୧-୧୬ ଅଗଷ୍ଟ, ୨୦୦୮
ଜୁଲାଇମାସର ଚତୁର୍ଥ ସପ୍ତାହ, ବିଶେଷକରି ୨୨ଜୁଲାଇ ୨୦୦୮ରେ ଘୋଷିତ ଫଳାଫଳକୁ ୧୯୯୧ ମସିହା ଜୁଲାଇମାସରେ ଆରମ୍ଭ ହୋଇଥିବା ନୂତନ ଅର୍ଥନୀତିର ଏକ ସ୍ୱାଭାବିକ ପରିଣତି ଭାବେ ଯଦି ଆମେ ଗ୍ରହଣ କରିନେଉ, ତା’ହେଲେ ଆମେ ଆଦୌ ଚକିତ ବା ବ୍ୟଥିତ ହେବାନାହିଁ । ୧୯୯୧ ମସିହା ଜୁଲାଇ ମାସରେ ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଇଙ୍ଗିତରେ ଅର୍ଥନୀତିର ଉଦାରୀକରଣ, ଘରୋଇକରଣ ଓ ବିଶ୍ୱୀକରଣର ପର୍ଯ୍ୟାୟକୁ ଭାରତୀୟ ଅର୍ଥନୀତି ଉପରେ ଲଦିଦେବା ବେଳେ ମନମୋହନ ସିଂହଙ୍କର ଭୂମିକା ଥିଲା ଅର୍ଥମନ୍ତ୍ରୀ ଭାବେ । ଆଜି ଆମେରିକାର ଇଙ୍ଗିତରେ ଅଣୁଚୁକ୍ତିକୁ ଭାରତର ସାର୍ବଭୌମତ୍ୱ ଉପରେ ଲଦିଦେବା ବେଳେ ଏହି ମହୋଦୟଙ୍କର ଭୂମିକା ହେଉଛି ପ୍ରଧାନମନ୍ତ୍ରୀ ଭାବେ । ଏହା ତ ଭିନ୍ନକଥାଯେ ୯୦ଦଶକର ରାଜନୀତିରେ ମନମୋହନ ପ୍ରବେଶ କରିବା ପୂର୍ବରୁ ସାଉଥ୍-ସାଉଥ୍ କମିଶନର ସଦସ୍ୟ-ସଚିବ ଭାବେ ସେ ଯେଉଁ ରିପୋର୍ଟ ତିଆରି କରିଥିଲେ – ସେଥିରେ ଏହି ଆନ୍ତର୍ଜାତିକ ସଙ୍ଗଠନ ଓ ବିକଶିତ ରାଷ୍ଟ୍ର ମାନଙ୍କର ନୀତିରେ କଠୋର ସମାଲୋଚନା ସ୍ଥାନିତ ହୋଇଥିଲା । କିନ୍ତୁ ସେ ସବୁବେଳେ ଦାବି କରିଆସିଛନ୍ତି ଯେ ସେ ରାଜନୀତିରେ ଆକସ୍ମିକଭାବେ ଆସିଛନ୍ତି ଓ ଉଚ୍ଚ ପଦପଦବୀରେ ରହି ସେ ଯାହା କରିଛନ୍ତି ତାହା ରାଷ୍ଟ୍ରର ହିତରେ ଓ ବିବେକାନୁମୋଦିତ ।
ତେଣୁ ୨୨ଜୁଲାଇ ଦିନ ଆସ୍ଥାଭୋଟରେ ବିଜୟ ଲାଭ ପରେ ସେ କହିଛନ୍ତି ‘ଓhave often said that I am a Politician by accident…whatever I have done in this high office I have done so with clear conscience and in the best interest of my country (The Economic Times, 23rd July 2008).
ଏହା ଅବଶ୍ୟ ସ୍ମରଣ କରାଇଦେବାର ଆବଶ୍ୟକତା ନାହିଁ ଯେ ମନମୋହନଙ୍କର ରାଜନୀତିକୁ ପ୍ରବେଶ ଆସାମରୁ ରାଜ୍ୟସଭା ସଭ୍ୟଭାବେ ଓ ଏହା ସମ୍ଭବ ହୋଇଥିଲା ଯେତେବେଳେ ପଞ୍ଜାବର ଏହି ଅଧିବାସୀ ନିଜକୁ ଅସାମର ସ୍ଥାୟୀ ବାସିନ୍ଦା କହି ଏକ ସତ୍ୟପାଠ କଲେ । ନିଶ୍ଚିତଭାବରେ ଏପରି ‘ସତ୍ୟପାଠ’ ସେ କରିଥିଲେ ତାଙ୍କର ବିବେକଦ୍ୱାରା ପରିଚାଳିତ ହୋଇ ଓ ରାଷ୍ଟ୍ରର ହିତରେ । ତାଙ୍କରି ଭାଷାରେ ସେ ଜଣେ ରାଜନୀତିଜ୍ଞ ‘ଭଚ୍ଚ ବମମସୟରଦ୍ଭଗ୍ଧ’ । ଯଦି ‘ବମମସୟରଦ୍ଭଗ୍ଧ’ର ଅର୍ଥକୁ ଆମେ ଦୁର୍ଘଟଣା ବୋଲି ବୁଝୁ, ତା’ହେଲେ ନୂତନ ଅର୍ଥନୀତିର ଯେଉଁ ଭୟାବହତା ଆଜି ସାଧାରଣ ନାଗରିକ ଭୋଗିବା ଆରମ୍ଭ କରିଛି ଓ ଅଣୁଚୁକ୍ତି ପରେ ଯେଉଁ ଭୟାବହତା ଆଗାମୀ ବଂଶଧର ଭୋଗକରିବେ ବୋଲି ଜଳଜଳ ଦେଖାଦେଉଛି-ଏହାରି ପୃଷ୍ଠଭୂମିରେ ମନମୋହନ ତାଙ୍କର ରାଜନୀତିରେ ପ୍ରବେଶକୁ ଏକ ଦୁର୍ଘଟଣାଭାବେ ସ୍ୱୀକାର କରିବା ଯଥାର୍ଥ ବୋଲି ମନେ ହେଉଛି । ଇତିହାସରେ ଏହି ଦୁର୍ଘଟଣା ଏକ ଅନନ୍ୟ ଦୁର୍ଘଟଣା ଭାବେ ଲିପିବଦ୍ଧ ହେବ । ମିର୍ଜାଫର, ଶିଖିମନାଇ, ଅମୀର ଚାନ୍ଦ୍ ବା ଜଗତ ସେଠ୍ଙ୍କ ନାଁ ପରି ।
ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଯେଉଁ ଆସ୍ଥାଭୋଟରେ ବିଜୟହାସଲ କଲେ – ଏହା ସମ୍ଭବ ହୋଇ ନଥାନ୍ତା ଯଦି ବିରୋଧୀ ଦଳମାନଙ୍କର ସାଂସଦମାନେ ସେମାନଙ୍କର ଦଳର ନିଦେ୍ର୍ଧଶ ଅନୁସାରେ ଭୋଟ ଦେଇଥାନ୍ତେ ।
ତେଣୁ ଆସ୍ଥାଭୋଟରେ ବିଜୟ ପାଇଁ ଯଦି ବିରୋଧୀ ପକ୍ଷରୁ ଆସ୍ଥା କିଣିବାକୁ ପଡ଼େ, ତା’ହେଲେ ବଜାର ଅର୍ଥନୀତିରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କର ବିବେକ କାହିଁକି ବା ଆନେ୍ଦାଳିତ ହେବ । ବଜାର ଅର୍ଥନୀତିର ପ୍ରବର୍ତ୍ତକ ମନମୋହନ ସିଂହଙ୍କର ତ’ ଆଦୌ ନୁହେଁ । ‘ଆସ୍ଥା’ ତ ଏକ ସେବା, ଶିକ୍ଷା ଓ ସ୍ୱାସ୍ଥ୍ୟଭଳି । ତେଣୁ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବେପାର ଯେତେବେଳେ ଆଜି ବିଶ୍ୱବାଣିଜ୍ୟ ସଙ୍ଗଠନ ଦ୍ୱାରା ଅନୁମୋଦିତ, ସେତେବେଳେ ‘ଆସ୍ଥା’ର କିଣାବିକା – ନୂତନ ଅର୍ଥନୀତିରେ ବିଶ୍ୱାସ କରୁଥିବା କାହାରିକୁ ବିଚଳିତ କରୁ ନଥିବ । ମନମୋହନ, ଚିଦାମ୍ବରମ, ମଣ୍ଟେକ ଓ ତାଙ୍କର ଅନୁଯାୟୀମାନଙ୍କୁ ମୋଟେ ନୁହେଁ ।
ପୋଥିଗତ ବିଚାରରେ ସାଂସଦମାନେ ସେମାନଙ୍କର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କର ଆସ୍ଥାର ପ୍ରତୀକ । ବଜାର ଅର୍ଥନୀତିରେ ଯାହାର ଚାହିଦା – ତାହା ହୋଇପାରିବ ପଣ୍ୟ । ତେଣୁ ଗଣମାଧ୍ୟମରେ ନଗ୍ନତା ପଣ୍ୟ, ବିଚାରାଳୟରେ ବିଚାର ପଣ୍ୟ, ସଚିବାଳୟରେ ନିଷ୍ପତ୍ତ ପଣ୍ୟ, ସଂସଦରେ ଆସ୍ଥା ଯଦି ପଣ୍ୟହୁଏ-ତା’ହେଲେ ଏତେ ହୋହଲ୍ଲା କାହିଁକି?