୧-୧୬ ନଭେମ୍ବର, ୨୦୦୮
ତିନିଲକ୍ଷ କୋଟି ଆମେରିକୀୟ ଡଲାର ହରାଇ ଦେଲେ ବିକଶିତ ଦେଶମାନଙ୍କର ଅର୍ଥନିବେଶକାରୀ ସଂସ୍ଥାଗୁଡ଼ିକ । ଯେଉଁ ସଂସ୍ଥାଗୁଡ଼ିକରେ ଚାକିରିଟିଏ ପାଇବା ପାଇଁ ଭାରତର ସର୍ବାଗ୍ରେ ଥିବା ପରିଚାଳନା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ମେଧାବୀ ଛାତ୍ରମାନେ ସ୍ୱପ୍ନ ଦେଖନ୍ତି, ସେହି ସଂସ୍ଥାଗୁଡ଼ିକ ନିଜକୁ ଦେବାଳିଆ ଘୋଷଣାକରିବା ପାଇଁ ଆବେଦନ କରି ପକାଇଲେ ବା ‘ହେ ସରକାର,ଆମକୁ ରକ୍ଷାକର’ ବୋଲି ବିକଳ ସ୍ୱରରେ ଡାକ ଛାଡ଼ିଲେ । ସରକାରକୁ ହେୟ ଚକ୍ଷୁରେ ଦେଖୁଥିବା ଏହି ଘରୋଇ ସଂସ୍ଥାଗୁଡ଼ିକ ସେହି ସରକାରଙ୍କର ହିଁ ଶେଷକୁ ଶରଣାଗତ ହେଲେ । ଯଦି ଏହି ବିଦେଶୀ ସଂସ୍ଥାଗୁଡ଼ିକୁ ଆମ ଭାରତୀୟ ପ୍ରବାଦ ଯେ, ଭଗବାନ ମଧ୍ୟ ଦିନେ ଗଧପାଦ ଧରିଥିଲେ, ତାହା ସହିତ ପରିଚୟ କରାଇ ଦିଆଯାଏ, ତା’ହେଲେ ଏହି ବିଦେଶୀ ସଂସ୍ଥାଗୁଡ଼ିକ ମୁହଁ ଟେକି ଚାହିଁବା ପାଇଁ ଅପେକ୍ଷାକୃତ କମ୍ ଲଜ୍ଜା ଅନୁଭବ କରିବେ । ଆମଭିତରେ ଥିବା ଘରୋଇକରଣ, ଉଦାରୀକରଣ ଓ ବିଶ୍ୱୀକରଣର ଚାଟୁକାରମାନେ ଏହି ପ୍ରବାଦଟିକୁ ବିଦେଶୀ ସଂସ୍ଥାମାନଙ୍କୁ ଜଣାଇ ସେମାନଙ୍କର ଆସ୍ଥାଭାଜନ ହେବାପାଇଁ ଚେଷ୍ଟା କରିବେ ବୋଲି ଶୁଦ୍ରକର ଅନୁମାନ । ତେବେ ଆମେରିକା ସରକାର ଏହି ବୁଡ଼ିଯାଇଥିବା ସଂସ୍ଥାଗୁଡ଼ିକର ବିକଳ ଡାକ ଶୁଣିଛନ୍ତି ଓ ଏହି ସଂସ୍ଥାଗୁଡ଼ିକୁ ରକ୍ଷାକରିବା ପାଇଁ ସତୁରୀହଜାର କୋଟି ଡଲାର ନିଜକୋଷରୁ ଦେବେବୋଲି ପ୍ରତିଶ୍ରୁତି ଦେବା ସହ କେତେକ ସଂସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଛନ୍ତି । ଆମେରିକାର ଏହି ପଦକ୍ଷେପ ଦ୍ୱାରା ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଉତ୍ସାହିତ ହୋଇଛନ୍ତି ଓ ଅନୁରୂପ ପଦକ୍ଷେପ ନେଇଛନ୍ତି । ସମାଲୋଚନା ଯେ ଏହି ଘରୋଇ ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକର ବେପରୁଆ ପରିଚାଳନାଜନିତ କ୍ଷତିର ଭରଣା ସାଧାରଣ ନାଗରିକ ଦେଉଥିବା ଟିକସ ପଇସାରୁ କରାଯିବା ଅନୁଚିତ, ନିଷ୍ପତ୍ତି ନେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ । ପକାନ୍ତା ବା କିପରି? ନିଷ୍ପତ୍ତ ନେଉଥିବା ସରକାରୀ ଅଧିକାରୀମାନେ ଯଦି ହୁଅନ୍ତି ଏହି ପ୍ରସ୍ତାବିତ ସଂସ୍ଥାଗୁଡ଼ିକର ଭୂତପୂର୍ବ ଅଧିକାରୀ? ଠିକ ଯେପରି ସାରା ବିଶ୍ୱର ବିରୋଧ ଓ ପ୍ରତିବାଦକୁ ବେଖାତିର କରି ଇରାକ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣାପାଇଁ ନିଷ୍ପତ୍ତ ନେଉଥିବା ବ୍ୟକ୍ତିମାନେ ଥିଲେ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକର ପୂର୍ବତନ ଅଧିକାରୀ ।
ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାରେ ଘରୋଇ କମ୍ପାନୀମାନଙ୍କର -ସେମାନଙ୍କର ପୂର୍ବତନ ଅଧିକାରୀ ମାନଙ୍କ ଜରିଆରେ ସରକାରରେ ଉପସ୍ଥିତି ଏକ ସାଧାରଣ ଦୃଶ୍ୟ । ତେଣୁ ଘରୋଇ କମ୍ପାନୀମାନେ ଏହିଭଳି ସରକାରଙ୍କର ସବୁବେଳେ ହେଉଛନ୍ତି ଗେହ୍ଲାପୁଅ । ଗେହ୍ଲାପୁଅ ପାଇଁ ବାପା,ମା’ଙ୍କର ସ୍ନେହର ଗଭୀରତାର ସବୁଠାରୁ ବଡ଼ ପରୀକ୍ଷାହେଉଛି ଯେତେବେଳେ ଏହି ଗେହ୍ଲାପୁଅର ସମସ୍ତ ବଦ୍ଖର୍ଚ୍ଚ, ବଦ୍ଗୁଣ, ଦୌରାତ୍ମ୍ୟ ଓ ଦୁର୍ବଳତାକୁ ବାପ,ମା’ କ୍ଷମା କରନ୍ତି ଓ ଏହାର ପରିଣତିରୁ ରକ୍ଷା କରିବାପାଇଁ ଅଣ୍ଟା ଭିଡ଼ନ୍ତି । ତେଣୁ ବିକଶିତ ରାଷ୍ଟ୍ରର ସରକାରମାନେ ଯଦି ଏହି ବୁଡ଼ି ଯାଉଥିବା ଗେହ୍ଲା ସଂସ୍ଥାଗୁଡ଼ିକୁ ରକ୍ଷା କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି-ଏଥିରେ କିଛି ଅସ୍ୱାଭାବିକତା ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକୁ ଧନୀ, ପ୍ରତିପତ୍ତଶାଳୀ ବାପ ଓ ବୁଡ଼ିଯାଉଥିବା ସଂସ୍ଥାଗୁଡ଼ିକୁ ବଦ୍ଖର୍ଚ୍ଚୀ, ବଦ୍ମିଞ୍ଜାସୀ, ବେପରୁଆ, ଉଦ୍ଧତ ପୁଅସହ ତୁଳନା କଲେ-ବର୍ତ୍ତମାନ ପୁଞ୍ଜିବଜାରରେ ଏହି ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକର ସ୍ଥିତି ଓ ସରକାରଙ୍କର ଭୂମିକା ଅତି ସ୍ପଷ୍ଟ ହୋଇଯିବ ।
ତେବେ ଏହି ବେପରୁଆ ପୁଅଟିପାଇଁ ଖର୍ଚ୍ଚାନ୍ତ ହେଉଥିବା ବାପର ଖର୍ଚ୍ଚ ଯଦି ଏକ ନିର୍ଦ୍ଧିଷ୍ଟ ପରିମାଣଠାରୁ ଅଧିକ ହୋଇଯାଏ-ତା’ହେଲେ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଚଳାଚଳଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ । ସମ୍ପ୍ରତି ବିକଶିତ ରାଷ୍ଟ୍ରଗୁଡ଼ିକର ଅର୍ଥ ବ୍ୟବସ୍ଥାରେ ଏହିପରି ଏକ ଅବସ୍ଥାର ଆଶଙ୍କା କରାଯାଉଛି । ଯେହେତୁ ସାରା ବିଶ୍ୱର ଅର୍ଥନୀତିର ଏକୀକରଣ ବିଶ୍ୱୀକରଣ ପର୍ଯ୍ୟାୟରେ ଗତ ଦୁଇଦଶନ୍ଧି ଧରି ବେଶ୍ ଆଗେଇଯାଇଛି -ତେଣୁ ସାରା ବିଶ୍ୱର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ଆମର ଦେଶରେ ବିଶ୍ୱୀକରଣ ପ୍ରକ୍ରିୟା ମନ୍ଥର ଥିବାରୁ ଆମ ଉପରେ ପ୍ରତିକୂଳ ପ୍ରଭାବ ସେତେ ପଡ଼ିବନାହିଁ ବୋଲି ତ୍ୱରିତ୍ ବିଶ୍ୱୀକରଣର ଏକଦା ସମର୍ଥକ ଅର୍ଥନୀତିଜ୍ଞମାନେ କହିବା ଆରମ୍ଭ କରିଛନ୍ତି ।
ପରିବାରର ବିଶୃଙ୍ଖଳିତ ସଦସ୍ୟ ପାଇଁ ଅନ୍ୟମାନେ ଯନ୍ତ୍ରଣା ପାଇବା ଆରମ୍ଭ ହୋଇଗଲାଣି । ଆମେରିକାସ୍ଥିତ ଜଣେ ଭାରତୀୟ, ପୁଞ୍ଜିବଜାରରେ ଏଭଳି ଦୃଶ୍ୟକୁ ସହ୍ୟ ନକରିପାରି ପରିବାରର ସମସ୍ତଙ୍କୁ ହତ୍ୟାକରି ଶେଷକୁ ଆତ୍ମହତ୍ୟା କରିଛନ୍ତି ।(ଦ୍ରଷ୍ଟବ୍ୟ-ଦି ଷ୍ଟେଟସ୍ମ୍ୟାନ,୮ ଅକ୍ଟୋବର,୨୦୦୮)ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଔଷଧର ବିକ୍ରୟ ଯଥେଷ୍ଟ ବଢ଼ିଯାଇଛି ।(ଦ୍ରଷ୍ଟବ୍ୟ-ଦି ଇକୋନୋମିକ ଟାଇମ୍ସ, ୨୪/୧୦/୨୦୦୮) ସବୁଦିନେ ଖବରକାଗଜରେ ବାହାରୁଛି କେଉଁ କମ୍ପାନୀରୁ କେତେ କର୍ମଚାରୀ ଛଟେଇ ହେଉଛନ୍ତି, (ଦ୍ରଷ୍ଟବ୍ୟ-୧୦ଦିନରେ ୩୦% କର୍ମଚାରୀ ବିଦା ହେବେ, ଧରିତ୍ରୀ, ୩୦ଅକ୍ଟୋବର, ୨୦୦୮) ଦରମା କିପରି ହ୍ରାସ ହେଉଛି,ଚାକିରି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କ ସ୍ୱପ୍ନ ଉପରେ କିପରି ପାଣି ମାଡ଼ିଯାଉଛି,ମାସକୁ ଲକ୍ଷାଧିକ ଟଙ୍କାରେ ଚାକିରି କରିବା ପାଇଁ ଆଶା ବାନ୍ଧିଥିବା ଯୁବକଯୁବତୀ କିପରି ଯଥେଷ୍ଟ କମ୍ ଦରମାରେ ଚାକିରି କରିବାକୁ ରାଜି ହୋଇଗଲେଣି, ବଡ଼ ବଡ଼କମ୍ପାନୀମାନଙ୍କର ସମ୍ପତ୍ତର ମୂଲ୍ୟ କିପରି ଦ୍ରୁତଗତିରେ ହ୍ରାସ ପାଉଛି-ଇତ୍ୟାଦି ।
ଏହିସବୁ ଦୃଶ୍ୟକୁ ବର୍ଣ୍ଣନା କରି; ଏହାର କାରଣ ଓ ନିରାକରଣ ସମ୍ପର୍କରେ ଗତ ଏକ ମାସ ହେବ ବହୁ ପ୍ରବନ୍ଧ, ପ୍ରକାଶିତ ହେଲାଣି ଓ ହେଉଛି । ଗଣମାଧ୍ୟମରେ ତର୍କ-ବିତର୍କ ଚାଲିଛି । ପୁଞ୍ଜିତତ୍ତ୍ୱର ଓଜନିଆ ଶବ୍ଦ ବ୍ୟବହାର ହେଉଛି, ସାଧାରଣ ଭାଷାରେ ବୁଝାଇବାର ମଧ୍ୟ ଉଦ୍ୟମ ହେଉଛି । କିନ୍ତୁ ଗୋଟିଏ ନିଷ୍କର୍ଷ ବାହାରିଆସୁଛି ଯେ ପୁଞ୍ଜିବଜାରର ଚରିତ୍ର ହେଉଛି ରହସ୍ୟମୟ । କହିବା ବାହୁଲ୍ୟ ଯେ ରହସ୍ୟକୁ ଭେଦ କରିବାକୁ ଅସମର୍ଥ ବ୍ୟକ୍ତି ଭାଗ୍ୟବାଦୀ ହେବାର ସମ୍ଭାବନା ବହୁତ ଅଧିକ ।
ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ ଯେ ଲେହମାନ ବ୍ରଦର୍ସ, ମେରିଲ ଲିଃ ଭଳି ସଂସ୍ଥା ଯେଉଁମାନେ ପୃଥିବୀର ସବୁଠାରୁ ବଡ଼ ବଡ଼ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେଇଥାନ୍ତି ଓ ସେମାନଙ୍କ ପରାମର୍ଶରେ ହିଁ ସଂସ୍ଥା ଦ୍ୱାରା ପୁଞ୍ଜିନିବେଶ ପାଇଁ ନିଷ୍ପତ୍ତ ନେଇଥାନ୍ତି,ସେହିଭଳି ସଂସ୍ଥାଗୁଡ଼ିକ ଏପରି ଦୁର୍ଦ୍ଧଶାଗତ ହେଲେ କିପରି? ଏହିଭଳି ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ପୁଞ୍ଜିତତ୍ତ୍ୱବିତ୍ (T.T.Ram Mohan)ଙ୍କ ଭାଷାରେ,‘ମୁଁ ଏହି ସଂସ୍ଥା ମାନଙ୍କରେ କାର୍ଯ୍ୟ କରୁଥିବା ବୁଦ୍ଧିଆ ଲୋକମାନଙ୍କ ଦ୍ୱାରା କଦାପି ବିହ୍ୱଳିତ ହୋଇନାହିଁ । ଏଠାରେ ଅତି ସାଧାରଣ ସ୍ତରର ଗବେଷଣା ହୋଇଥାଏ । ସଂସ୍ଥାମାନଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଓ ଯୁକ୍ତିକୁ କିଛିଟା ମଜାମଜି କରି ପୁନଃ ପରିବେଷଣ କରିଦିଆଯାଏ । ପୁଞ୍ଜି ଖଟାଇବାର ନିଷ୍ପତ୍ତ ନିହାତି ଖାମଖିଆଲୀ ଢଙ୍ଗରେ ହିଁ ନିଆଯାଏ । ଏହିଭଳି ଖାମଖିଆଲୀ ନିଷ୍ପତ୍ତ ଯେଉଁ ପରିମାଣର ପୁଞ୍ଜିନିବେଶ ସମ୍ପର୍କରେ ନିଆଯାଏ, ତାହା ଦେଖିଲେ ନିଶ୍ୱାସ ବନ୍ଦ ହୋଇଯାଏ ।’(ଦି ଇକୋନୋମିକ ଟାଇମ୍ସ,୧୮/୦୯/୨୦୦୮) । ଏହି ସଂସ୍ଥାଗୁଡ଼ିକର ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରତିଷ୍ଠିତ ପତ୍ରିକାଗୁଡ଼ିକରେ ଯେଉଁ ରଙ୍ଗିନଚିତ୍ର ପରିବେଷଣ କରାଯାଏ, ତାହା ମଧ୍ୟ ଖୁବ୍ ଖାମଖିଆଲୀ ଭାବରେ ବା ଉଦେ୍ଧଶ୍ୟମୂଳକ ଭାବରେ ହୋଇଥାଏ ବୋଲି ଅଭିଜ୍ଞତାରୁ ଜଣାପଡ଼େ । ଲେହମ୍ୟାନ ବ୍ରଦର୍ସ ସମ୍ପର୍କରେ ପ୍ରସିଦ୍ଧ The Economist ଏପ୍ରିଲ ୨୦୦୮ରେ ଯେଉଁପ୍ରକାର ଅନୁକୂଳ ମନ୍ତବ୍ୟ ଦେଇଥିଲେ-ତାହା ପଢ଼ିଲେ କେହି କଳ୍ପନା କରିପାରିବ ନାହିଁ ଯେ ମାତ୍ର ୫ମାସ ପରେ (ସେପ୍ଟେମ୍ବର, ୨୦୦୮) ଏହି ପ୍ରତିଷ୍ଠାନ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବ । ଅବଶ୍ୟ ୬ମାସ ପୂର୍ବରୁ ପୁଞ୍ଜିବଜାରରେ ଏକଲକ୍ଷ କୋଟି ଡଲାରର କ୍ଷତି ଓ ବିଶ୍ୱ ଅର୍ଥନୀତି ନିମ୍ନଗାମୀ ହେବା ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭବିଷ୍ୟତବାଣୀ କରିଥିଲେ ।(ଦ୍ରଷ୍ଟବ୍ୟ – ଦି ଇକୋନୋମିକ ଟାଇମ୍ସ, ୩୦/୦୯/୨୦୦୮) କିନ୍ତୁ ଏହାକୁ ବୋଧହୁଏ ସେ ପରିମାଣରେ ଗୁରୁତ୍ୱ ଦିଆଗଲା ନାହିଁ । ଜୁଆଡ଼ିର ମାନସିକତା ହିଁ ପୁଞ୍ଜିବଜାରକୁ ଆକ୍ରାନ୍ତ କରିଥିଲା । ଏହି ପ୍ରତିଷ୍ଠାନଗୁଡ଼ିକର ମୁଖ୍ୟ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଉଥିଲା ଯଦି ସେମାନେ ଅଧିକରୁ ଅଧିକ ରିସ୍କ (Risk) ନେଇପାରୁଥିଲେ । ଯେପରି ଲେହମ୍ୟାନ ବ୍ରଦର୍ସର ମୁଖ୍ୟ ଅଧିକାରୀ (CEO) ରିଚାର୍ଡ଼ ଫଲ୍ଡ (Richard Fuld)ଙ୍କର ବାର୍ଷିକ ଦରମା ୨୦୦୨ରେ ପାଉଥିବା ବାର୍ଷିକ ୧କୋଟି ୨୫ଲକ୍ଷ ଡଲାରରୁ ବଢ଼ି ୨୦୦୭ରେ ୪କୋଟି ଡଲାରରେ ପହଞ୍ଚôଥିଲା ।
ଏହି ରିସ୍କନେବାର ପ୍ରବଣତା ଏହି ପ୍ରତିଷ୍ଠାନର ଅଧିକାରୀମାନଙ୍କୁ ବେପରୁଆ କରିଦେଲା । ବେପରୁଆ ଋଣ ଦେଇ ଚାଲିଲେ । ବିଶେଷଜ୍ଞଙ୍କ ମତରେ ଏହା ଦୁଇଲକ୍ଷ କୋଟି ଡଲାରରେ ପହଞ୍ଚôଛି ଯାହା ସୁଝାହେବ ନାହିଁ । (ଦ୍ରଷ୍ଟବ୍ୟ-ଦି ଇକୋନୋମିକ ଟାଇମ୍ସ,୨୪/୦୯/୨୦୦୮) ବେପରୁଆ ହୋଇପାରୁଥିବା ଅଧିକାରୀମାନେ ଯେତେବେଳେ ଅଧିକରୁ ଅଧିକ ଦରମା, ବୋନସ୍ ଇତ୍ୟାଦି ପାଇବାରେ ସଫଳ ହେଲେ- ସେତେବେଳେ ଏହାର କୁପରିଣତିର ଶିକାର ହେଲେ ଏହି ପ୍ରତିଷ୍ଠାନରେ ଅଧିକ ଲାଭଆଶାରେ ଟଙ୍କା ଖଟାଇଥିବା ଅଂଶୀଦାର (Shareholder) ମାନେ । ସେହିମାନଙ୍କର ହିଁ ପଇସା ବୁଡ଼ିଗଲା – ସେମାନେ ତଳିତଳାନ୍ତ ହେଲେ । ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକ ପାଖରେ ପଇସା ଆଉ ରହିଲାନାହିଁ ଋଣ ଦେବାକୁ । ଋଣବଜାର ବନ୍ଦ ହେବାକୁ ବସିଲା । ଋଣ ବଜାର ବନ୍ଦ ହୋଇଗଲେ ଆଜିକାର ଅର୍ଥନୀତି ଚାଲିପାରିବ ନାହିଁ । ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ବ୍ୟବସାୟ ବଢ଼ାଇ ପାରିବେ ନାହିଁ । ଗୋଟିଏ କମ୍ପାନୀ ଆଉଗୋଟିଏ କମ୍ପାନୀକୁ କିଣିପାରିବ ନାହିଁ । ସାଧାରଣ ଉପଭୋକ୍ତା ଗାଡ଼ିମଟର, ଘରବାଡ଼ି କିଣିପାରିବ ନାହିଁ,ଏହି ଋଣ ବଜାରକୁ ଜୀବନ ଦେବାପାଇଁ ବାହାରି ପଡ଼ିଲେ ସରକାରମାନେ – ସେମାନଙ୍କର ଅଧିନରେ ଥିବା କେନ୍ଦ୍ର ବ୍ୟାଙ୍କମାନେ । ଏହାକୁ ହିଁ କୁହାଯାଉଛି ଈବସକ୍ଷ ଙଙ୍କଗ୍ଧ ବା ଉଦ୍ଧାରକ । ଯେଉଁମାନେ ଏହିଭଳି ଆୟୋଜନକୁ ଜାତୀୟ ପୁଞ୍ଜିର ଘରୋଇକରଣ ବୋଲି କହୁଛନ୍ତି, ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି । ଯେଉଁମାନେ ଏହି ପରିସ୍ଥିତି ପାଇଁ ଦାୟୀ, ସେମାନଙ୍କ ହାତକୁ ପୁଣି ଏହି ପୁଞ୍ଜିକୁ ଟେକିଦେଇ ଋଣ ବଜାରକୁ ଜୀବନ୍ୟାସ ଦେବା କେତେଦୂର ବିଜ୍ଞତାର ପରିଚୟ-ସେ ତ ଆଉ ଏକ ପ୍ରଶ୍ନ । ଜୁଆଡ଼ି ମାନସିକତାରେ ଆକ୍ରାନ୍ତ ପୁଞ୍ଜିବଜାରରେ ଖେଳାଳୀମାନେ ଯେ ଏହି ସରକାରୀ ପଇସା ପାଇ ପୁଣି ବେପରୁଆ ନହୋଇଯିବେ-ତାହା ମଧ୍ୟ କିଏ କହିବ? ତେଣୁ ଶୁଦ୍ରକର ଅନୁମାନ ଯାହା ଘଟିଛି-ତାହା ପୁଣି ଘଟିବ, ବାରମ୍ବାର ଘଟିବ ଏହି ବ୍ୟବସ୍ଥା ଭିତରେ । ତେବେ ଦୁଇଟି ବିପର୍ଯ୍ୟୟ ଭିତରେ ସମୟ,ସେ ହୁଏତ କମ୍ବେଶୀ ହୋଇପାରେ ।
ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଶୁଦ୍ରକକୁ ବିବ୍ରତ କରୁଛି – ଯେ ୩ଲକ୍ଷ କୋଟି ଡଲାରର ଯେଉଁ କ୍ଷତି ହେଲା ପୁଞ୍ଜି ନିବେଶକାରୀ ସଂସ୍ଥାମାନଙ୍କର ତାହା ଗଲା କେଉଁମାନଙ୍କ ପାଖକୁ । ଏହି ସଂସ୍ଥାଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କୌଣସି କାରସାଦି କରି ନିଜ ବ୍ୟକ୍ତିଗତ ମାଲିକାନା ଭିିତରକୁ ନେଇଗଲେ ନାହିଁ ତ? ଏହାର ଅନୁସନ୍ଧାନ ହେବାଉଚିତ । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଆଦ୍ୟ ନବେଦଶକରେ ଯେଉଁ ୪୦୦୦କୋଟି ଟଙ୍କାର ହର୍ଷଦ ମେହେଟ୍ଟା ସ୍କାମ୍ ହୋଇଥିଲା – ତାହା କେଉଁମାନଙ୍କ ପାଖକୁ ଗଲା – କେଉଁମାନେ ତା’ର ହିତାଧିକାରୀ ତାହାର ସଠିକ ଚିତ୍ର ଆଜିପର୍ଯ୍ୟନ୍ତ ମିଳୁନାହିଁ । ତେଣୁ ଉପରୋକ୍ତ ପ୍ରଶ୍ନର ମଧ୍ୟ ଉତ୍ତର ନମିଳିବା ସ୍ୱାଭାବିକ । କାରଣ କିପରି ସଠିକ୍ ଉତ୍ତର ଲୋକଙ୍କ ଦୃଷ୍ଟିକୁ ନ ଆସିବ ସେଥିପାଇଁ ବ୍ୟବସ୍ଥା ଉଦ୍ୟମ କରିବ । ଆମେ ଏକ ଏପରି ବ୍ୟବସ୍ଥାରେ ବର୍ତ୍ତମାନ ଅଛୁ ଯେଉଁଠି କୃଷକକୁ ରିହାତି (Subsidy)ଦେବାକୁ ବିରୋଧ କରାଯାଏ,ଧନୀଙ୍କୁ ଉଦ୍ଧାରକ ଦେବାପାଇଁ ବ୍ୟାକୁଳତା ଦେଖାଯାଏ । ଆମର ଅର୍ଥନୀତିଜ୍ଞମାନେ ଏହାକୁ ସୁସ୍ଥ ଅର୍ଥନୀତିର ଆଖ୍ୟା ଦିଅନ୍ତି – ଯେଉଁଠି ସାଧାରଣ ଲୋକର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼େ । କହିବା ବାହୁଲ୍ୟ ଯେ ବର୍ତ୍ତମାନର ସରକାର ଧନୀଲୋକଙ୍କର ଓ ଧନୀଲୋକଙ୍କ ପାଇଁ । ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଯେ ସାଧାରଣ ଲୋକଙ୍କଠାରୁ ବେଶ୍ ଦୂରେଇଚାଲିଛି – ତାହାର ବିଶୃଙ୍ଖଳିତ ଏକ ନଗ୍ନ ନଜିର ହେଉଛି ପୁଞ୍ଜି ବଜାରରେ ସରକାରର ଭୂମିକା ।