‘ସମାଜବାଦୀ’ ଅମରଙ୍କର ଘୁର୍ଣ୍ଣନ

  • 03/09/2015

୧୬-୩୧ ଜୁଲାଇ, ୨୦୦୮

ଏପ୍ରିଲ ମାସ ଶେଷପର୍ଯ୍ୟନ୍ତ ଭାରତ ଆମେରିକା ଅଣୁଚୁକ୍ତିକୁ ବିରୋଧ କରୁଥିବା ସମାଜବାଦୀ ପାର୍ଟି ହଠାତ୍ ଏହା ସପକ୍ଷରେ କହିବା ଆରମ୍ଭ କରିଛି ଓ ସଙ୍କଟରେ ପଡ଼ିଥିବା ଉପା ସରକାରଙ୍କୁ ଆସ୍ଥା ଭୋଟରେ ସମର୍ଥନ କରିବ ବୋଲି ପ୍ରତିଶ୍ରୁତିି ଦେଇଛି । ଏହା ଘଟିଛି ସମାଜବାଦୀ ପାର୍ଟିର କରିତ୍କର୍ମା ସମ୍ପାଦକ ଲମ୍ବୋଦର ଅମର ସିଂହଙ୍କର ଆମେରିକା ଭ୍ରମଣରୁ ଫେରିବା ପରେ । ସ୍ୱାଭାବିକ ଅମର ସିଂହଙ୍କର ଯାହା ଖ୍ୟାତି, ତାକୁ ଆଧାର କରି ଅନେକେ ଅଣୁଚୁକ୍ତି ପୂର୍ବରୁ ଅମର ସିଂହ ଆଉ କିଛି ଚୁକ୍ତି କରିଛନ୍ତି ବୋଲି ସନେ୍ଦହ ପ୍ରକାଶ ପାଉଛି । ବିଡ଼ମ୍ବନା ଯେ ଅଭିନେତା ଓ ଏମ୍.ପି. ରାଜବବର ଯିଏ ଅମରସିଂହଙ୍କୁ ଦଲାଲ ବୋଲି କହି – ସମାଜବାଦୀ ପାର୍ଟିରୁ ଅଲଗା ହୋଇଯାଇଥିଲେ-ସେ ମଧ୍ୟ ଉପା ସରକାରଙ୍କୁ ଆସ୍ଥାଭୋଟରେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଅନେକେ କହୁଛନ୍ତି ସୁଶ୍ରୀ ମାୟାୱତୀ ସମାଜବାଦୀ ପାର୍ଟି ବିରୁଦ୍ଧରେ ଓ ଏହି ଦଳକୁ ସମର୍ଥନ କରୁଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଯେପରି ଯୁଦ୍ଧ ଆରମ୍ଭ କରିଛନ୍ତି – ତାହାକୁ ଅଟକାଇବା ପାଇଁ ଉପା ସରକାରଙ୍କୁ ସମର୍ଥନ କରିବା ପାଇଁ ସମାଜବାଦୀ ପାର୍ଟି ବାଧ୍ୟ ହୋଇଛି । ଅପରପକ୍ଷରେ ସମର୍ଥନ ପାଇଁ ବିକଳ ଉପା ସରକାର ଆଗରେ ସମାଜବାଦୀ ପାର୍ଟି କିଛି ସର୍ତ୍ତ ରଖିଛି । ସମର୍ଥନ ଘୋଷଣା କରିବା ପରେ ପରେ ସମାଜବାଦୀ ପାର୍ଟି ସମର୍ଥକ ଅନୀଲ ଅମ୍ବାନୀଙ୍କର ବିରୋଧୀ ମୁକେଶ ଅମ୍ବାନୀଙ୍କୁ ୧୩୮କୋଟି ଟଙ୍କାର ଏକ ଦାବୀପତ୍ର ସରକାରଙ୍କ ବହିଃଶୁଳ୍କ ବିଭାଗ ପଠାଇବା ବା ସି.ବି.ଆଇ. ମାୟାୱତୀଙ୍କ ବିରୁଦ୍ଧରେ ମକଦ୍ଧମା ଦାୟର କରିବା ପାଇଁ ପ୍ରସ୍ତୁତ ହେବା ସମାଜବାଦୀ ପାର୍ଟିର ସର୍ତ୍ତ ଭିତରେ ରହିବ ବୋଲି ଅନେକେ ସନେ୍ଦହ କରୁଛନ୍ତି ।
ଅମିତାଭ ବଚ୍ଚନ ପରିବାର ବିରୁଦ୍ଧରେ ସୋନିଆ ଗାନ୍ଧି ଲାଗିଛନ୍ତି ବୋଲି ଅମର ସିଂହଙ୍କର ଦୁର୍ବାର ଅଭିଯୋଗ ଯେଉଁମାନେ ଗଣମାଧ୍ୟମରେ ଶୁଣିଛନ୍ତି – ସେମାନେ ବଚ୍ଚନ ପରିବାରକୁ କେନ୍ଦ୍ରକରି ଅମର ସିଂହ ଓ ସୋନିଆ ଗାନ୍ଧି ଭିତରେ କିଛି ଚୁକ୍ତି ହୋଇପାରିଥିବ କି ବୋଲି ପ୍ରଶ୍ନ କରୁଛନ୍ତି ।
ଅମର ସିଂହଙ୍କର ଏତାଦୃଶ ଘୂର୍ଣ୍ଣନ ଦ୍ୱାରା ବଚ୍ଚନ, ଅମ୍ବାନୀଙ୍କର ଯେ ମୁଣ୍ଡ ପ୍ରଥମେ ଘୁରାଇ ଯାଇଥିବ, ଏଥିରେ ସନେ୍ଦହ ନାହିଁ । କିନ୍ତୁ ‘ଜାତୀୟ ସ୍ୱାର୍ଥ’ରେ ଅଣୁଚୁକ୍ତି ପାଇଁ ବିଳମ୍ବିତ ସମର୍ଥନ ଯୋଗାଇ, ଉପା ସରକାରଙ୍କୁ ଆସ୍ଥାଭୋଟରେ ଜିତାଇବା ପାଇଁ ଅଣ୍ଟା ଭିଡ଼ିଥିବା ଅମର ସିଂହ ବଚ୍ଚନ, ଅମ୍ବାନୀ ଓ ସୁବ୍ରତ ‘ସାହାରା’ ରାୟଙ୍କର ସ୍ୱାର୍ଥକୁ ବଳିପକାଉ ନଥିବେ ବୋଲି ବିଶ୍ୱାସ ।
ଭାରତୀୟ ରାଜନୀତିରେ ଅମର ସିଂହ ଦଲାଲୀ କରୁଛନ୍ତି ବୋଲି ଅଭିଯୋଗ କରୁଥିବା ରାଜବବର – ଅଣୁଚୁକ୍ତିକୁ ନେଇ ଅମର ସିଂହଙ୍କର ଭୂମିକାରେ ଆନ୍ତର୍ଜାତିକ ଉତ୍ତରଣ ଦେଖି କ’ଣ ଭାବୁଥିବେ?

Print Friendly, PDF & Email