ଅଭିଯୋଗ ସତ୍ତେ୍ୱ କୁଳପତି:

  • 25/03/2017

ଇତ୍ୟବସରରେ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ସଂପର୍କିତ ବିଭିନ୍ନ ଦସ୍ତାବିଜରୁ ଜଣାପଡେ ଯେ ବହୁ ଅଭିଯୋଗ ପ୍ରଶାନ୍ତ କୁମାର ସାହୁଙ୍କ ବିରୋଧରେ ଗତ ଦଶବର୍ଷ ଧରି କରାଯାଇଥିଲେ ହେଁ ଓ ଏହା ତାଙ୍କର କୁଳପତି ନୁଯୁକ୍ତି ହେବା ପୂର୍ବରୁ ଉଠିଥିଲେ ହେଁ – ଏହା ତାଙ୍କର କୁଳପତି ନିଯୁକ୍ତିକୁ ଅଟକାଇ ପାରିନାହିଁ । ତେବେ ଏହି ଅଭିଯୋଗ ଗୁଡିକୁ କିପରି ଭାବରେ ପ୍ରଭାବହୀନ କରାଯାଇପାରିଛି ତାହାହିଁ ଏହି ଅନୁସନ୍ଧାନ ମୂଳକ ବିବରଣୀର ଉଦ୍ଦେଶ୍ୟ ।
ଅଭିଯୋଗ ଓ ଚୟନ କମିଟିର ସୁପାରିଶ
ହସ୍ତଗତ ହୋଇଥିବା ଦସ୍ତାବିଜରୁ ଜଣାପଡେ ଯେ ଅଭିଯୋଗକାରୀ ମାନେ ହେଉଛନ୍ତି (୧) ସଂଗ୍ରାମ ରଞ୍ଜନ ଦାସ, ସାମ୍ବାଦିକ (୨) ବି ମହାନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟର ଏମ.ବି.ଏ. ବିଭାଗର ପୂର୍ବତନ ପ୍ରଫେସର (୩) ଜୟନ୍ତ କୁମାର ରାଉତରାୟ, ଏସିଆନ ଇନଷ୍ଟିଚ୍ୟୁସନ ଅଫ ଟେକ୍ନୋଲୋଜି (ଥାଇଲାଣ୍ଡ)ର ପ୍ରଫେସର (ଯିଏ ମଧ୍ୟ କୁଳପତି ପଦବୀ ପାଇଁ ଆବେଦନ କରିଥିଲେ )ା ଏହି ତିନିଜଣ ଶ୍ରୀନିବାସ ସାହୁ ଆଇ.ଏ.ଏସ (ରିଟାୟାର୍ଡ)ଙ୍କର ଚୟନ କମିଟିରେ ନିଯୁକ୍ତିକୁ ଓ ପ୍ରଶାନ୍ତ ସାହୁଙ୍କର ନିଯୁକ୍ତିକୁ ପ୍ରଶ୍ନ କରିଥିଲେ । ତାଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲା ଯେ ଶ୍ରୀନିବାସ ସାହୁ ପ୍ରଶାନ୍ତ ସାହୁଙ୍କର ଅଜା ହୋଇଥିବାରୁ ଏହି ଚୟନ ସନ୍ଦେହ ମୁୁକ୍ତ ନୁହେଁ । ଏହାଛଡା ସଂଗ୍ରାମ ରଞ୍ଜନ ଦାସ ପ୍ରଶାନ୍ତ ସାହୁଙ୍କର ବିଭିନ୍ନ ଆର୍ôଥକ ଅନିୟମିତତା ସହ ସଂପୃକ୍ତି ଅଭିଯୋଗ ମଧ୍ୟ ଆଣିଥିଲେ । ଏସବୁ ଅଭିଯୋଗକୁ କୁଳପତିଙ୍କ ଦପ୍ତର ନୋଟ୍ ସିଟରେ ଦରଜ କରି ଯୁଗ୍ମ ସଚିବଙ୍କ ଦୃଷ୍ଟିକୁ ୧୩-୦୪-୨୦୧୧ଦିନ ଆଣିବା ଓ ଏହି ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ନ ଦେଇ କୁଳପତି ପଦବୀ ପାଇଁ ଯେଉଁ ପ୍ରାର୍ଥୀଙ୍କର ନାମ ଚୟନ କମିଟି ଅନୁମୋଦନ କରିଥିଲା ତାହାକୁ ଯୁଗ୍ମ ସଚିବ ୧୮-୦୪-୨୦୧୧ଦିନ କମିଶନର ସଚିବଙ୍କ ଜରିଆରେ କୁଳାଧିପତିଙ୍କ ନିକଟକୁ ପଠାଇବା ଓ କୁଳାଧିପତି ୨୯-୦୪-୨୦୧୧ ଏହି ନୋଟ୍ ସିଟରେ ପ୍ରଶାନ୍ତ ସାହୁଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଉ ବୋଲି ନିର୍ଦ୍ଦେଶ ଦେବା ଦର୍ଶାଉଛି ଯେ ଅଭିଯୋଗ ଗୁଡିକର କୌଣସି ପ୍ରଭାବ ପଡିନାହିଁ । କିନ୍ତୁ ଶ୍ରୀନିବାସ-ପ୍ରଶାନ୍ତ ସମ୍ପର୍କ ପ୍ରସଙ୍ଗ ଯେତେବେଳେ ପୁଣି ବି. ମହାନ୍ତି ଉଠାଇଛନ୍ତି, କୁଳାଧିପତିଙ୍କୁ ୦୮-୦୭-୨୦୧୧ରେ ଲିଖିତ ପତ୍ରରେ, ସେତେବେଳେ ପ୍ରଶାନ୍ତଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗ ସମ୍ପର୍କରେ ଅତିରିକ୍ତ ସଚିବ (ଯିଏ ଥିଲେ ଉଲ୍ଲିଖିତ ଯୁଗ୍ମସଚିବ) ନୋଟ୍ ସିଟରେ ୧୮-୦୭-୨୦୧୧ଦିନ ଲେଖନ୍ତି “The Selection Committee having gone through the said allegations and report of the University on that score didnot attach any significance and recommended the name of Dr. P.K. Sahoo along with other two candidates for consideration for the post of Vice-Chancellor.” ଅର୍ଥାତ୍ ୨୧-୦୩-୨୦୧୧ଦିନ ବସିଥିବା ଚୟନ କମିଟି ସମ୍ମୁଖରେ ପ୍ରଶାନ୍ତଙ୍କ ବିରୁଦ୍ଧରେ ଉଠିଥିବା ଅଭିଯୋଗମାନ ଉପସ୍ଥାପିତ ହୋଇଥିଲା- ଯାହାକୁ ଚୟନ କମିଟି କୌଣସି ଗୁରୁତ୍ୱ ଦେଲେ ନାହିଁ । ଚୟନ କମିଟିର ସୁପାରିଶ ପତ୍ରରୁ କିନ୍ତୁ ଏହାର କୌଣସି ସୂଚନା ମିଳେ ନାହିଁ । ଯଦିଓ ଚୟନ କମିଟିକୁ ଦିଆଯାଇଥିବା ଗାଇଡଲାଇନ (Guidelines) -ର ପାରାଗ୍ରାଫ ୧୦ରେ ସ୍ପଷ୍ଟ କୁହାଯାଇଛି “As far as possible the following documents or information should be obtained and examined for each candidate (a) xxx (b) information relating to any pending or disposed of enquiries and litigations of known concerning the candidates in the recent timesଦ.”- ନିଶ୍ଚିତ ଭାବରେ ଚୟନ କମିଟି ସମୁଖରେ ଉପସ୍ଥାପିତ ଅଭିଯୋଗରେ ଶ୍ରୀନିବାସ-ପ୍ରଶାନ୍ତ ସମ୍ପର୍କ ଉତ୍ଥାପିତ ହୋଇ ନଥିବ । କାରଣ ଯାହା ଦସ୍ତାବିଜ ଦର୍ଶାଉଛି ଏହି ଅଭିଯୋଗ ୨୧-୦୩-୨୦୧୧ପରେ ହିଁ ଉଠିଥିଲା- ତେଣୁ ଉଠିଥିବା ଅଭିଯୋଗ ଗୁଡିକ ପ୍ରଶାନ୍ତଙ୍କର ଆର୍ôଥକ ଅନିୟମିତତା ଓ ଅନ୍ୟାନ୍ୟ ସମ୍ପର୍କିତ ହୋଇଥିବ ଯାହା ନୋଟ୍ ସିଟରେ ଉଲ୍ଲିଖିତ ମନ୍ତବ୍ୟ ଅନୁସାରେ ଗୁରୁତ୍ୱ ପାଇ ନାହିଁ । କିନ୍ତୁ କାହିଁକି ଏହି କଥା ୧୮-୦୪-୨୦୧୧ଦିନ ଯୁଗ୍ମ ସଚିବ (ପରେ ଅତିରିକ୍ତ ସଚିବ) ମହୋଦୟ ତାଙ୍କ ମନ୍ତବ୍ୟରେ ଦରଜ କରି ନ ଥିଲେ ତାହାହିଁ ବିସ୍ମୟର ବିଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀନିବାସ ସାହୁ (ଆଇ.ଏ.ଏସ ଅବସରପ୍ରାପ୍ତ) ସଭ୍ୟ ଥିବା ଏହି ଚୟନ କମିଟିର ଅଧ୍ୟକ୍ଷ ଥିଲେ ପୂର୍ଣ୍ଣ ଚନ୍ଦ୍ର ହୋତା ଆଇ.ଏ.ଏସ (ଅବସରପ୍ରାପ୍ତ), ପୂର୍ବତନ ଅଧ୍ୟକ୍ଷ ୟୁପିଏସସି ।
ତେଣୁ ପ୍ରଶାନ୍ତଙ୍କର କୁଳପତି ନିଯୁକ୍ତି ବିରୁଦ୍ଧରେ ଅଭିଯୋଗ ଦୁଇଟି: (କ) ତାଙ୍କ ଚୟନକୁ ସୁପାରିଶ କରିଥିବା କମିଟିରେ ଶ୍ରୀନିବାସଙ୍କର ଉପସ୍ଥିତି ଓ (ଖ) ତାଙ୍କର ଆର୍ôଥକ ଅନିୟମିତତା ରେ ସଂପୃକ୍ତିର ଦୀର୍ଘ ଇତିହାସ । ଏହି ଦୁଇଟି ଅଭିଯୋଗ ଓ ଏହା ଉପରେ କର୍ତ୍ତୃପକ୍ଷଙ୍କର ନିଷ୍ପତ୍ତିର ସୁଚନା ଭିତ୍ତିକ ବିବରଣୀ ବେଶ ଚକ୍ଷୁ ଉନ୍ମେଷକାରୀ ।
ଶ୍ରୀନିବାସଙ୍କର ଚୟନ କମିଟିରେ ଉପସ୍ଥିତି
ବିଶ୍ୱବିଦ୍ୟାଳୟ ଆଇନାନୁସାରେ ଚୟନ କମିଟିରେ କୁଳାଧିପତିଙ୍କର ଜଣେ ମନୋନୀତ ସଭ୍ୟ ରୁହନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟ ଚୟନ କମିଟିର ଏହି ସଭ୍ୟଙ୍କର ଚୟନ ପାଇଁ କୁଳାଧିପତିଙ୍କ ନିକଟରେ ଏକ ୨୬ ଜଣଙ୍କ ନାଁ ଥିବା ଖ୍ୟାତନାମା (eminent) ଲୋକଙ୍କର ତାଲିକା ପେଶ କରାଯାଇଥିଲା, ୦୩-୦୨-୨୦୧୧ଦିନ । ଏହି ତାଲିକାର ଶୀର୍ଷରେ ଥିଲା ଶ୍ରୀନିବାସ ସାହୁଙ୍କ ନାଁ । ଏହି ତାଲିକାରେ ଶ୍ରୀନିବାସଙ୍କର ଅଧିଷ୍ଠିତ ପଦବୀ ଭାବେ ଦର୍ଶା ଯାଇଥିଲା । ଭୂତପୂର୍ବ କୁଳପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟ (ଯଦିଓ ଉକ୍ରଳ ବିଶ୍ୱବିଦ୍ୟାଳୟର websiteରେ ଓ ପ୍ରକାଶିତ information bulletin 2012-13ରେ ଉଲ୍ଲେଖ କରାଯାଇଥିବା ପୂର୍ବତନ କୁଳପତି ମାନଙ୍କର ନାମ ତାଲିକାରେ ଶ୍ରୀନିବାସଙ୍କର ନାମ ନାହିଁ ।) କିନ୍ତୁ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀନିବାସ ସାହୁ ଏହି ତାଲିକାରେ ଥିବା ବିଭୂତି ଭୂଷଣ ଦେଓ (କ୍ରମିକ ନଂ ୩. ପୂର୍ବତନ କୁଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ), ସୂର୍ଯ୍ୟ ନାରାୟଣ ବେହେରା (କ୍ରମିକ ନଂ ୮. ପୂର୍ବତନ କୁଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ), ବୈ÷ଦ୍ୟନାଥ ମିଶ୍ର (କ୍ରମିକ ନଂ ୧୦. ପୂର୍ବତନ କୁଳପତି ଓ.ୟୁ.ଏ.ଟି), ଆଦିତ୍ୟ ପ୍ରସାଦ ପାଢୀ (କ୍ରମିକ ନଂ ୧୨. ପୂର୍ବତନ କୁଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ), ପ୍ରିୟମ୍ବଦା ମହାନ୍ତି ଲେଜମାଜି (କ୍ରମିକ ନଂ ୧୩. ପୂର୍ବତନ କୁଳପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ), ପ୍ରଦୀପ ଚନ୍ଦ୍ର ତ୍ରିପାଠୀ (କ୍ରମିକ ନଂ ୧୭. ପୂର୍ବତନ କୁଳପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ) ମାନଙ୍କ ଭଳି ବିଶ୍ୱବିଦ୍ୟାଳୟ ଆଇନାନୁମୋଦିତ ଚୟନ କମିଟି ଦ୍ୱାରା କୁଳପତି ଭାବେ ବଛା ହୋଇନଥିଲେ । ସେ ଜଣେ ଅବସରପ୍ରାପ୍ତ ଆଇ.ଏ.ଏସ ଅଫିସର- ଶିକ୍ଷା ବିଭାଗରେ ପ୍ରାଧ୍ୟାପକ ଥିବାବେଳେ ଆଇ.ଏ.ଏସ.କୁ ଉନ୍ନିତ ହୋଇଥିଲେ । ତେଣୁ ଏହି ତାଲିକାରେ ଥିବା ଅରୁଣ କୁମାର ରଥ (କ୍ରମିକ ନଂ.୪), ପ୍ରେମାନନ୍ଦ ତ୍ରିପାଠୀ (କ୍ରମିକ ନଂ.୫), ସୁଧାଂଶୁ ଭୂଷଣ ମିଶ୍ର (କ୍ରମିକ ନଂ.୧୮), ସହଦେବ ସାହୁ (କ୍ରମିକ ନଂ.୧୯), କେଶ୍ରୀନିବାସନ(କ୍ରମିକ ନଂ.୨୦), ଲଲାଟେନ୍ଦୁ ପରିଜା(କ୍ରମିକ ନଂ.୨୧), ରମାକାନ୍ତ ରଥ (କ୍ରମିକ ନଂ.୨୩), ପ୍ରତୀପ କୁମାର ମହାନ୍ତି (କ୍ରମିକ ନଂ.୨୪), ଅଭୟାନନ୍ଦ ରଥ (କ୍ରମିକ ନଂ.୨୫)ଙ୍କ ଭଳି ଓଳିଆରୁ ଆଇ.ଏ.ଏସ. ନଥିଲେ । ଏହି ତାଲିକାରେ ମଧ୍ୟ ନାଁ ଥିଲା ବିଖ୍ୟାତ କଥାକାର ମନୋଜ ଦାସ (କ୍ରମିକ ନଂ.୬)ଙ୍କର, ଭୁବନେଶ୍ୱର ଆଞ୍ଚଳିକ ଗବେଷଣାଗାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫୁଲ୍ଲ ଜେନାଙ୍କର (କ୍ରମିକ ନଂ.୨୨) ଓ ଆଇ.ଆଇ.ଟିର କେତେକ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକଙ୍କର । ଅଥଚ କ୍ରମିକ ନଂ୧ରେ ଥିବା ଶ୍ରୀନିବାସ ସାହୁଙ୍କୁ ହିଁ କୁଳାଧିପତି ତାଙ୍କର ମନୋନିତ ସଭ୍ୟ ଭାବେ ନିଯୁକ୍ତି ଦେଲେ । ୦୯-୦୨-୨୦୧୧ରେ ନୋଟସିଟରେ ଲେଖିଲେ “Dr Sreenivas Sahu is appointed as a member—”.

ଶ୍ରୀନିବାସ-ପ୍ରଶାନ୍ତ ସମ୍ପର୍କ   

ଶ୍ରୀନିବାସ ସାହୁ ପ୍ରଶାନ୍ତ ସାହୁଙ୍କର ସମ୍ପର୍କୀୟ- ଏହି ଅଭିଯୋଗ ଉଠିବା ପରେ କୁଳାଧିପତିଙ୍କ ଦପ୍ତରରୁ ଏକ ପତ୍ର (No. 257/SG(HE) ୦୫-୦୪-୨୦୧୧ ଦିନ ଶ୍ରୀନିବାସ ସାହୁଙ୍କ ପାଖକୁ ପଠା ଯାଇଥିଲା- ଯାହାର ଉତ୍ତରରେ (ତା ୦୭-୦୪-୨୦୧୧) ସେ ଲେଖିଲେ ଯେ ପ୍ରଶାନ୍ତ କୌଣସି ଭାବରେ ତାଙ୍କର ସମ୍ପର୍କୀୟ ନୁହନ୍ତି (‘no way related to me in whatsoever manner’). ଏହା ପ୍ରମାଣିତ ଯେ ପ୍ରଶାନ୍ତ ସାହୁଙ୍କର ଖୁଡି ଓ ଶ୍ରୀନିବାସ ସାହୁଙ୍କର ପୁତ୍ରବଧୁ ଦୁଇ ଭଉଣୀ ଓ ସେହି ସମ୍ପର୍କରେ ପ୍ରଶାନ୍ତ ସାହୁଙ୍କର ଅଜା ହେଉଛନ୍ତି ଶ୍ରୀନିବାସ । ଏହାକୁ ଅବଶ୍ୟ ସେ ନିକଟ ସମ୍ପର୍କ ବୋଲି ଅସ୍ୱୀକାର କରନ୍ତି ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନତକୋତ୍ତର ପରୀକ୍ଷାଦି ପରିଚାଳନା ପାଇଁ ଗାଇଡଲାଇନ୍ରେ ଥିବା ‘ନିକଟ ସମ୍ପର୍କର୍’  ର ପରିଭାଷାକୁ ଉଦ୍ଧାର କରନ୍ତି । କୁଳାଧିପତିଙ୍କୁ ଲେଖିଥିବା ପତ୍ରରେ (୨୬-୦୪-୨୦୧୧) ଏହି ଅଭିଯୋଗ ଉଠାଇଥିବା ବି.ମହାନ୍ତିଙ୍କର ଏହା ହତାଶା ଓ ଇର୍ଷାର ପରିପ୍ରକାଶ ବୋଲି ସେ ମନ୍ତବ୍ୟ କରନ୍ତି ।

ପ୍ରଶାନ୍ତଙ୍କ ଆର୍ôଥକ ଅନିୟମିତତା ଓ ବିଶ୍ୱବିଦ୍ୟାଳୟର ନୀରବତା

ପ୍ରଶାନ୍ତ ସାହୁଙ୍କର ଆର୍ôଥକ ଅନିୟମିତତା ଓ ଅନ୍ୟାନ୍ୟ ଆଚରଣ ବିଧି ଉଲଙ୍ଘନର ଦୃଷ୍ଟାନ୍ତ ସମ୍ବଳିତ ଅଭିଯୋଗ ପତ୍ର କୁଳାଧିପତିଙ୍କ ଦପ୍ତରକୁ ମାର୍ଚ୍ଚ ୨୦୦୨ରୁ ପଠାଯାଉଛି । ନାମଲେଖାରେ ପକ୍ଷପାତିତା, ଆର୍ôଥକ କ୍ଷମତାର ଅପବ୍ୟବହାର, ବିଶ୍ୱବିଦ୍ୟାଳୟ ଚାକିରୀରେ ଥାଇ ଏକ ଘରୋଇ କଲେଜରେ ସଂପାଦକ ହେବା ଇତ୍ୟାଦି ୧୦ଟି ଅଭିଯୋଗ (ଦ୍ରଷ୍ଟବ୍ୟ ସାରଣୀ-୧) ଏହି ଅଭିଯୋଗ ପତ୍ରରେ ଅଛି ବୋଲି ୨୬-୦୩-୨୦୦୨ଦିନ ନୋଟ ସିଟ୍ ରେ ଦରଜ ହୋଇଥିବା ବିବରଣୀରୁ ଜଣାପଡେ । ଏହି ଅଭିଯୋଗ ଉପରେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ମନ୍ତବ୍ୟ ମାଗିବା ପାଇଁ  ପ୍ରସ୍ତାବ ଦିଆଯାଏ ଓ କୁଳପତିଙ୍କୁ ପତ୍ର ଲେଖାଯାଏ କିନ୍ତୁ କୌଣସି ଉତ୍ତର ଆସେନା । ୦୨-୧୧-୨୦୦୨ସୁଦ୍ଧା କୁଳପତିଙ୍କୁ ସ୍ମରଣ କରାଇ ୩ଟି ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସେନା । ୧୩-୧୧-୨୦୦୨ଦିନ କୁଳପତିଙ୍କ ନାଁରେ ଚିଠି  (No.86/SG) ଲେଖି ପ୍ରଶାନ୍ତ ସାହୁଙ୍କ ବିରୁଦ୍ଧରେ ଅଭିଯୋଗ ଗୁଡିକ ଉପରେ ମନ୍ତବ୍ୟ ପଠାଇବାକୁ କୁହାଯାଏ, ତଥାପି ଉତ୍ତର ଆସେନା । ପୁଣି ଏକ ଚିଠି (No.10537/SG) ୨୬-୧୧-୨୦୧୧ଦିନ ଲେଖାଯାଏ, ଉତ୍ତର ଆସେନା । ୨୧-୦୧-୨୦୦୩ଦିନ କୁଳପତି ପାଣ୍ଡବ ନାୟକଙ୍କ ନାଁରେ ଏକ ପତ୍ର (No-98/SG) ପଠାଯାଏ, ଏହାର ମଧ୍ୟ ଉତ୍ତର ଆସେନା । ୨୮-୦୨-୨୦୦୩ରେ ଆଉ ଏକ ପତ୍ର (No-276/SG) ପଠାଯାଏ, ଏହି ପତ୍ରର ଉତ୍ତରରେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳସଚିବ କୁଳାଧିପତିଙ୍କ ଦପ୍ତରକୁ ଏକ ପତ୍ର (No-ESH-1/BX-11/14870) ୧୫-୦୩-୨୦୦୩ଦିନ ଲେଖନ୍ତି । ଇତ୍ୟବସରରେ ଏକବର୍ଷ ଅତିବାହିତ ହୋଇଯାଇଥିଲେ ହେଁ , ଅଭିଯୋଗ ଉପରେ ବିଶ୍ୱବିଦ୍ୟାଳୟ ତାର ରିପୋର୍ଟ ନ ପଠାଇ ବିଭାଗୀୟ ମୁଖ୍ୟ ଙ୍କର ଉତ୍ତରକୁ କେବଳ ଆଗକୁ ପଠାଇଦେବା (Forward)କୁ  କୁଳାଧିପତିଙ୍କ ଦପ୍ତର ନାପସନ୍ଦ କରନ୍ତି ଓ ବିଶ୍ୱବିଦ୍ୟାଳୟର ରିପୋର୍ଟ କୁଳସଚିବଙ୍କ ଠାରୁ ଚାହାନ୍ତି (No-514/SG. Dt 21.04.2003 ) । ଉତ୍ତର ଆସେନା ।

କୁଳାଧିପତିଙ୍କର ପ୍ରଶାନ୍ତଙ୍କ ବିରୁଦ୍ଧରେ ନିର୍ଦ୍ଦେଶ 

ବିଶ୍ୱବିଦ୍ୟାଳୟରୁ କୌଣସି ରିପୋର୍ଟ ନପାଇ ବିଭାଗୀୟ ମୁଖ୍ୟଙ୍କ ରିପୋର୍ଟକୁ ଭିତ୍ତିକରି, ଯୁଗ୍ମ ସଚିବ ୦୪-୧୧-୨୦୦୩ଦିନ ଦୁଇଟି ପ୍ରସ୍ତାବ କୁଳାଧିପତିଙ୍କ ଅନୁମୋଦନ ପାଇଁ କମିଶନର ସଚିବଙ୍କ ଠାରେ ଦାଖଲ କରନ୍ତି-ଅଭିଯୋଗକୁ ଦୁର୍ନୀତି ନିବାରଣ ବିଭାଗକୁ ଦିଆଯାଇ ବା ପ୍ରଶାନ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ (Charge frame) ପ୍ରସ୍ତୁତ କରାଯାଉ ଏବଂ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆ ନଯାଉା କମିଶନର ସଚିବ ଦ୍ୱିତୀୟ ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ କୁଳାଧିପତିଙ୍କ ଠାରେ ନୋଟ୍ ସିଟ୍ ଦାଖଲ କରନ୍ତି ଓ ୦୮-୧୨-୨୦୦୩ଦିନ ଏହାକୁ କୁଳାଧିପତି ଅନୁମୋଦନ କରନ୍ତି । ୨୦-୧୨-୨୦୦୩ଦିନ ଏହି ମର୍ମରେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ (No-2019/SG dated 20.12.2003) ~ûG ù~ “Proceedings may please be drawn-up against Prof. P.K. Sahu for the delinquencies made out in the petition of Sri S.K. Das, Advocate communicated vide this office letter No 3417/SG dated 09.04.2002. Further the Hon’ble Chancellor has been pleased to order that Prof. Sahu may please be disengaged from important extra-teaching assignments, if any.”

ନିର୍ଦ୍ଦେଶ ବିରୁଦ୍ଧରେ ପ୍ରଶାନ୍ତଙ୍କର ଆବେଦନ ଓ କୋହଳ କୁଳାଧିପତି ଦପ୍ତର

ଉପଲବ୍ଧ ସୂଚନାରୁ ଜଣାପଡେ ଯେ ୦୬-୦୩-୨୦୦୬ଦିନ ପ୍ରଶାନ୍ତ ସାହୁ କୁଳାଧିପତିଙ୍କୁ ନିବେଦନ କରନ୍ତି ଯେ, ଯେହେତୁ ଉପରୋକ୍ତ ନିର୍ଦ୍ଦେଶ ଏକ ବେନାମୀ ଅଭିଯୋଗ ପତ୍ରକୁ ଭିତ୍ତି କରି ହୋଇଛି ଓ ଅଭିଯୋଗ ଗୁଡିକର ସତ୍ୟତାକୁ ଯାଞ୍ଚ ନ କରାଯାଇ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଅନ୍ତର ରଖାଯାଉଛି, ତେଣୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ  ପ୍ରତ୍ୟାହାର କରି ତାଙ୍କୁ ବରିଷ୍ଠତା ଭିତ୍ତିରେ ବିଭାଗୀୟ ମୁଖ୍ୟ ଭାବେ ଅବସ୍ଥାପିତ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଉ । ଏହି ଆବେଦନକୁ ବିଚାରକୁ ନେଇ ତଦନାନ୍ତିତ ଅନୁସଚିବ (Under Secretary) ୧୬-୦୩-୨୦୦୬ରେ ଲେଖନ୍ତି ଯେ
(କ) ପ୍ରଶାନ୍ତ ସାହୁଙ୍କର ଆବେଦନ ପତ୍ରକୁ ବିଶ୍ୱବିଦ୍ୟାଳୟକୁ ପଠାଇ ଦିଆଯାଉ ଓ ନିର୍ଦ୍ଦେଶ ଦିଆଯାଉ ଯେ ବିଶ୍ୱବିଦ୍ୟାଳୟ ପ୍ରଶାନ୍ତ ସାହୁଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ଦେବ ।
(ଖ) ବିଶ୍ୱବିଦ୍ୟାଳୟରୁ ଏହି ମର୍ମରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନଦେବା ପାଇଁ ନିର୍ଦ୍ଦେଶର କାର୍ଯ୍ୟକାରୀତାକୁ ସ୍ଥଗିତ ରଖାଯାଉ ।
କମିଶନର ସଚିବ ପ୍ରଥମଟି ସହିତ ଏକମତ ହୁଅନ୍ତି କିନ୍ତୁ ଦ୍ୱିତୀୟଟି ସହ ଏକମତ ହୁଅନ୍ତି ନାହିଁ ବରଂ ପ୍ରଶାନ୍ତ ଦୋଷମୁକ୍ତ ବୋଲି ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ ଦେବାର ନିର୍ଦ୍ଦେଶ କାଏମ ରହିବ (Till the matter is concluded exonerating  Sri Sahu the order may stand) ବୋଲି ୧୮-୦୩-୨୦୦୬ଦିନ ମନ୍ତବ୍ୟ ଦିଅନ୍ତି  । ଏହାକୁ ସେହିଦିନ ରାଜ୍ୟପାଳ ଅନୁମୋଦନ କରନ୍ତି । ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୨୧-୦୩-୨୦୦୬ଦିନ ଏହି ମର୍ମରେ ପତ୍ର (No-327/SG) ଲେଖାଯାଏ ଓ ପୁନର୍ବାର ୦୮-୦୫-୨୦୦୬ରେ ଆଉ ଏକ ପତ୍ର (No-1133/SG) ମଧ୍ୟ ଲେଖା ଯାଏ ।
(କୁଳାଧିପତିଙ୍କ ଦପ୍ତରରୁ ଉପଲବ୍ଧ ଦସ୍ତାବିଜକୁ ଭିତ୍ତିକରି ଏହିଠାରେ ଜଣାଇବା ପ୍ରାସଙ୍ଗିକ ହେବ ଯେ କୁଳାଧିପତିଙ୍କ ଦପ୍ତରରୁ ବିଶ୍ୱବିଦ୍ୟାଳୟକୁ ଆସିଥିବା ପତ୍ର (ନଂ. ୩୪୧୭ ତା ୦୯-୦୪-୨୦୦୨) ଅନୁସାରେ ପ୍ରଶାନ୍ତଙ୍କୁ ତାଙ୍କ ବିରୁଦ୍ଧରେ ଏସ.କେ.ଦାସ ଆଗତ କରିଥିବା ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇ ଏକ କାରଣ ଦର୍ଶାଅ ନୋଟିସ (Estt.I/BX-II/Part/28237 dt 27.04.2002) ଜାରି କରାଯାଇଥିଲା । ଯାହାର ସେ ଉତ୍ତର ଦେଇଥିଲେ ୦୨-୦୫-୨୦୦୨ଦିନ । ତକ୍ରାଳୀନ ବିଭାଗୀୟ ମୁଖ୍ୟ ତାଙ୍କର ରିପୋର୍ଟ ଦାଖଲ କରିଥିଲେ ୧୭-୦୫-୨୦୦୨ଦିନ । ଅର୍ଥାତ୍ ୨୦-୧୨-୨୦୦୩ଦିନ କୁଳାଧିପତିଙ୍କ ଦପ୍ତରରୁ ଯାଇଥିବା ନିର୍ଦ୍ଦେଶର ବହୁପୂର୍ବରୁ ଯେ ପ୍ରଶାନ୍ତ ତାଙ୍କ ପକ୍ଷ ରଖିଥିଲେ ଏହାହିଁ ଦସ୍ତାବିଜ କହୁଛି । ତେଣୁ ପକ୍ଷ ରଖିବାର ସୁଯୋଗୁରୁ ବଞ୍ଚିତ ହୋଇଛନ୍ତି ବୋଲି ପ୍ରଶାନ୍ତ ଅଭିଯୋଗ କରିବା ଯଥାର୍ଥ ନୁହେଁ । )
ଇତ୍ୟବସରରେ ୨୨-୦୫-୨୦୦୬ଦିନ ପୁଣି ସମାନ ଆବେଦନ ପ୍ରଶାନ୍ତ କରନ୍ତି କୁଳାଧିପତି ମହୋଦୟଙ୍କୁ ନୂତନ ଅନୁସଚିବ ଏହି ଆବେଦନ ପତ୍ରକୁ ବିଚାର କରି ୨୩-୦୬-୨୦୦୬ଦିନ ପ୍ରସ୍ତାବ ଦିଅନ୍ତି ଯେ ୨୦-୧୨-୨୦୦୩ରେ ପୂର୍ବତନ କୁଳାଧିପତି ଯେଉଁ ନିର୍ଦ୍ଦେଶ ପ୍ରଶାନ୍ତଙ୍କ ବିରୁଦ୍ଧରେ ଦେଇଥିଲେ ତାହାକୁ ପ୍ରତ୍ୟାହାର କରିନେବା ପାଇଁ ବିଚାର କରାଯାଉ । କାରଣ ଏହି ନିର୍ଦ୍ଦେଶ ଦିଆଯାଇଛି ଏକ ବେନାମୀ ଅଭିଯୋଗ ଉପରେ, ଅଭିଯୋଗର ସତ୍ୟତା ଯାଞ୍ଚ କରାଯାଇ ନାହିଁ , କୁଳାଧିପତିଙ୍କର ନିର୍ଦ୍ଦେଶ ସତ୍ତେ୍ୱ ପ୍ରଶାନ୍ତଙ୍କୁ କୁଳପତିଙ୍କ ଠାରେ ବ୍ୟକ୍ତିଗତ ଶୁଣାଣୀର ସୁଯୋଗ ଦିଆଯାଇ ନାହିଁ ଓ ବିଶ୍ୱବିଦ୍ୟାଳୟ କୌଣସି ରିପୋର୍ଟ ଏହି ଅଭିଯୋଗ ଗୁଡିକ ଉପରେ ଦାଖଲ କରିପାରି ନାହିଁ । କହିବା ବାହୁଲ୍ୟ ଯେ ନୂତନ ଅନୁସଚିବ ପ୍ରଶାନ୍ତଙ୍କ ପ୍ରତି ବେଶ ସହାନୁଭୂତିଶୀଳ ହୋଇପଡନ୍ତି । କିନ୍ତୁ କମିଶନର ସଚିବ ପ୍ରତ୍ୟାହାର ପ୍ରସ୍ତାବକୁ ପସନ୍ଦ କରିଥିଲେ ହେଁ ଏହା ସହ ଏକମତ ନ ହୋଇ କୁଳପତି କାହିଁକି କୁଳାଧିପତିଙ୍କ ଦପ୍ତରରୁ ଯାଉଥିବା ନିର୍ଦ୍ଦେଶକୁ ବାରମ୍ବାର ଅମାନ୍ୟ କରୁଛନ୍ତି- ଏହି ମର୍ମରେ ତାଙ୍କ ବ୍ୟକ୍ତିଗତ ନାମରେ ଏକ କଡା ଚିଠି ଲେଖାଯାଉ ବୋଲି ପ୍ରସ୍ତାବ ଦିଅନ୍ତି – ଯାହା କୁଳାଧିପତି ମହୋଦୟଙ୍କ ଦ୍ୱାରା ଗୃହୀତ ହୁଏ ଓ କୁଳପତି ଏଲ.ଏନ.ମିଶ୍ର (L.N.Mishra)ଙ୍କୁ ୩୦-୦୬-୨୦୦୬ଦିନ (No-1337/SG) ପତ୍ର ଲେଖାଯାଏ । ଏହି ପତ୍ରର ଉତ୍ତରରେ ୨୪-୦୭-୨୦୦୬ଦିନ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳସଚିବ ଏସ.କେ. ଦାସଙ୍କ ଅଭିଯୋଗ ପତ୍ର ଉପରେ ବହୁ ପ୍ରତୀକ୍ଷିତ ରିପୋର୍ଟ (No-44885/06) ପଠାନ୍ତି ଓ ଏହା ଅନ୍ତରାଣ ରିପୋର୍ଟ (Interim report) – ଚୁଡାନ୍ତ ରିପୋର୍ଟ ନୁହେଁ ଏହା ମଧ୍ୟ ଉଲ୍ଲେଖ କରନ୍ତି । ଉଲ୍ଲେଖ ଯୋଗ୍ୟ ଯେ  ଏହି ଚୁଡାନ୍ତ ରିପୋର୍ଟ ୧୭-୦୨-୨୦୧୧ପର୍ଯ୍ୟନ୍ତ କୁଳାଧିପତିଙ୍କ ଦପ୍ତରରେ ଉପଲବ୍ଧ ହୋଇନଥିଲା ବୋଲି କୁଳାଧିପତିଙ୍କ ଦପ୍ତରରୁ ଲୋକ ସୂଚନା ଅଧିକାରୀ ଓ ଯୁଗ୍ମ ସଚିବଙ୍କ ପତ୍ର (No-UI-16/2011/160/SG(HE)) ରୁ ଜଣାପଡେ । ତେଣୁ ମଇ ୨୦୧୧ ପ୍ରଥମ ସପ୍ତାହରେ ପ୍ରଶାନ୍ତ ସାହୁ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ହେବା ପରେ ଚୁଡାନ୍ତ ରିପୋର୍ଟର ସ୍ଥିତି କ’ଣ ତାହା ବାସ୍ତବିକ ଅନୁସନ୍ଧାନ ସାପେକ୍ଷ ।

ପ୍ରଶାନ୍ତଙ୍କ ବିରୁଦ୍ଧରେ ନିର୍ଦ୍ଦେଶ ପ୍ରତ୍ୟାହାର ନିଷ୍ପତ୍ତି ଓ ବ୍ୟୁତ୍ପତ୍ତିରେ ବିସଙ୍ଗତି

ତେବେ ବିଶ୍ୱବିଦ୍ୟାଳୟ ତରଫରୁ ଦାଖଲ ଏହି ରିପୋର୍ଟ, ଅନ୍ତରୀଣ ହେବା ସତ୍ତେ୍ୱ- କୁଳାଧିପତିଙ୍କ ଦପ୍ତରରେ ଉପଶାସନ ସଚିବ (ଏହା ପୂର୍ବରୁ ମହାଶୟ ଥିଲେ ଅନୁସଚିବ ଓ ୨୩-୦୬-୨୦୦୬ଦିନ ଉପର୍ଲିଖିତ ପ୍ରସ୍ତାବର ଲେଖକ) ଏହି ରିପୋର୍ଟକୁ ବିଚାର କରି ଯେଉଁଠାରେ ଅଭିଯୋଗ ସମ୍ପର୍କରେ ରିପୋର୍ଟ ‘ଉତ୍ତର ଅପେକ୍ଷା’ରେ ବୋଲି ଉଲ୍ଲେଖ କରିଛି ସେଠି ପ୍ରଶାନ୍ତଙ୍କର ଉତ୍ତରକୁ ଶେଷକଥା ଧରିନେଇ, ପ୍ରସ୍ତାବ ଦେଲେ ଯେ ସମତା,ନ୍ୟାୟ ଓ ସୁବିଚାର ଦୃଷ୍ଟିରୁ, ୨୦-୧୨-୨୦୦୩ରେ ଦିଆଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ଯଥେଷ୍ଟ ଯଥାଯଥ କାରଣ ରହିଛି । ତାଙ୍କ ବ୍ୟୁତ୍ପତ୍ତି ଅନୁସାରେ ୨୦-୧୨-୨୦୦୩ର ନିର୍ଦ୍ଦେଶ ବହନ କରୁଥିଲା ପୂର୍ବାନୁମାନ  ଯେ ପ୍ରଶାନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଅନ୍ତର କରିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହେବା କଥା । ଏହା ନକରି ପ୍ରଶାନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ଅନ୍ତର କରିବା ସ୍ୱାଭାବିକ ନ୍ୟାୟର ପରିପନ୍ଥୀ (ତାହା ପୁଣି ଗୋଟିଏ ବେନାମୀ ଅଭିଯୋଗ ପତ୍ର ଉପରେ) । (“The orders of the Hon’ble Chancellor presupposes that before disengaging him from important assignments charges must be drawn up against him. Therefore, as per the sound interpretation of charges against Dr. Sahu must proceed before disengagement from important assignments. xxx disengaging Dr. Sahu from important assignments without charge sheeting him is against the pronciples of natural justice and this is more debilitating when such action is based on an anonymous allegation without ascertaining its verifying.”)  ଅର୍ଥାତ୍ ଏହି ଅଧିକାରୀଙ୍କ ବ୍ୟୁତ୍ପତ୍ତି ଅନୁସାରେ  ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ  କାହାରିକୁ ନିଲମ୍ବନ କରିହେବ ନାହିଁ ବା ଅଫିସର ମାନଙ୍କଠାରୁ ଦାୟିତ୍ୱ କାଢି ନେବାକୁ ଅନ୍ୟାୟ ବୋଲି ଧରାଯିବ । କିନ୍ତୁ ମଜାକଥା ହେଉଛି ଏହିଭଳି ବ୍ୟୁତ୍ପତ୍ତି ଏହି ମହାଶୟ ତାଙ୍କର ୨୩-୦୬-୨୦୦୬ରେ ଦେଇଥିବା ମନ୍ତବ୍ୟ ରେ କରିନାହାନ୍ତି ଯଦିଓ ସେଠାରେ ପ୍ରଶାନ୍ତଙ୍କ ବିରୁଦ୍ଧରେ କୁଳାଧିପତିଙ୍କ ନିର୍ଦ୍ଦେଶ ପ୍ରତ୍ୟାହାରର ପ୍ରସ୍ତାବ ରଖିଥିଲେ । ଏହା ମହାଶୟଙ୍କ ପୂର୍ବରୁ ଯିଏ ଅଧିକାରୀ ଥିଲେ, ସେ ୧୬-୦୩-୨୦୦୬ରେ ନୋଟସିଟ୍ରେ ସ୍ପଷ୍ଟ ଲେଖିଥିଲେ ଯେ କୁଳାଧିପତିଙ୍କର ନିର୍ଦ୍ଦେଶ ହେଉଛି ପ୍ରଶାନ୍ତଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ପ୍ରସ୍ତୁତ କରାହେଉ ଏବଂ ଏହାକୁ ଅପେକ୍ଷା ନକରି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଅନ୍ତର କରାଯାଉ । (“The University was instructed to draw up charges against Prof. Sahu for the said delinquencies and pending that, disengage him from important assignments.”) ତେବେ କୁଳାଧିପତିଙ୍କର (No-2019/SG dt 20.12.2003)ର ନିର୍ଦ୍ଦେଶକୁ  ପ୍ରତ୍ୟାହାର କରାଇବା ପାଇଁ ପ୍ରସ୍ତାବ କମିଶନର ସଚିବ ଓ କୁଳାଧିପତିଙ୍କ ଦ୍ୱାରା ଗୃହୀତ ହୋଇଗଲା ଓ ୦୯-୦୮-୨୦୦୬ଦିନ ଏହି ନିଷ୍ପତ୍ତି (Letter No.1479/SG) କୁଳପତିଙ୍କୁ ଜଣାଇ ଦିଆଗଲା, ପ୍ରତିଲିପି (No-1480/SG) ପ୍ରଶାନ୍ତ ସାହୁଙ୍କୁ ଦିଆଗଲା । ଏହି ପ୍ରସଙ୍ଗରେ ବହୁ  କୁଣ୍ଠାର ସହିତ ଉତ୍ତର ଫେରାଉଥିବା ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଶାସନ ସହସା ୨୩-୦୮-୨୦୦୬ଦିନ କୁଳାଧିପତିଙ୍କ ଦପ୍ତରକୁ ଜଣାଇ ଦେଲେ ଯେ ଆଦେଶାନୁମତେ ପଦକ୍ଷେପ ନିଆଯିବ ।

ଦୁର୍ନୀତି ନିବାରଣ ବିଭାଗର ପ୍ରବେଶ
କୁଳାଧିପତିଙ୍କ ନୂତନ ନିର୍ଦ୍ଦେଶ ଫଳରେ ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର ହେଲା ଓ  ପ୍ରଶାନ୍ତ ପୁନର୍ବାର ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଇତ୍ୟାଦି ଗୁରୁତ୍ୱପର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବାର ଅଧିକାର ପାଇଗଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ସ୍ପେଶିଆଲ ଅଡିଟ୍ ରିପୋର୍ଟକୁ ଭିତ୍ତିକରି ଯେଉଁ ଅଭିଯୋଗ ହୋଇଥିଲା ଓ ତାହାର ଉତ୍ତରରେ ବିଶ୍ୱବିଦ୍ୟାଳୟ ପ୍ରଶାନ୍ତଙ୍କର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକାଳ ସମୟର ଖାତା ବା ଆକାଉଣ୍ଟର ତାଜା ଯାଞ୍ଚ ଚାଲିଛି ଓ ରିପୋର୍ଟକୁ ଅପେକ୍ଷା କରାଯାଉଛି ବୋଲି ଅନ୍ତରୀଣ ରିପୋର୍ଟ ଲେଖିଥିଲେ, ତାହାର ପରବର୍ତ୍ତୀ ଘଟଣାକ୍ରମେ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ଉଲ୍ଲେଖ ଯୋଗ୍ୟ ଯେ ଏହା ଦୁର୍ନୀତି ନିବାରଣ ବିଭାଗର ଦୃଷ୍ଟି ଆକର୍ଷଣ କରିଛି ।
ଉପଲବ୍ଧ ଦସ୍ତାବିଜରୁ ଜଣାପଡେ ଯେ ୧୪-୦୮-୨୦୦୭ଦିନ ଅର୍ଥ ନିୟନ୍ତ୍ରକ (Comptroller of Finance) ପ୍ରଶାନ୍ତଙ୍କୁ ଏକ ପତ୍ର (No.F.Aud/399(part)/A3525/2007) ଲେଖି ଜଣାନ୍ତି ଯେ, ସେ (ପ୍ରଶାନ୍ତ) ଅଡିଟ୍ ଆପତ୍ତି (Audit Objection) ର ଉତ୍ତରରେ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ତାହା ଅଡିଟର ପ୍ରକୃତ ଉଦ୍ଦେଶ୍ୟକୁ ସାଧିତ କରୁନାହିଁ । ୧୫ଦିନ ଭିତରେ ଏକ Comprehensiveରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଅନ୍ତି । ଯେଉଁ ଅର୍ଥର ବ୍ୟୟକୁ ଅଡିଟ ଆପତ୍ତି କରୁଛି ତାହାକୁ କିପରି ଆଦାୟ କରାଯିବ ତାହାର ଏକ ଉପାୟ ବାହାର କରିବା ପାଇଁ ନିର୍ଦ୍ଦେଶ ୦୭-୦୬-୨୦୦୮ରେ ଦିଆଯାଇଥିବାର ସୂଚନା ମିଳୁଛି । କିନ୍ତୁ ଏହାପରେ ଏହି ବିଷୟଟି ପୁଣି ଉଠିଛି ଯେତେବେଳେ ଦୁର୍ନୀତି ନିବାରଣ ବିଭାଗର ଦପ୍ତରରୁ ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ୨୬-୦୭-୨୦୧୧ଦିନ ଏକ ପତ୍ର (No. 9766/VSS,BBSR) ବିଶ୍ୱବିଦ୍ୟାଳୟକୁ ଆସିଛି । ଯାହା ପ୍ରାପ୍ତ ଦସ୍ତାବିଜରୁ ଜଣାଯାଉଛି -ଏହିପତ୍ର ଆସିବା ପରେ ପ୍ରଶାନ୍ତଙ୍କ ନାଁରେ ଥିବା ସମସ୍ତ ଅଡିଟ୍ ଆପତ୍ତିକୁ ପୁନଃବିଚର କରି ଖାରଜ କରିଦିଆଯାଇଛି, ଯାହାକୁ ନିଜେ କୁଳପତି ଭାବେ ପ୍ରଶାନ୍ତ ୧୯-୦୯-୨୦୧୧ ଓ ୨୪-୦୯-୨୦୧୧ଦିନ ଅନୁମୋଦନ ପ୍ରଦାନ କରିଛନ୍ତି  ଅର୍ଥାତ୍ ଭିଜିଲାନ୍ସ ତଦନ୍ତର ପ୍ରକ୍ରିୟା ଆରମ୍ଭ ହେଉ ହେଉ ପ୍ରଶାନ୍ତ ତାଙ୍କ ନିଜ ବିରୋଧରେ ଥିବା ଅଡିଟ୍ ଆପତ୍ତି ଗୁଡିକୁ ନିଜେ କୁଳପତି ଭାବେ ଖାରଜ କରିଦେଇଛନ୍ତି । ନିଜେ ନିଜର ବିଚାରକ ହୋଇଛନ୍ତି । ଏହା ଭିଜିଲାନ୍ସ ତଦନ୍ତ ଦୃଷ୍ଟିରେ କେଉଁ ମୋଡ ନେବ- ତାହା ଭବିଷ୍ୟତ ହିଁ କହିବ ।
ଉପରୋକ୍ତ ଅନୁସନ୍ଧାନରୁ ଜଣାଯାଉଛି ଯେ ପ୍ରଶାନ୍ତ ସାହୁଙ୍କର ବିରୁଦ୍ଧରେ ଅଭିଯୋଗ ବେଶ ପୂରାତନ ତାଙ୍କର କୁଳପତି ନିଯୁକ୍ତିର ପ୍ରାୟଃ ଦଶବର୍ଷ ପୂର୍ବରୁ ହିଁ କୁଳାଧିପତିଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ଏହା ତାଙ୍କର ସୌଭାଗ୍ୟ ଯେ  ଏହି ଅଭିଯୋଗ ଗୁଡିକ ଏବେ ବି ଜୀବନ୍ତ ଥିବା ସତ୍ତେ୍ୱ ତାଙ୍କର ପଦୋନ୍ନତିରେ ବାଧକ ହୋଇପାରି ନାହାନ୍ତି । ସେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଅଧିଷ୍ଠିତ ହୋଇ ପାରିଛନ୍ତି ।

Print Friendly, PDF & Email