ଭାରତୀୟ ବିଲିୟନାୟାର୍

  • 03/09/2015

୧୬-୩୦ ଜୁନ୍, ୨୦୦୮

ଗଣମାଧ୍ୟମରେ ଖବର ଯେ, ଭାରତବର୍ଷ କାହିଁକି ପୃଥିବୀର ସବୁଠାରୁ ଧନୀଭାବେ ଆବିର୍ଭୂତ ହୋଇଥିବା ମୁକେଶ ଅମ୍ବାନୀ ବମ୍ବେଠାରେ ପୃଥିବୀର ସବୁଠାରୁ ବ୍ୟୟବହୁଳ ବାସଗୃହ ନିର୍ମାଣ କରୁଛନ୍ତି । ୯୦୦୦ କୋଟି ଟଙ୍କା ବ୍ୟୟରେ ଏହି ୨୭ଟି ମହଲା ବିଶିଷ୍ଟ ବାସଗୃହରେ ପ୍ରତ୍ୟେକ ମହଲାର ଆୟୋଜନ ଭିନ୍ନ । ଅପରପକ୍ଷରେ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ପୃଥିବୀରେ ସବୁଠାରୁ ଅଧିକ ଦରିଦ୍ର ଲୋକ ଭାରତୀୟ । ପୃଥିବୀର କୌଣସି ସ୍ଥାନରେ କୃଷକର ଆତ୍ମହତ୍ୟା ସମ୍ବାଦ ଶୁଣାଯାଏ ନାହିଁ ଯେପରି ଭାରତରେ ଆମେ ଶୁଣୁ । ନିଷ୍କର୍ଷ ବୈଷମ୍ୟ ବଢ଼ୁଛି । ବୈଷମ୍ୟ ଆଖିଦୁରୁଶିଆ ହେଉଛି । ଐଶ୍ୱର୍ଯ୍ୟର ଅଶ୍ଳୀଳ ପ୍ରଦର୍ଶନ ହେଉଛି । ଆୟର ଅପଚୟ ହେଉଛି । ଶହେକୋଟି ଡଲାର ବା ପାଖାପାଖି ୪୫୦୦କୋଟି ଟଙ୍କାର ସମ୍ପତ୍ତର ଯେଉଁ କେତେଜଣ ହାତଗଣତି ଭାରତୀୟ ଅଛନ୍ତି-ସେମାନଙ୍କ ଭିତରେ ମୁକେଶ ଅମ୍ବାନୀ ନିଶ୍ଚିତ ସବା ଆଗରେ । ଏମାନଙ୍କୁ ବିଲିୟନାୟାର୍ ବୋଲି କୁହାଯାଏ । ୨୦୦୪ରେ ଏମାନଙ୍କର ସଂଖ୍ୟା ୯ଥିବାବେଳେ ୨୦୦୭ରେ ଏମାନଙ୍କର ସଂଖ୍ୟା ୪୦ରେ ପହଞ୍ଚôଛି । ସମୃଦ୍ଧ ଜାପାନରେ ଏମାନଙ୍କର ସଂଖ୍ୟା ୨୪, ଫ୍ରାନ୍ସରେ ୧୪, ଇଟାଲୀରେ ୧୪ ଓ ଚୀନ୍ଦେଶରେ ୧୭ । ଭାରତୀୟ ବିଲିୟନାୟାର୍ମାନଙ୍କର ମାତ୍ର ଏକବର୍ଷ ଭିତରେ ୨୦୦୬ରୁ ୨୦୦୭ ମଧ୍ୟରେ ସମୁଦାୟ ସମ୍ପତ୍ତ୧୦,୬୦୦କୋଟିଡଲାର (ପ୍ରାୟଃ ୪୭, ୭୦୦୦କୋଟିଟଙ୍କା)ରୁ ବୃଦ୍ଧିପାଇଛି ୧୭,୦୦୦ କୋଟି ଡଲାରକୁ । ଅର୍ଥାତ ଗୋଟିଏବର୍ଷରେ ବୃଦ୍ଧିର ହାର ଶତକଡ଼ା ୬୦ । କେବଳ ଏତିକି ନୁହେଁ, ଭାରତବର୍ଷର ମୋଟ ଦେଶୀୟ ଉପôାଦନ (Gross Domestic Product)ର ଶତକଡ଼ା ୩୧ଭାଗ ହେଉଛି ଏହି ଭାରତୀୟ ବିଲିୟନାୟାର୍ମାନଙ୍କର । ଅଥଚ ଚୀନ୍ଦେଶରେ ଏହି ଅଂଶ ହେଉଛି ଶତକଡ଼ା ୩, ଆମେରିକାରେ ଶତକଡ଼ା ୧୧ । ସାରା ପୃଥିବୀର ଉପôାଦନକୁ ହିସାବକୁ ନେଲେ ସାରା ପୃଥିବୀର ବିଲିୟନାୟାର୍ମାନଙ୍କର ଏହି ଅଂଶ ଶତକଡ଼ା ୭ । ତେଣୁ ଭାରତୀୟ ବିଲିୟନାୟାର୍ମାନେ ରାଷ୍ଟ୍ରର ନୀତିକୁ ପ୍ରଭାବିତ କରିବାରେ ଅନ୍ୟାନ୍ୟ ରାଷ୍ଟ୍ରର ବିଲିୟନାୟାର୍ମାନଙ୍କଠାରୁ ଯଥେଷ୍ଟ ଅଧିକ ସମର୍ଥ ବୋଲି କୁହାଯାଇପାରେ ।
ବିଲିୟନାୟାର୍ମାନଙ୍କର ସଂଖ୍ୟାରେ ଏତାଦୃଶ ବୃଦ୍ଧି ଭାରତଭୂମିରେ ବିରାଟ ବୈଷମ୍ୟ ସୃଷ୍ଟି କରିଛି । ୩୫ଜଣ ବିଲିୟନାୟାର୍ଙ୍କ ସମ୍ପତ୍ତ ୮୦ କୋଟି ଗରିବ ଭାରତୀୟଙ୍କ ସମ୍ପତ୍ତଠାରୁ ଅଧିକ ବୋଲି ବିଶିଷ୍ଟ ସମାଜତତ୍ତ୍ୱବିତ୍ ଜେମସ୍ ପେଟ୍ରାସ ମତପ୍ରକାଶ କରନ୍ତି । ସବୁ ସମାଜଶାସ୍ତ୍ରୀମାନେ ଚିନ୍ତିତ ବୃଦ୍ଧି ପାଉଥିବା ବୈଷମ୍ୟକୁ ଦେଖି । କାରଣ ବୈଷମ୍ୟରେ ବୃଦ୍ଧି ସାମାଜିକ ସଂହତିର ପରିପନ୍ଥୀ । କିନ୍ତୁ ବୈଷମ୍ୟ କେବଳ ଭାରତରେ ବୃଦ୍ଧି ପାଉନାହିଁ, ସାରାବିଶ୍ୱରେ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ଅଳ୍ପ ବିକଶିତ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ବୈଷମ୍ୟ ବୃଦ୍ଧି ପାଉଛି, ଅବଶ୍ୟ ଭିନ୍ନ ଭିନ୍ନ ହାରରେ । ଏହି ଦୃଶ୍ୟ ସୂଚନା ଦେଉଛି ଯେ, ଗୋଟିଏ ପ୍ରକାର ଅର୍ଥନୈତିକ ବ୍ୟବସ୍ଥା ସାରାବିଶ୍ୱକୁ ଗ୍ରାସ କରିଛି ଯାହାର ସାଂଘାତିକ ପରିଣତି ହେଉଛି କ୍ରମବର୍ଦ୍ଧିଷ୍ଣୁ ବୈଷମ୍ୟ । ଏକପ୍ରକାର ବ୍ୟବସ୍ଥା – ସାରା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଥିବା ଉପର ମଣିଷମାନଙ୍କୁ ନିକଟତର କରିଛି – ଯାହାଫଳରେ ସୃଷ୍ଟିହେଲାଣି, ଯାହାକୁ ସମାଜବିଜ୍ଞାନୀମାନେ କହୁଛନ୍ତି, ଗ୍ଲୋବାଲ୍ ଏଲିଟ୍ସ୍ । ଏହିମାନେ ନିଜ ନିଜ ଦେଶର ନୀତିକୁ ନିଜ ସ୍ୱାର୍ଥକୁ ସୁହାଇଲା ଭଳି କରାଇପାରୁଛନ୍ତି ଓ ବିଶ୍ୱୀକରଣ ବା ଗ୍ଲୋବିକରଣ ପ୍ରକ୍ରିୟାର ସୂତ୍ରଧର ସାଜିଛନ୍ତି, ଏହିମାନଙ୍କର ସଂଖ୍ୟା ଏକ ଆକଳନ ଅନୁସାରେ ମାତ୍ର ୬୦୦୦ଅର୍ଥାତ ପୃଥିବୀର ଲୋକସଂଖ୍ୟାର ୧୦ଲକ୍ଷରୁ ଜଣେ । କହିବା ବାହୁଲ୍ୟ ଯେ, କ୍ଷମତାର କେନ୍ଦ୍ରୀକରଣ ହେଉଛି ମୁଷ୍ଟିମେୟ ଧନୀଙ୍କ ହାତରେ । ଏପରି ଅବସ୍ଥା ଅଥବା ବୈଷମ୍ୟ ମାନବ ଇତିହାସରେ କେବେ ଦେଖାଯାଇନଥିଲା । ୧୦୦ବର୍ଷ ତଳେ ସବୁଠାରୁ ଧନୀ ରାଷ୍ଟ୍ରର ସମ୍ପତ୍ତର ପରିମାଣ ସବୁଠାରୁ ଗରିବ ରାଷ୍ଟ୍ରର ସମ୍ପତ୍ତର ୯ଗୁଣ ଥିଲା-ଆଜି ଏହା ୧୦୦ ଗୁଣରେ ପହଞ୍ଚôଛି । ଆଉ ଦେଶଭିତରେ ରାଷ୍ଟ୍ର କ୍ରମଶଃ ଦୁର୍ବଳ ହୋଇଯାଉଛି ଏହି ଧନୀବର୍ଗର ତୁଳନାରେ-ଏହିମାନଙ୍କ ଦ୍ୱାରା ରାଷ୍ଟ୍ର କବଳିତ ହୋଇପଡ଼ିଛି ।
ସବୁଠାରୁ ବଡ଼ ଗଣତନ୍ତ୍ରର ନାଗରିକ ବୋଲି କହି ଗର୍ବ କରୁଥିବା ଭାରତୀୟମାନେ ଏହି ଦୃଶ୍ୟ ପ୍ରତି ସଚେତ ହେବାର ଏକ ଜରୁରୀ ଆବଶ୍ୟକତା ରହିଛି । ଅଭିବୃଦ୍ଧି, ବିକାଶ ଇତ୍ୟାଦି ମାଦକ ଶବ୍ଦରୁ ନିଜକୁ ଦୂରେଇ ରଖି, ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ନେଇ ଚିନ୍ତା, ଭାବନା କରିବାର ବେଳ ଆସିଛି ।

Print Friendly, PDF & Email