ଜଗତସିଂହପୁର ପ୍ରଶାସନ ଇତ୍ୟବସରରେ ଘୋଷଣା କରିଦେଇଛି ଯେ ଦକ୍ଷିଣ କୋରିଆର ଇସ୍ପାତ କଂପାନି ପୋସ୍କୋ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଛି । ଗୋବିନ୍ଦପୁର ଗ୍ରାମବାସୀଙ୍କର ଅକ୍ତିଆରରେ ଥିବା ଅବଶିଷ୍ଟ କେତୋଟିି ପାନ ବରଜ ଭାଂଗି ସାରିଲା ପରେ ପ୍ରଶାସନ ଏହି ଘୋଷଣା କରିଛି । ଏବଂ ଯାହା ଅଭିଭୂତ କରିଛି ତାହା ହେଉଛି ଗୋବିନ୍ଦପୁରର ଅଧିବାସୀ ମାନଙ୍କର ପ୍ରାଣମୁର୍ଚ୍ଛା ବିରୋଧର ଦୃଶ୍ୟ ; ଯାହା ଲଜ୍ଜିତ କରିଛି ତାହା ହେଉଛି ଏହି ବିରୋଧ ବେଳେ ଢିଙ୍କିିଆ ଗ୍ରାମବାସୀଙ୍କର ଉଦାସୀନତା । ଏହି ଉଦାସୀନତା ନିଃଶବ୍ଦ ବୟାନ କରୁଥିଲା ପ୍ରଶାସନର ସଫଳତା, ଯେ ଏକଦା ଏକଜୁଟ ହୋଇ ପୋସ୍କୋ ପ୍ରତିରୋଧ ଗଣସଂଗ୍ରାମ ସମିତିର ପତାକା ତଳେ ପୋସ୍କୋ ପ୍ରକଳ୍ପର ପ୍ରତିଷ୍ଠାକୁ ବିରୋଧ କରୁଥିବା ଏହି ଦୁଇ ଗ୍ରାମବାସୀଙ୍କର ଏକତାକୁ ସେ ଭାଂଗି ଦେଇ ପାରିଲା । ତାହାଲେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଏହି ଆନ୍ଦୋଳନର କଣ ମୃତ୍ୟୁ ହେଲା ! କ୍ଷେତ୍ରରେ ଯେଉଁ ମାନେ ସକ୍ରିୟ ଅଥଚ ନେତା ଶ୍ରେଣୀ ଭୁକ୍ତ ନୁହଁନ୍ତି, ସେମାନେ ଆନ୍ଦୋଳନର ମୃତ୍ୟୁ ହୋଇଛି ବୋଲି ସ୍ୱୀକାର କଲାବେଳେ, ପୋସ୍କୋ ପ୍ରତିରୋଧ ଗଣସଂଗ୍ରାମ ସମିତିର ସଂପାଦକ ଢିଙ୍କିଆ ଗ୍ରାମ ନିବାସୀ ଶ୍ରୀମାନ ଶିଶିର ମହାପାତ୍ର ଏହି ଆନ୍ଦୋଳନ ଚାଲିବ ବୋଲି ଦାବି କରନ୍ତି । ଏହି ଭଳି ଦାବିକୁ କେହି କେହି ଉପହାସ କଲେ ମଧ୍ୟ ସେମାନେ ଆଦୈା ଏହି ଦାବିକୁ ନିରାଧାର ବୋଲି ବିଚାର କରିବେ ନାହିଁ, ଯେଉଁମାନେ ଜାଣନ୍ତି ଯେ ପୋସ୍କୋ ପ୍ରକଳ୍ପର ମୂଳ ଲକ୍ଷ୍ୟ ୨୭୦୦ ଏକର ନୁହେଁ ବରଂ ୪୦୦୪ ଏକର । ତେଣୁ ୨୭୦୦ ଏକର ଉପରେ ଠିଆ ହେଲା ପରେ ପୋସ୍କୋ ଅବଶିଷ୍ଟ ଜମି ହାସଲ କରିବା ପାଇଁ ଢିଙ୍କିଆ ଆଡକୁ ହିଁ ମୁହାଁଇବ । ତେଣୁ ଢିଙ୍କିଆ ନିବାସୀ ଶିଶିର ବାବୁ ଏହି ଭବିତବ୍ୟ ପ୍ରତି ସଚେତନ ଥିବାରୁ ଆନ୍ଦୋଳନ ଚାଲିବ ବୋଲି ଯଥାର୍ଥରେ କହିଛନ୍ତି । ଏହା ଭିନ୍ନ କଥା ଯେ ଏହା ଢିଙ୍କିଆ ସୁରକ୍ଷା ଆନ୍ଦୋଳନରେ ହିଁ ସୀମିତ ରହିବ । କେତେଦୂର ଢିଙ୍କିଆକୁ ସୁରକ୍ଷିତ ରଖା ଯାଇ ପାରିବ ତାହା ସମୟ ହିଁ କହିବ ।
ଯେଉଁମାନେ ଆନ୍ଦୋଳନର ଗତିକୁ ନିରୀକ୍ଷଣ କରୁଛନ୍ତି, ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଆକଳନ କରୁଛନ୍ତି, ସେମାନେ ବୋଧହୁଏ ଏହି ଭ୍ରମରେ ରହିବାକୁ ଚାହାନ୍ତି ନାହିଁ ଯେ ଆନ୍ଦୋଳନ ବଂଚିଛି । ବରଂ ସେମାନେ ମନେ କରନ୍ତି ଯେ ଆନ୍ଦୋଳନର ମୃତ୍ୟୁ ହୋଇଛି ବୋଲି ସ୍ୱୀକାର କରାଯାଉ ଓ ଜନଗଣଙ୍କ ଭିତରେ ପ୍ରତିରୋଧ କରିବାର ସାମର୍ଥ୍ୟ ଜୀବନ୍ତ ଥିବା ବେଳେ ଓ ଏହାକୁ ଆଠ ବର୍ଷ ଯାଏ ଚଳାଇ ରଖିବା ପରେ ଆନ୍ଦୋଳନର କାହିଁକି ସହସା ମୃତ୍ୟୁ ହେଲା ତାହାର ଏକ ନିଃଷ୍ପକ୍ଷପାତ ଅନୁଶୀଳନ କରାଯାଉ ଯାହାଦ୍ୱାରା ଭବିଷ୍ୟତ ଆନ୍ଦୋଳନ ଗୁଡିକ ସଠିକ ବାଟରେ ଯାଇ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ । ଏହି ନିବନ୍ଧରେ ଆନ୍ଦୋଳନର ଦୁଇଟି ଦିଗ ଉପରେ ସଂକ୍ଷିପ୍ତ ଆଲୋଚନା କରାଯିବ । ପ୍ରଥମ ଟି ହେଉଛି ଏହି ଅଂଚଳର ଅଧିବାସୀଙ୍କ ଭିତରେ ଦୃଶ୍ୟମାନ ଲଢୁଆ ମାନସିକତାର ଏତିହାସିକ ପୃଷ୍ଠଭୂମି । ଦ୍ୱିତୀୟ ଟି ହେଉଛି ରାଜନୈତିକ ଦଳର ନିୟନ୍ତ୍ରଣରେ ଜନ ଆନ୍ଦୋଳନର ନେତୃତ୍ୱ ।
ପୋସ୍କୋ ପ୍ରତିରୋଧ ଆନ୍ଦୋଳନର କ୍ଷେତ୍ରାଂଚଳରେ ବିଦ୍ରୋହର ଇତିହାସ
ଏହି କ୍ଷେତ୍ରାଂଚଳ କୁଜଂଗ ତହସିଲ ଅର୍ନ୍ତଭୁକ୍ତ ବୋଲି ଆମେ ଯଦି ସ୍ମରଣ କରୁ ତାହାଲେ ଏହି ଅଂଚଳରେ ବିଦ୍ରୋହ/ବିରୋଧର ଏକ ବଳିଷ୍ଠ ପରଂପରା ଅଛି ବୋଲି ଇତିହାସ ପୃଷ୍ଠାରୁ ଜଣା ପଡେ । କାରଣ ଇତିହାସ କୁହେ ଯେ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ (ମାର୍ଚ୍ଚ, ୧୮୧୭) ଖୋର୍ଦ୍ଦାରେ ମୁଣ୍ଡ ଟେକିଥିବା ବ୍ରିଟିଶ କମ୍ପାନୀ ସରକାର ବିରୁଦ୍ଧରେ ଓଡିଶା ମାଟିରେ ପ୍ରଥମ ବିଦ୍ରୋହ -ପାଇକ ବିଦ୍ରୋହ କୁଜଂଗ ଅଂଚଳକୁ ମଧ୍ୟ ବ୍ୟାପି ଯାଇଥିଲା ଓ କୁଜଂଗର ପାଇକ ମାନେ ବାମଦେବ ପାଟଜୋଶୀ ଓ ନାରାୟଣ ପରମଗୁରୁଙ୍କ ନେତୃତ୍ୱରେ ବ୍ରିଟିଶ କମ୍ପାନୀ ସରକାର ବିରୁଦ୍ଧରେ ଯେ ବିଦ୍ରୋହ ଆରମ୍ଭ କରିଦେଇଥିଲେ କେବଳ ସେତିକି ନୁହେଁ ବ୍ରିଟିଶ ଶାସକଙ୍କ ଦ୍ୱାରା କୁଜଂଗ ର ରାଜା ଭାବେ ଅବସ୍ଥାପିତ ବିତାଡିତ ରାଜା ଚନ୍ଦ୍ରଧ୍ୱଜଙ୍କର ଭାଇ ମଧୁସୂଦନ ସେଣ୍ଡଙ୍କୁ ମଧ୍ୟ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ବିଦ୍ରୋହୀ କରାଇଦେଇଥିଲେ । ଏହି ବିଦ୍ରୋହକୁ ଦମନ କରିବା ପାଇଁ ପଠାଯାଇ ଥିବା ବ୍ରିଟିଶ ସେନା ଅଧିକାରୀ Captain Kennet କୁଜଂଗ ରାଜାଙ୍କୁ ହିଁ କୁଜଂଗରେ
ବିଦ୍ରୋହ ପାଇଁ ଦାୟୀ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ । ସେ ଲେଖିଥିଲେ ଯେ ରାଜା ବିଦ୍ରୋହର ନେତା ମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ ବିଦ୍ରୋହର ନେତୃତ୍ୱ ନେଇଛନ୍ତି । (Raja was persuaded by the ringleaders ‘to head an insurrection among the people against the authority of the British Government’ \âÁaý: Utkal University History of Orissa, Vol. VI, P.Mukharjee, 1964, p.98-99 )ଏହା ଭିନ୍ନ କଥା ଯେ କୁଜଂଗ ରାଜା ବ୍ରିଟିଶ ଶାସକ ନିକଟରେ ଶେଷକୁ ଆତ୍ମ ସମର୍ପଣ କରିଦେଇଥିଲେ ଓ ସେ ନିର୍ଦ୍ଦୋଷ ବୋଲି ସରକାରଙ୍କ ଠାରେ ଗୁହାରୀ କରିଥିଲେ । କିନ୍ତୁ ତାଙ୍କୁ ପ୍ରରୋଚିତ କରିଥିବା ବାମଦେବ ଓ ନାରାୟଣ ଦେଶଦ୍ରୋହ ଓ ସଶସ୍ତ୍ର ବିଦ୍ରୋହ ଅଭିଯୋଗରେ ଜୀବନ ବ୍ୟାପୀ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଐତିହାସିକ ତଥ୍ୟ ଦର୍ଶାଉଛି କୁଜଂଗ ଅଂଚଳ ଅଧିବାସୀଙ୍କର ଧମନୀରେ ବିଦ୍ରୋହ/ବିରୋଧର ଶକ୍ତିର ପ୍ରବାହ । ଇତିହାସ ମଧ୍ୟ ଜଣାଏ ଯେ ଖୋର୍ଦ୍ଦାରେ ପାଇକ ବିଦ୍ରୋହର ମୂଳରେ ଥିଲା ଜୀବନ ଜୀବିକାର ଆଧାରରୁ ଉଚ୍ଛେଦ ଜନିତ ପୁଂଜିଭୂତ ଅସଂନ୍ତୋଷ । ପାଇକ ମାନେ ସେମାନଙ୍କ ଚାଷଜମିରୁ ଉଚ୍ଛେଦ ହେଉଥିଲେ ଓ ଜାଗିର-ଜମିଦାରୀରୁ ଉଚ୍ଛେଦ ହେଉଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ପରି ସମ୍ଭ୍ରାନ୍ତ ବ୍ୟକ୍ତି ବିଶେଷ । ୧୮୧୭ ମସିହାରେ ବିଦ୍ରୋହର ସ୍ୱର ଶୁଭିବା ପୂର୍ବରୁ, ପାଇକ ମାନଙ୍କର ଦୁରାବସ୍ଥା ସଂପର୍କରେ କତକର କଲେକ୍ଟର W. Trower ରାଜସ୍ୱ ପରିଷଦ ସଭ୍ୟଙ୍କ ସଚିବ G. Warde ଙ୍କ ନିକଟକୁ ପାଇକ ମାନଙ୍କ ଦୁର୍ଦ୍ଦଶା ସଂପର୍କରେ ଯାହା ଲେଖନ୍ତି ତାହା ଉଦ୍ଧୃତି ଯୋଗ୍ୟ । ସେ ୧୮୧୩ ମସିହା ନଭେମ୍ବର ୨୨ ତାରିଖ ଦିନ ଲେଖନ୍ତି,“A system of extreme tyrrany,violence and oppression had existed which
has proved ruinous to this once flourushing country by consequent desertion of a great proportion of the cultivators of the soil. I am concerned to state too that this system is to be dated from the conquest of Khurda by British troops.” (ଦ୍ରଷ୍ଟବ୍ୟ: Utkal University History of Orissa, Vol. VI, P.Mukharjee, 1964, p.89 ) ବକ୍ସି ଜଗବନ୍ଧୁଙ୍କ ଜାଗିରରୁ ଉଚ୍ଛେଦ ଓ ପାଇକ ବିଦ୍ରୋହ କୁ ତାଙ୍କର ନେତୃତ୍ୱ ସଂପର୍କରେ ଐତିହାସିକ ପ୍ରଭାତ ମୁଖର୍ଜୀ ଲେଖନ୍ତି, “After the loss of khoodkast lands and jagirs including Rorung, Jagabandhu was reduced to a state of beggary and had to depend on the bounties of certain sarbarakars. Jagabandhu was convinced that he would not get justice from the Government, and out of desperation, he raised the standard of revolt at the head of a large body of Khurda Paikas, who like him had been ruined.” (ଦ୍ରଷ୍ଟବ୍ୟ:Utkal University History of Orissa, Vol. VI, P.Mukharjee, 1964, p.92 ) ଏହି ଐତିହାସିକ ପୃଷ୍ଠଭୂମିରେ ଦକ୍ଷିଣ କୋରିଆର କଂପାନୀ ପୋସ୍କୋ ବିରୋଧରେ କୁଜଂଗ ତହସିଲ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସଂଗ୍ରାମକୁ ବିଚାର କଲେ ଇତିହାସର ପୁନରାବୃତ୍ତି ହୋଇଛି ବୋଲି କୁହାଯାଇପିରେ । ଏହି ପୁନରାବୃତ୍ତିର ଆଉ ଏକ ଦୃଷ୍ଟାନ୍ତ ଭାବେ ପାଇକ ବିଦ୍ରୋହ ଓ ପୋସ୍କୋ ବିରୋଧୀ ଆନ୍ଦୋଳନର ଆୟୁଷରେ ସମାନତାକୁ ଲକ୍ଷ୍ୟ କରାଯାଇ ପାରେ । ପାଇକ ବିଦ୍ରୋହ ର ପରମାୟୁ ଥିଲା ଆଠ ବର୍ଷ, ୧୮୧୭ ରୁ ୧୮୨୫ । କାରଣ ବକ୍ସି ଜଗବନ୍ଧୁ ୧୮୨୫ ମସିହାରେ (୨୭ ମଇ) ବ୍ରିଟିଶ ଶାସକ ନିକଟରେ ଆତ୍ମ ସମର୍ପଣ କରିଥିଲେ ଓ ଲିଖିତ ପ୍ରତିଶୃତି ଦେଇଥିଲେ ଯେ ସେ କଟକ ସହରରେ ରହିବେ ଓ ଜିଲ୍ଲା ପ୍ରଶାସନର ବିନାନୁମତିରେ ସହର ଛାଡିବେ ନାହିଁ । ଏହି ସମୟରେ ବ୍ରିଟିଶ ସରକାର ତାଙ୍କ ପାଇଁ ୧୦୦ ଟଙ୍କାର ପେନସନ ବ୍ୟବସ୍ଥା କରିଦେଇଥିଲେ । ଏହି ଆତ୍ମ ସମର୍ପଣ ପରେ ବ୍ରିଟିଶ ଶାସକ ଆଶ୍ୱସ୍ତ ହୋଇଥିଲେ କାରଣ ବିଦ୍ରୋହର ସଂଭାବନା ଏତଦ୍ଦ୍ୱାରା ନିର୍ବାପିତ ହୋଇଥିଲା । ସେହିଭଳିି ପୋସ୍କୋ ପାଇଁ ଜମି ଅଧିଗ୍ରହଣ ସରିବାର ସରକାରୀ ଘୋଷଣାକୁ ପୋସ୍କୋ ବିରୋଧୀ ଆନ୍ଦୋଳନର ଇତି କଥା ବା ପୁରାଣ ଶ୍ରବଣର ସମୟ ବୋଲି ଧରା ଯାଏ ତାହାଲେ ପାଇକ ବିଦ୍ରୋହ ପରି ପୋସ୍କୋ ବିରୋଧୀ ଆନ୍ଦୋଳନର ପରମାୟୁ ମଧ୍ୟ ଆଠ ବର୍ଷ, ୨୦୦୫ ରୁ ୨୦୧୩, ବୋଲି କୁହାଯାଇପାରେ ।
ପାଇକ ବିଦ୍ରୋହରେ ଯଦିଓ ଏହାର ନେତା ବକ୍ସି ଜଗବନ୍ଧୁ ଆତ୍ମ ସମର୍ପଣ କରିଥିଲେ, କିନ୍ତୁ ବିଦ୍ରୋହ ସମୟରେ ବହୁ ପାଇକ ବ୍ରିଟିଶ ଶାସକଙ୍କ ପାଇଁ ଘାତକ ହୋଇଥିଲେ, ଗୋପାଳ ଛୋଟରା, ବିଷ୍ଣୁ ପାଇକରା, ରାମ ସିଂହ, ନାଥ ପ୍ରଧାନ ଓ ନରସିଂହ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଐତିହାସିକ ପ୍ରଭାତ ମୁଖର୍ଜୀଙ୍କର କ୍ଷଭୋକ୍ତି ଯେ ଏହି ପାଂଚ ଜଣ ଆଜି ବିସ୍ମୃତ । (ଦ୍ରଷ୍ଟବ୍ୟ: Utkal University History of Orissa, Vol. VI, P.Mukharjee, 1964, p.101)ଏହି ବିସ୍ମୃତି ନିଶ୍ଚିତ ଭାବେ ଏକ ବିଡମ୍ବନା ବୋଲି ମନେ ହୋଇପାରେ ବିଶେଷତଃ ଯେତେବେଳେ ବ୍ରିଟିଶ ଶାସକ ନିକଟରେ ଆତ୍ମ ସମର୍ପଣ କରି ମଧ୍ୟ ବକ୍ସି ଜଗବନ୍ଧୁ
ପାଇକ ବିଦ୍ରୋହର ନେତା ଭାବେ ସ୍ମରଣୀୟ ହୋଇ ରହିଛନ୍ତି । ଅବଶ୍ୟ ସାଧାରଣ ଲୋକର ଅସାଧାରଣ ବଳିଦାନ ଅପେକ୍ଷା ସମ୍ଭ୍ରାନ୍ତ ବ୍ୟକ୍ତିର ସାମୟିକ ତ୍ୟାଗ ଆମ ସଂସ୍କୃୃତିରେ ସବୁବେଳେ ସ୍ମରଣୀୟ ହୋଇଆସିଛି । ତେଣୁ ସମ୍ଭ୍ରାନ୍ତ ବକ୍ସି ଜଗବନ୍ଧୁ
ପରିଶେଷରେ ବ୍ରିଟିଶ ସରକାର ନିକଟରେ ଆତ୍ମ ସମର୍ପଣ କରିଥିଲେ ହେଁ, ତାଙ୍କର
ଦୀର୍ଘ ସାତ ଆଠ ବର୍ଷ ଧରି ବ୍ରିଟିଶ ପ୍ରଶାସନ ଠାରୁ ନିଜକୁ ଲୁଚାଇ ରଖି, ବଣ ଜଂଗଲ ଭିତରେ ବୁଲି ବିଦ୍ରୋହ ସଂଗଠିତ କରିବାର ଯେଉଁ ଉଦ୍ୟମ ଜାରି ଦଖିଥିଲେ, ତାହା ପାଇଁ ତାଙ୍କୁ ସ୍ମରଣ କରିବା ଅଯଥାର୍ଥ ନୁହେଁ ।
ଆଜି ଅବଶ୍ୟ ଆତ୍ମ ସମର୍ପଣ ର କାଇଦା ବଦଳି ଯାଇଛି, ପୁଲିଶ ଦ୍ୱାରା ଗିରଫ ହେବାର ଭ୍ରମ ସୃଷ୍ଟି କରି ଆତ୍ମ ସମର୍ପଣ ହେଉଛି ।
ରାଜନୈତିକ ଦଳର ନିୟନ୍ତ୍ରଣରେ ଜନ ଆନ୍ଦୋଳନର ନେତୃତ୍ୱ
ପୋସ୍କୋ ବିରୋଧୀ ଆନ୍ଦୋଳନର ନେତୃତ୍ୱ ଯେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିୟନ୍ତ୍ର୍ରିତ ହେଉଥିଲା ଏହା କେହି ଅସ୍ୱୀକାର କରିବେ ନାହିଁ । ଏହି କାରଣରୁ ହିଁ ୨୦୦୯ ନିର୍ବାଚନ ବେଳେ ଜଗତସିଂହପୁର ଲୋକସଭା ଆସନ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀଙ୍କୁ କ୍ଷମତାସୀନ ବିଜୁ ଜନତା ଦଳ ସମର୍ଥନ କରିଥିଲା ଓ ତାଙ୍କୁ ବିଜୟ କରାଇ ଥିଲା । ଉଦ୍ଦେଶ୍ୟ ଥିଲା ଯେ ପୋସ୍କୋ ବିରୋଧୀ ଆନ୍ଦୋଳନରେ ଭଟ୍ଟା ପଡିବ ଓ ପୋସ୍କୋ ସ୍ଥାପନା ପ୍ରତିବନ୍ଧକ ଶୂନ୍ୟ ହେବ । ଏଥିପାଇଁ ନିର୍ବାଚନର ଅବ୍ୟବହିତ ପୂର୍ବରୁ (୧୨ ଅକ୍ଟୋବର, ୨୦୦୮)ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ନେତା ଅଭୟ ସାହୁଙ୍କୁ ଆନ୍ଦୋଳନରୁ ଦୂରାଇ ରଖିବା ପାଇଁ ଗିରଫ କରିନିଆଗଲା । ଆନ୍ଦୋଳନର ନେତାଙ୍କ ଅନୁପସ୍ଥିତିରେ, କମ୍ୟୁନିଷ୍ଟ ଦଳର ପ୍ରାର୍ଥୀଙ୍କ ବିଜୟ ପରେ ଆନ୍ଦୋଳନ ଶିଥିଳ ହୋଇଯିବ ବୋଲି କ୍ଷମତାସୀନ ବିଜୁ ଜନତା ଦଳ ଆଶା କରିବା ଥିଲା ସ୍ୱାଭାବିକ । କିନ୍ତୁ ଆନ୍ଦୋଳନ ଥମିଲା ନାହିଁ ବରଂ ଅଧିକ ଶକ୍ତିଶାଳୀ ହେଲା । ଏହା କ୍ଷମତାସୀନ ବିଜୁ ଜନତା ଦଳର ନେତୃତ୍ୱକୁ କ୍ଷୁବ୍ଧ କରିଥିଲା- ସେମାନେ ପ୍ରତାରିତ ହୋଇଛନ୍ତି ବୋଲି ବୋଧହୁଏ ଅନୁଭବ କରୁଥିଲେ । ସେହି ଅଂଚଳର ବିଜେଡି ନେତା ଓ ଦଳର ଉପସଭାପତି ଡାକ୍ତର ଦାମୋଦର ରାଉତ ପୋସ୍କୋ ପ୍ରସଂଗରେ ଆଲୋଚନା ବେଳେ କରୁଥିବା ପ୍ରତିକ୍ରିୟା ଗୁଡିକୁ ଲକ୍ଷ୍ୟ କଲେ ଏହି ଅନୁଭବର ତୀବ୍ରତା ବାରି ହୋଇଯାଏ ।
୨୦୧୪ ନିର୍ବାଚନ ଆସନ୍ନ । ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ନେତା ଅଭୟ ସାହୁ କାରାଗାରରେ ବନ୍ଦୀ । ତାଙ୍କ ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ବିଜୁ ଜନତା ଦଳ ସହ ନିର୍ବାଚନୀ ମେଣ୍ଟ କରିବା ପାଇଁ ବ୍ୟାକୁଳ । ଯଦିଓ ବିଜୁ ଜନତା ଦଳ ତରଫରୁ ଏ ଯାବତ୍ କୈାଣସି ଆଗ୍ରହ ପ୍ରକାଶ୍ୟ ହୋଇ ନାହିଁ, ତଥାପି ଦୃଶ୍ୟପଟର ଅନେକ ସାଦୃଶ୍ୟ ରହିଛି ୨୦୦୯ ନିର୍ବାଚନର ପୂର୍ବାବସ୍ଥା ସହ । ଫରକ କେବଳ ଏତିକି ଯେ ଏଥର ଢିଙ୍କିଆ ଗ୍ରାମବାସୀଙ୍କୁ ପ୍ରତିରୋଧ ସମିତିର ଢିଙ୍କିଆ ନେତୃତ୍ୱ ଗୋବିନ୍ଦପୁର ଗ୍ରାମବାସୀଙ୍କ ସହ ପାନ ବରଜ ଭଂଗା ବିରୋଧରେ ସାମିଲ ହେବାରୁ କ୍ଷାନ୍ତ କରିପାରିଛି । ଗତ ନିର୍ବାଚନ ପୂର୍ବରୁ ଆନ୍ଦୋଳନରେ ଯେଉଁ ଏକତା ଦୃଶ୍ୟ ହୋଇଥିଲା ଓ ନିର୍ବାଚନୀ ମେଣ୍ଟ ସତ୍ତେ୍ୱ ଏହା କାଏମ ରହିଥିଲା, ତାହା ଆଗାମୀ ନିର୍ବାଚନ ପୂର୍ବରୁ ଭାଂଗି ଯାଇଛି । ଏବେ ବିଜୁ ଜନତା ଦଳ ସହ ନିର୍ବାଚନୀ ମେଣ୍ଟ ସହଜ ହେବ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ପ୍ରତ୍ୟାଶା ରଖିପାରେ । କିନ୍ତୁ ଅତର୍କିତ ଓ ଅପ୍ରତ୍ୟାଶିତ ଆଚରଣରେ ସିଦ୍ଧ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ କେତେଦୂର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଶାକୁ ପୂରଣ କରିବେ ତାହା ସମୟ କହିବ । କିନ୍ତୁ ଆଶଙ୍କା ହୁଏ ଯେ ଗତ ଥର ‘ପ୍ରତାରିତ’ ବିଜୁ ଜନତା ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଉପରେ ଏଥର ତାହାର ରାଗ ଶୁଝାଇବ ନାହିଁ ତ; ଅବଶ୍ୟ ସୁବିଧାବାଦୀ ରାଜନୀତିରେ କେହି କାହାରି ସ୍ଥାୟୀ ଶତ୍ରୁ ବା ମିତ୍ର ନୁହଁନ୍ତି । ଦୁଇ ଦଳ ମଧ୍ୟରେ ପ୍ରତାରଣା ଓ ପ୍ରତିପ୍ରତାରଣାର ଅଭିଯୋଗ ଓ ଆଶଙ୍କା ଭିତରେ ପ୍ରକୃତ ପକ୍ଷେ ପ୍ରତାରିତ ହୋଇଯାଇଛି ସେ ଅଂଚଳର ସାଧାରଣ ଲଢୁଆ ମଣିଷ । ଧ୍ୟ ନବେ ଦଶକରେ ଗୋପାଳପୁରରେ ମୁଣ୍ଡ ଟେକିଥିବା ଟାଟା ଇସ୍ପାତ ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ଏହି ଦଶା ହୋଇଥିଲା; ମୂଳ ଲକ୍ଷ୍ୟ ୬୦୦୦ ଏକର ଜମି ସିନା ଟାଟା ନେଇ ପାରିଲା ନାହିଁ, ସେଥିରୁ ୩୦୦୦ଏକର କିନ୍ତୁ କରାୟତ୍ତ କରିନେଲା ଓ ଆଜି ମଧ୍ୟ ତାହା ଟାଟାର କବଜାରେ । ସ୍ମରଣଯେ୍ାଗ୍ୟ ଯେ ସେତେବେଳେ ଏହି ଅଂଚଲରେ ଆନ୍ଦୋଳନ ର ନେତୃତ୍ୱ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ହିଁ ନିୟନ୍ତ୍ରିତ ହେଉଥିଲା ।
ପୋସ୍କୋ ବିରୋଧୀ ଆନ୍ଦୋଳନର ଉତ୍ଥାନ ଓ ପତନ ଏକ ବ୍ୟାପକ ପ୍ରଶ୍ନ ଠିଆ କରାଏ । ଜନ ଆନ୍ଦୋଳନ ଗୁଡିକର ନେତୃତ୍ୱ ଉପରେ ରାଜନୈତିକ ଦଳ ଗୁଡିକର ନିୟନ୍ତ୍ରଣ ଜନ ଆନ୍ଦୋଳନ ପାଇଁ ଅନୁକୂଳ କି? ଆନ୍ଦୋଳନରେ ଅର୍ନ୍ତନିହିତ ସାଧାରଣ ଲୋକର ସ୍ୱାର୍ଥ ଓ ରାଜନୈତିକ ଦଳର ସ୍ୱାର୍ଥ ଯଦି ପ୍ରକୃତରେ ଏକ ହୁଏ, ତାହାଲେ ଆନ୍ଦୋଳନର ନେତୃତ୍ୱକୁ ରାଜନୈତିକ ଦଳ ସଠିକ ବାଟରେ ପରିଚାଳିତ କରିବ ଯାହା ଦ୍ୱାରା ଲୋକସ୍ୱାର୍ଥ ସହ ସାଲିସ ହେବ ନାହିଁ । କିନ୍ତୁ ଯଦି ଆନ୍ଦୋଳନର ସ୍ୱାର୍ଥର ବିନିମୟରେ ବା ମୂଲଚାଲ କରାଯାଇ ରାଜନୈତିକ ସ୍ୱାର୍ଥହାସଲ କରିବା, ଅବଶ୍ୟ ନିଜର ଅସ୍ତିତ୍ୱ ପାଇଁ , ଯେପରି ବିଧାନସଭା ବା ସଂସଦରେ କେତୋଟି ସ୍ଥାନ ପାଇବା, ଯଦି ଆନ୍ଦୋଳନର ନେତୃତ୍ୱକୁ ନିୟନ୍ତ୍ରଣ କରୁଥିବା ରାଜନୈତିକ ଦଳ ର ଉଦ୍ଦେଶ୍ୟ ହୁଏ, ତାହାଲେ ଏହା ଆନ୍ଦୋଳନ ପାଇଁ ମାରାତ୍ମକ । ଏହି ଭଳି ପରିସ୍ଥିତିରେ ଜନ ଆନ୍ଦୋଳନର ନେତୃତ୍ୱ ଉପରେ ଚାପ ବେଶ ଅନୁମେୟ, ଦଳ ପ୍ରତି ଆନୁଗତ୍ୟ ଓ ଲୋକ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା ନେତୃତ୍ୱକୁ ଏକ ଅସମଂଜସ ସ୍ଥିତିରେ ପକାଇଥାଏ ଯାହା ନେତୃତ୍ୱ ପ୍ରତି ସହାନୁଭୂତି ଉଦ୍ରେକ କରେ ସତ, କିନ୍ତୁ ଆନ୍ଦୋଳନର ନେତୃତ୍ୱ ଠାରେ ଲୋକ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା ହିଁ ଅଗ୍ରାଧିକାର ପାଉ – ଏହା ସାଧାରଣ ମଣିଷକୁ ଭଲ ପାଉଥିବା ପ୍ରତ୍ୟେକ ସ୍ୱାଧୀନଚେତା ବ୍ୟକ୍ତି ନେତୃତ୍ୱ ଠାରୁ ଆଶା କରେ ।