ନନ୍ଦିଗ୍ରାମରେ ଗୁଳିକାଣ୍ଡ ବୁଦ୍ଧିଜୀବୀ ମହଲରେ ବହୁ ପ୍ରତିକ୍ରିୟା ସୃଷ୍ଟିକରିଛି ବୋଲି ସମ୍ବାଦପତ୍ରର ପୃଷ୍ଠାରୁ ଜଣାପଡ଼େ । କେତେଜଣ ସେମାନଙ୍କର ପଶ୍ଚିମବଙ୍ଗ ସରକାରଠାରୁ ପ୍ରାପ୍ତ ପୁରସ୍କାରକୁ ଫେରାଇ ଦେବାର ଘୋଷଣା କରିଛନ୍ତି । କେତେଜଣ ବିଭିନ୍ନ ସରକାରୀ ସାଂସ୍କୃତିକ,ସାହିତି୍ୟକ ସଙ୍ଗଠନରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଏହା ନିଶ୍ଚିତ ଭାବରେ ଏକ ଶୁଭ ସୂଚନା ଯେ, ବୁଦ୍ଧିଜୀବୀମାନେ ମଧ୍ୟ ଅଛନ୍ତି ଯେଉଁମାନେ ସରକାରୀ ପୃଷ୍ଠପୋଷକତାକୁ, ସରକାରୀ ସମ୍ମାନକୁ, ସାଧାରଣ ଲୋକର ଜୀବନଜୀବିକା ପାଇଁ ସଂଘର୍ଷ ପ୍ରତି ସମ୍ମାନ ଜଣାଇ, ପଦାଘାତ କରିପାରୁଛନ୍ତି । ବୁଦ୍ଧିଜୀବୀ ମାନଙ୍କର ଏତାଦୃଶ ପ୍ରତିକ୍ରିୟାକୁ ଇଂରାଜୀ ଖବରକାଗଜ The statesman ବିଶ୍ୱାସ କରିପାରୁ ନାହିଁ ବୋଲି ତାର ସମ୍ପାଦକୀୟ (୨୮/୩/୦୭)ରୁ ଜଣାପଡ଼ୁଛି । ଏହି ସମ୍ପାଦକୀୟରେ ଆଶଙ୍କା- ଇସ୍ତଫା ଘୋଷଣା କରିଥିବା ବୁଦ୍ଧିଜୀବୀମାନେ କେବେଯେ ସେମାନଙ୍କର ଇସ୍ତଫା ପ୍ରତ୍ୟାହାର କରିନେବେ ଓ ପୁଣି ସରକାରୀ ପୃଷ୍ଠପୋଷକତାକୁ ସେମାନେ ଆପଣେଇ ନେବେ, ଯାହା ଲୋକଙ୍କର ସ୍ମୃତି ଦୁର୍ବଳ ହୋଇଥିବାରୁ – ଇସ୍ତଫା ଦେବା ଓ ଇସ୍ତଫାକୁ ପ୍ରତ୍ୟାହାର କରିନେବା ଘଟଣା ପାଶୋର ହୋଇଯିବ । କିନ୍ତୁ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକଙ୍କର ଉକ୍ତି ଯେ,‘ବାମପନ୍ଥୀ କେହିକେବେ କୃଷକମାନଙ୍କ ଉପରେ ଦମନକୁ ଯଥାର୍ଥ ବୋଲି କହିବ ନାହିଁ’-ଏହାକୁ ଏହି ସମ୍ପାଦକୀୟରେ ଏକ ଉଲ୍ଲେଖନୀୟ ସ୍ୱାଗତଯୋଗ୍ୟ ପ୍ରତିକ୍ରିୟା ବୋଲି କହିବା, ଖବର-କାଗଜଟିର ନିରପେକ୍ଷତା ଦର୍ଶାଉଛି ନିଶ୍ଚିତ । କିନ୍ତୁୁ ଯେଉଁମାନେ ଜାଣନ୍ତି ଯେ, ପ୍ରଭାତ ପଟ୍ଟନାୟକ ଯଦିଓ ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞ, ସି.ପି.ଏମ୍. ଦଳ ସହ ଘନିଷ୍ଠ ସମ୍ପୃକ୍ତି ଯୋଗୁଁ ହିଁ କେରଳରେ କ୍ଷମତାସୀନ ବାମପନ୍ଥୀ ମେଣ୍ଟ ସରକାର ଦ୍ୱାରା ରାଜ୍ୟ ଯୋଜନା ବୋର୍ଡ଼ର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି, ସେମାନେ ହୁଏତ ଆଶା କରୁଥିବେ ଯେ, ନନ୍ଦିଗ୍ରାମ ଘଟଣା ପରେ ପ୍ରଭାତବାବୁ ବିଶେଷତଃ ଉଲ୍ଲିଖିତ ପ୍ରତିକ୍ରିୟା ଦେଇ ସାରିବା ପରେ – କେରଳ ଯୋଜନା ବୋର୍ଡ଼ରୁ ଇସ୍ତଫା ଦେଇଦେବେ । ଭାରତୀୟ ବୁଦ୍ଧିଜୀବୀଙ୍କର ଚରିତ୍ର ଯାହା – ଏହିଭଳି ଆଶା କରିବା – ଟିକିଏ ବେଶି ହୋଇଯାଉ ନାହିଁ କି?