ବଜାର ଅର୍ଥନୀତିରେ ସବୁକିସମର କର୍ମଚାରୀମାନଙ୍କର ଯେତେବେଳେ ଆୟ ବଢ଼ୁଛି-ସେତେବେଳେ ରାଜନୀତିକୁ ବୃତ୍ତଭାବେ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ଆୟ ଯେ ବଢ଼ିବ- ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛିନାହିଁ । ଯେଉଁମାନେ ରାଜନୀତିକୁ ବ୍ରତ ଭାବେ ଗ୍ରହଣ କରନ୍ତି, ଦେଶର ସ୍ୱାର୍ଥକୁ ନିଜର ସ୍ୱାର୍ଥ ବା ଦଳୀୟ ସ୍ୱାର୍ଥଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି- ଏକ ସୁସ୍ଥ ସମାଜର ପରିକଳ୍ପନା କରନ୍ତି- ସେମାନେ ରାଜନୀତିକୁ ଉଚ୍ଚ ହୃଦୟବୃତ୍ତ ବୋଲି ବିଚାର କରନ୍ତି । ସେମାନଙ୍କ ପାଇଁ ରାଜନୀତି ଏକ ଉଚ୍ଚ ଆୟକାରୀ ବୃତ୍ତ-ଏକ ଅପମାନଜନକ ପ୍ରୟୋଗ । କିନ୍ତୁ ବାସ୍ତବତାକୁ କିଏ ବା ଅସ୍ୱୀକାର କରିପାରେ? ଦେଖନ୍ତୁ ଗଣମାଧ୍ୟମରେ ଏକ ସମ୍ବାଦ (Times of India-dt-24-4-2008,ପୃଷ୍ଠା-୮) ଯାହାର ଶିରୋନାମା ହେଉଛି- ‘୪ବର୍ଷରେ କୁମାରସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ୧୩ଗୁଣ ଧନୀ’ । ଏଚ୍.ଡି କୁମାରସ୍ୱାମୀ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ପୁଅ ଓ ନିଜେ କର୍ଣ୍ଣାଟକର ଭୂତପୂର୍ବ ମୁଖ୍ୟମନ୍ତ୍ରୀ । ୪ବର୍ଷ ତଳେ କୁମାରସ୍ୱାମୀଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟଥିଲା ୩କୋଟି ୭୨ ଲକ୍ଷ ଟଙ୍କା । ବର୍ତ୍ତମାନ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୪୯କୋଟି ୭୨ଲକ୍ଷ ଟଙ୍କା । ୨୦୦୪ ମସିହାରେ ପୂର୍ବତନ ବାଙ୍ଗାଲୋର ଉନ୍ନୟନ ମନ୍ତ୍ରୀ କଂଗ୍ରେସ ଦଳର ଭି.ସୋମନ୍ନାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ଥିଲା ୨କୋଟି ୬୧ଲକ୍ଷ ଟଙ୍କା । ୨୦୦୮ ମସିହାରେ ତାଙ୍କର ସମ୍ପତ୍ତର ମୂଲ୍ୟ ୨୧କୋଟି ଟଙ୍କା । ପୂର୍ବତନ କଂଗ୍ରେସ ବିଧାୟକ ଦିନେଶ ଗୁଣ୍ଡୁରାଓ ଯାହାଙ୍କର କୌଣସି ସମ୍ପତ୍ତି ୨୦୦୪ ମସିହାରେ ନଥିଲା, ୨୦୦୮ ମସିହାରେ ତାଙ୍କ ସମ୍ପତ୍ତର ମୂଲ୍ୟ ୨୦ କୋଟିଟଙ୍କା । ସେହିଭଳି ବିଜେପି ଦଳର ଏନ୍. ନାରାୟଣ ସ୍ୱାମୀଙ୍କର ୨୦୦୪ ମସିହାରେ ସମୁଦାୟ ସମ୍ପତ୍ତିର ମୂଲ୍ୟ ଥିଲା ୨୫ଲକ୍ଷ ୩୦ହଜାର ଟଙ୍କା ଥିବା ବେଳେ ୨୦୦୮ ମସିହାରେ ଏହା ୨କୋଟି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧିପାଇଛି । ଏହି ସୂଚନା ମିଳେ ସେମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରୁ ଏହାକୁ ନମୂନାଭାବେ ଗ୍ରହଣକରି-ସାରା ଭାରତବର୍ଷରେ ସାଂସଦ ଓ ବିଧାୟକମାନେ କେଉଁ ପରିମାଣରେ ଧନୀ ହୋଇଛନ୍ତି- ତାହାର ଏକ ଆକଳନ କରାଯାଇ ପାରିଲେ- ରାଜନୀତି ଏକ ଉଚ୍ଚ ଆୟକାରୀ ବୃତ୍ତ ବୋଲି କହିବାର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ।