିପରି ସବା ଉପରେରହିବ-ତାହାହିଁ ତାଙ୍କର ମୁଖ୍ୟଲକ୍ଷ୍ୟ ହେବ । ଏଥିପାଇଁ ଯଦି ଅନ୍ୟରାଷ୍ଟ୍ରକୁ ପଦଦଳିତ କରିବାକୁ ହୁଏ-ତା’ହେଲେ ସେ ଯେ ପଛଘୁଞ୍ଚା ଦେବେନାହିଁ-ଏହା ଜଣାପଡ଼େ । ତେଣୁ ଏକାଧିକ ସ୍ଥାନରେ ସେ କହିଛନ୍ତି ଯେ ମୁଁ ସବୁଯୁଦ୍ଧର ବିରୋଧୀ ନୁହେଁ । ତାଙ୍କପାଇଁ କିଛି ଯୁଦ୍ଧ ଭଲ, କିଛି ଯୁଦ୍ଧ ଖରାପ । ତେଣୁ ଆଫଗାନିସ୍ଥାନ ବିରୁଦ୍ଧରେ ଯୁଦ୍ଧର ସେ ବିରୋଧୀ ନୁହନ୍ତି । ବରଂ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମାକକେନ୍ଙ୍କୁ ଛିଗୁଲେଇ କହନ୍ତି ଯେ, ମାକକେନ୍ ବିନ୍ ଲାଡ଼େନକୁ ଧରିବାପାଇଁ-ତା’ର ଗୁମ୍ଫା ଯାଏ ତାକୁ ଖୋଜିବେ ନାହିଁ । (Wo’nt even follow (Bin Laden) to his cave in Afga-nistan) (ଦ୍ରଷ୍ଟବ୍ୟ – The Technician in the Establishment : Obama’s America and the world, Vinaya Lal, Economic and Political Weekly, Nov, 2008, P-14) ଓବାମା ଏହି ମାନସିକତାରୁ ମୁକ୍ତ ନୁହନ୍ତି ଯେ,ଏହା ଆମେରିକୀୟ ରାଷ୍ଟ୍ରପତିର ଜନ୍ମଗତ ଅଧିକାର ଯେ, ସେ ଯେକୌଣସି ଦେଶ ଉପରେ ବୋମାବର୍ଷଣ କରି ତାକୁ ଆମେରିକାର ଆନୁଗତ୍ୟ ସ୍ୱୀକାର କରିବାପାଇଁ ବାଧ୍ୟ କରିପାରେ । ପୁନଶ୍ଚ ଓବାମାଙ୍କର ସ୍ୱର ଯେ ଉତ୍ତରକୋରିଆ, ଇରାନ ଓ ଚୀନ୍ ସନ୍ଦର୍ଭରେ, ରିଗାନ୍, କ୍ଲିଣ୍ଟନ୍, ବୁଶ୍ ବା ମାକକେନ୍ଠାରୁ ଭିନ୍ନ ହେବନାହିଁ, ତା’ର ସୂଚନା ମିଳେ ଯେତେବେଳେ ସେ କୁହନ୍ତି ‘ଆମକୁ ଶକ୍ତି ପ୍ରଦର୍ଶନର ଏକ ରଣନୀତି ଅବଲମ୍ବନ କରିବାକୁ ହେବ ଯାହାଦ୍ୱାରା ଉତ୍ତର କୋରିଆ ଏବଂ ଇରାନ୍ ଭଳି ଦୁଷ୍ଟ ରାଷ୍ଟ୍ରଗୁଡ଼ିକ ତରଫରୁ ଥିବା ବିପଦକୁ ମୁକାବିଲା କରିହେବ ଏବଂ ଚୀନ୍ଦେଶ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରର ଆହ୍ୱାନକୁ ସାମ୍ନା କରିହେବ ।’ (we need to maintain a strategic force posture that allows us to manage threats posed by the rogue nations like North Korea and Iran and to meet the challanges by the potential rivals like China)
କହିବାବାହୁଲ୍ୟ ଯେ, ପୂର୍ବ ରାଷ୍ଟ୍ରପତିମାନଙ୍କଠାରୁ ଓବାମା ରାଷ୍ଟ୍ରପତିଭାବେ ଭିନ୍ନ ହେବେନାହିଁ – ଆମେରିକାର ଆଧିପତ୍ୟ(ବା ଔଦ୍ଧତ୍ୱ)କୁ କାଏମ ରଖିବାରେ । ଆମେରିକାର ପ୍ରଚଳିତ ବ୍ୟବସ୍ଥାକୁ ସୁରକ୍ଷିତ ରଖିବେ ଏହି ପ୍ରତିଶ୍ରୁତି ତାଙ୍କଠାରୁ ଯଥେଷ୍ଟ ପରିମାଣରେ ମିଳୁଛି ଯାହା ଆମେରିକୀୟ ମୂଳ କର୍ପୋରେଟ ସଂସ୍କୃତି ସହ ମେଳ ଖାଉଛି । କର୍ପୋରେଟୀୟ ସଂସ୍କୃତିର ପରିପନ୍ଥୀ କୌଣସି ଭିନ୍ନ ରାଜନୈତିକ ଧାରଣା ଆମେରିକାର ଗଣତନ୍ତ୍ରରେ ବିକଶିତ ନହୋଇପାରିବାର ଯେଉଁ ପରମ୍ପରା ରହିଛି, ତା’ର ପରିବେଶରେ ଆମେରିକୀୟ ଗଣତନ୍ତ୍ରରେ ଖେଳୁଆଡ଼ ହେବଳ ବା ରାଷ୍ଟ୍ରପତି ହେବାର ସ୍ୱପ୍ନକୁ ପୂରଣ କରିବାର ଏକମାତ୍ର ପଥ ହେଉଛି କର୍ପୋରେଟୀୟ ସଂସ୍କୃତି ସହ ସାଲିସ କରିବା । ସେହି ଦୃଷ୍ଟିରୁ ଦ୍ୱିପାର୍ଟିର ଭ୍ରମ ସୃଷ୍ଟି କରୁଥିବା ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ପ୍ରକୃତରେ ଗୋଟିଏ ଦଳ ଯାହା ଆମେରିକାର ଗଣତନ୍ତ୍ରରେ ଦୃଶ୍ୟମାନ ସ୍ଥିରତାର ଏକ ବଡ଼ କାରଣ । ତେଣୁ ଏହି ଦୁଇଦଳ ଭିତରେ କ୍ଷମତା ବଦଳ କୌଣସି ମୌଳିକ ପରିବର୍ତ୍ତନ ଆମେରିକୀୟ ଶାସନ ଧାରାରେ ଆଣିବ ନାହିଁ । ଜର୍ଜ ବୁଶ୍ ଓ ଓବାମାଙ୍କ ଭିତରେ ବିଶେଷ ଫରକ ଦେଖାଯିବ ନାହିଁ । ଆମ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଜର୍ଜ ବୁଶ୍ଙ୍କର ଯେପରି କରୁଣା ଥିଲା,ଓବାମାଙ୍କର ମଧ୍ୟ ସେପରି ରହିବ । ଯଦିଓ ଓବାମା ଭାରତର ପ୍ରତିବେଶୀ ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଆଗୁଆ କଥାବାର୍ତ୍ତା କରିବା ଓ ଅପେକ୍ଷମାଣ ମନମୋହନ ସିଂହଙ୍କ ସହ ଆଗୁଆ କଥାବାର୍ତ୍ତା ନକରିବା – ଫଳରେ ସନେ୍ଦହ ଓବାମା – ମନମୋହନ ସମ୍ପର୍କକୁ ନେଇ ହୋଇଥିଲା-ଯାହାର ଅବସାନ ହୋଇଛି । ଇତ୍ୟବସରରେ ଓବାମା ମନମୋହନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଓବାମାଙ୍କର ଏତାଦୃଶ ବ୍ୟବହାର ଅସ୍ୱାଭାବିକ ନୁହେଁ । କାରଣ ଯିଏ ଅନୁଗତ ହୋଇନାହିଁ-ତାହାକୁ ଅନୁଗତ କରାଇବା ଉପରେ ବୋଧହୁଏ ଓବାମା ଗୁରୁତ୍ୱ ଦେଇଛନ୍ତି । ଭାରତର ଆମେରିକା ପ୍ରତି ଆନୁଗତ୍ୟ ତ ପ୍ରମାଣିତ । ତେଣୁ ସାମାନ୍ୟ ବିଳମ୍ବକଲେ ଭାରତ ସମ୍ପର୍କରୁ ଓହରିଯିବ ନାହିଁ- ଏହା ଓବାମା ଜାଣନ୍ତି । ଓବାମା କାର୍ଯ୍ୟବସ୍ତତା ହେତୁ ମନମୋହନ ସିଂହଙ୍କୁ ଟେଲିଫୋନ କରିପାରିନାହାନ୍ତି ବୋଲି ଦିଆଯାଉଥିବା ଯୁକ୍ତି ଆମେରିକା ପ୍ରତି ଆନୁଗତ୍ୟକୁ ଆହୁରି ବଳିଷ୍ଠଭାବେ ପ୍ରମାଣିତ କରେ । ତେଣୁ ଜର୍ଜବୁଶ୍ଙ୍କର ମନମୋହନଙ୍କ ପ୍ରତି ଯେଉଁ କରୁଣା ଭାବ ଥିଲା, ସେହି କରୁଣା ମନମୋହନଙ୍କ ପ୍ରତି ଓବାମାଙ୍କର ରହିବ ବୋଲି ଶୁଦ୍ରକର ବିଶ୍ୱାସ ।
ତେବେ ଗୋଟିଏ ଆଶଙ୍କା ଉଙ୍କିମାରୁଛି ମନରେ । ବର୍ତ୍ତମାନ ଆମେରିକୀୟ ଅର୍ଥନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ତାହା ୧୯୨୯-୩୩ ସମୟ କାଳ ମଧ୍ୟରେ ଦେଖାଯାଉଥିବା ସଙ୍କଟଠାରୁ ମଧ୍ୟ ଭୟଙ୍କର ବୋଲି କୁହାଯାଉଛି । ସେହିଭଳି ଅବସ୍ଥାରେ ଏହି ସଙ୍କଟ ପାଇଁ ମୁଖ୍ୟତଃ ଦାୟୀ ଆମେରିକୀୟ କର୍ପୋରେଟ ବ୍ୟବସ୍ଥା ଓବାମାଙ୍କୁ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ବହୁଳ ପ୍ରଚାର କରି-ତାଙ୍କ ହାତକୁ ଆମେରିକା ଶାସନର ମଙ୍ଗ ବଢ଼ାଇଦେବା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ତ? ୧୯୨୯-୩୩ ସଙ୍କଟ ପରେ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଙ୍ଗଠିତ ହୋଇ ପୁଞ୍ଜିବାଦକୁ ଉଦ୍ଧାର କରିଥିଲା । ବର୍ତ୍ତମାନର ସଙ୍କଟ ପୁଞ୍ଜିବାଦୀ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇଛି । ତେଣୁ କୌଣସି ବିଶ୍ୱଯୁଦ୍ଧର ଯୋଜନା ଆମେରିକୀୟ କର୍ପୋରେଟମାନଙ୍କର କାର୍ଯ୍ୟସୂଚୀରେ ନାହିଁ ତ? କାରଣ ସୀମିତ ଯୁଦ୍ଧର ରଣନୀତି ପୁଞ୍ଜିବାଦକୁ ରକ୍ଷା କରିପାରୁ ନାହିଁ ଏହି ବିଶ୍ୱଯୁଦ୍ଧ କୃଷ୍ଣକାୟ ଓବାମାଙ୍କ କାନ୍ଧରେ ବନ୍ଧୁକ ରଖି କରାଇବାର ଯୋଜନା ହେଉନାହିଁ ତ?