ଭୋଟ ପାଇଁ ଟଙ୍କା (cash for vote)ର ଏକ ପୁରାତନ ସଂସ୍କରଣ

  • 04/09/2015

ଓଡ଼ିଶା ରାଜନୀତିରେ ଦୁର୍ନୀତି ପ୍ରସଙ୍ଗ ସ୍ୱାଧୀନ ଭାରତରେ ପ୍ରଥମ ନିର୍ବାଚନ ସମୟରୁ ହିଁ ଆଲୋଚନାର ବିଷୟ ହୋଇଛି । ଏହାକୁ କେନ୍ଦ୍ରୀୟ ବିଷୟ କରି କ୍ଷମତାରେ ପରିବର୍ତ୍ତନ କରାହେଇଛି- ବହୁ କମିଶନ ବସିଛି-ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ନାଁରେ ମକଦ୍ଧମାମାନ ଦାଏର ହୋଇଛି । ଏବେ ଭାରତୀୟ ରାଜନୀତିରେ ଭୋଟ ପାଇଁ ଟଙ୍କା ଏକ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି-ଦୁର୍ନୀତିର ଏକ ଚରମ ଉଦାହରଣଭାବେ ପେଶ୍ କରାହେଉଛି । ଟଙ୍କା ପାଇଥିବା ସାଂସଦମାନେ ଏହାକୁ ନେଇ ସଂସଦଗୃହରେ ଦେଖାଇବା ଓ ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହେବା- ଦୁର୍ନୀତି ବିରୋଧୀଙ୍କର କାର୍ଯ୍ୟକୁ ବେଶ୍ ସହଜ କରିଦେଇଛି । କିନ୍ତୁ ଯେତେବେଳେ ଗଣମାଧ୍ୟମର ପହୁଞ୍ଚ ସୀମିତ ଥିଲା, ଘଟୁଥିବା ଘଟଣାକୁ ଦେଖିବାର ସୁଯୋଗ ସାଧାରଣ ଲୋକପାଇଁ ନଥିଲା-ସେତେବେଳେ ଅନୁରୂପ ଘଟଣା ଯେ ଘଟୁଥିଲା- ଓ କିପରି ଘଟୁଥିଲା ତାହାର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଆମେ ପାଉ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ର ପୃଷ୍ଠାରୁ (ପୃ.୨୯୯ରୁ ପୃ.୩୦୬) । ୧୯୫୭ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାପରେ ଏହି ଭଳି ଘଟଣା ଘଟିଥିଲା । ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ମାତ୍ର ୫୬ଟି ସ୍ଥାନ ପାଇଥିଲା ଓ ଗଣତନ୍ତ୍ର ପରିଷଦ ପାଇଥିଲା ୫୧ଟି । ପ୍ରଜାସୋସାଲିଷ୍ଟ ଦଳର ଏଗାର, କମୁ୍ୟନିଷ୍ଟ ନଅ, ଲୋହିଆ ସୋସାଲିଷ୍ଟ ଗୋଟିଏ ଓ ଝାଡ଼ଖଣ୍ଡ ଦଳ ପାଞ୍ଚଟି ସ୍ଥାନ ଅଧିକାର କରିଥିଲେ । ସାତଜଣ ସ୍ୱାଧୀନ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ । ସମୁଦାୟ ବିଧାନସଭା ସ୍ଥାନ ୧୪୦ହୋଇଥିବାବେଳେ କଂଗ୍ରେସ ଅଧାଅଧି ସ୍ଥାନ ନପାଇପାରିବା ଡକ୍ଟର ହରେକୃଷ୍ଣ ମହତାବ ଓ ତାଙ୍କର ତିନି ବନ୍ଧୁକଧାରୀ ସିପାହୀ (The Three Musketeers) ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟଙ୍କୁ ବିମର୍ଷ କରିଦେଇଥିଲା । ନୀଳମଣି ବାବୁଙ୍କ ଭାଷାରେ, ‘ବହୁପ୍ରକାର କଳ୍ପନା ଜଳ୍ପନା ଚାଲିଲା । କୌଣସି ଦଳ ଏକକ ସଂଖ୍ୟା ଗରିିଷ୍ଠତା ଲାଭ କରିପାରି ନଥିଲା । କଂଗ୍ରେସ କେବଳ ସର୍ବାଧିକ ସଦସ୍ୟ ଥିବାଦଳ (Single largest Party) ହୋଇଥିଲା । କଂଗ୍ରେସ ଯେ ଖୁବ୍ ବେଶୀସଂଖ୍ୟକ ଥିଲା ତା ନୁହେଁ, କେବଳ ଗଣତନ୍ତ୍ର ପରିଷଦଠାରୁ ମାତ୍ର ପାଞ୍ଚଟି ସ୍ଥାନ ଅଧିକ ପାଇଥିଲା । ସେହିଦଳର ସହଯୋଗ ହାସଲ କରିବାପାଇଁ କଥାବାର୍ତ୍ତା କରିବାକୁ ବିଜୁ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା । XXX ମହତାବବାବୁଙ୍କ ସହ ଆମ୍ଭମାନଙ୍କର ଘନଘନ ପରାମର୍ଶ ହେଉଥାଏ । ବୀରେନ ବାବୁ, ବିଜୁବାବୁ ଓ ମୁଁ ବିଶେଷଭାବରେ ତପôର ଥାଉ । ଏହି ସମୟରେ ଆମ ରାଜ୍ୟର ରାଜ୍ୟପାଳ ଥିଲେ ଭୀମସେନ ସାଚାର । ଏଭଳି ଆଲୋଚନା ଓ ପରାମର୍ଶ ଚାଲିଥିବା ସମୟରେ ମୋର ତାଙ୍କ ସହିତ ଦେଖା ହୋଇଥିଲା । ସେ ମୋତେ କହିଥିଲେ, ‘All is fair in love and war, nothing is foul for you. go ahead’. ବର୍ତ୍ତମାନ ମନେହେଲା ଯେକୌଣସିମତେ ସମର୍ଥକ ସଂଖ୍ୟା ବୃଦ୍ଧି କରି ବିଧାନସଭାରେ ଶକ୍ତି ପରୀକ୍ଷାରେ ଜିଣିବା ସମ୍ବନ୍ଧରେ ରାଜ୍ୟପାଳଙ୍କୁ ସନ୍ତୁଷ୍ଟ କରାଇଲେ ସେ ଡକ୍ଟର ମହତାବଙ୍କୁ ସରକାର ଗଢ଼ିବା ପାଇଁ ଡାକିବେ । ତାହା କରିବାପାଇଁ ଡକ୍ଟର ମହତାବଙ୍କ ଠାରୁ ନିଦେ୍ର୍ଧଶ ମିଳିଲା ଓ ସେ କାର୍ଯ୍ୟରେ ଆମ୍ଭେମାନେ Three Musketeen ଲାଗିଗଲୁ । ଯୋଜନା ପ୍ରସ୍ତୁତ କଲୁ ଯେ କିପରି ଝାଡ଼ଖଣ୍ଡ ଦଳର ଆଦିବାସୀ ସଦସ୍ୟମାନଙ୍କୁ ଅକ୍ତିଆର କରିବୁ ଏବଂ ତା’ସଙ୍ଗେ ସଙ୍ଗେ ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଆଣି କଂଗ୍ରେସରେ ମିଶାଇବୁ ।
ଏହି ଯୋଜନାକୁ କିପରି କାର୍ଯ୍ୟକାରୀ କଲେ ତା’ର ଦୃଷ୍ଟାନ୍ତ ମିଳେ ଯେତେବେଳେ ନୀଳମଣି ବାବୁ ଲେଖନ୍ତି, ‘କେଉଁଝରରେ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣେ ଆଦିବାସୀ ସଭ୍ୟ ସ୍ୱାଧୀନଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ପାଖକୁ ମୋତେ ଯିବାକୁ ହୋଇଥିଲା । କେଉଁଝରଗଡ଼ଠାରୁ ପ୍ରାୟଃ ୫ମାଇଲ ଦୂରରେ ତାଙ୍କ ଗାଁ । ମୁଁ ଯାଇ ତାଙ୍କ ଗାଁରେ ପହଞ୍ଚô ତାଙ୍କୁ ସାଙ୍ଗରେ ଧରି ଆସିଲି । XXXବିଜୁବାବୁ ଓ ବୀରେନ ବାବୁଙ୍କ ସହିତ କଥାବାର୍ତ୍ତା ହେଲା । ନିଜ ନିର୍ବାଚନ ପାଇଁ ସେ ଦଶହଜାର ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କହିଲେ । କିନ୍ତୁ ପ୍ରକୃତରେ ତାଙ୍କର କିଛି ଖର୍ଚ୍ଚ ହୋଇନଥିଲା । ଢଢଢ ତାଙ୍କ କଥା ବୁଝିବାର ଦାୟିତ୍ୱ ବିଜୁପଟ୍ଟନାୟକ ନେଇଥିଲେ । ତାଙ୍କ କଥା ବୁଝାହେଲା ଓ ସେ କଂଗ୍ରେସକୁ ସମର୍ଥନ କରିବେବୋଲି ଜଣାଇଲେ ।’ ଗଣତନ୍ତ୍ର ପରିଷଦର ପ୍ରାର୍ଥୀଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ମିତ୍ରୋଜୟ ସିଂହ ବରିହାଙ୍କୁ କିପରି ଗଣତନ୍ତ୍ର ପରିଷଦରୁ ଆଣି କଂଗ୍ରେସରେ ସାମିଲ କରାଗଲା , ତାହାର ବର୍ଣ୍ଣନାକରି ନୀଳମଣି ବାବୁ କହନ୍ତି, ‘କଟକରେ ସେ (ମିତ୍ରୋଜୟ ସିଂହ ବରିହା)କୌଣସି ଗୋଟିଏ ହୋଟେଲରେ ରହୁଥିଲେ । ତାଙ୍କର କୌଣସି ବନ୍ଧୁଙ୍କ ଜରିଆରେ ତାଙ୍କୁ ବୀରେନବାବୁଙ୍କ ଘରକୁ ଅଣାଯାଇଥିଲା । ବୀରେନବାବୁ  ତାଙ୍କୁ ନେଇ ପ୍ରଜାତନ୍ତ୍ରର ଦୋତାଲା ଘରଉପରେ ରହୁଥିବା ମହତାବ ବାବୁଙ୍କ ରହିବା ସ୍ଥାନରେ ପହଞ୍ଚାଇଥିଲେ । ତାଙ୍କ ସାଙ୍ଗରେ କଥାବାର୍ତ୍ତା ଛିଡ଼ିଗଲା । ଗୋଟିଏ ଗାଡ଼ି କିଣିବା ପାଇଁ ତାଙ୍କୁ ସାହାଯ୍ୟ କରିବାକୁ ଜବାବ୍ ଦିଆଗଲା । କେଉଁଝରର ଖଣି ବ୍ୟବସାୟୀ ମହମ୍ମଦ ସିରାଜଉଦ୍ଧୀନ ସେଠାରେ ଥାଆନ୍ତି । ତାଙ୍କପାଖରୁ କୋଡ଼ିଏ ହଜାର ଟଙ୍କା ନିଆଯାଇ ଶ୍ରୀ ବରିହାଙ୍କୁ ଯେତେବେଳେ ଦିଆଗଲା, ସେ ତାକୁ ଫୋପାଡ଼ି ଦେଇଥିଲେ । ତା’ର କାରଣ ବୁଝିବାରୁ ଜଣାଗଲା ଯେ ଗାଡ଼ିର ଦାମ ତେଇଶହଜାର, ତେଣୁ ସେ ତେଇଶହଜାର ନେବେ । ସିରାଜଉଦ୍ଧୀନ ସେଠାରେ ଉପସ୍ଥିତ ଥିଲେ, କୌଣସି ଅସୁବିଧା ହେଲାନାହିଁ । ସେ ତାଙ୍କ ପ୍ରାପ୍ୟ ପାଇଲେ ଓ କଂଗ୍ରେସରେ ଯୋଗ ଦେଇଥିଲେ ।’
ଝାଡ଼ଖଣ୍ଡ ସଭ୍ୟମାନଙ୍କର ସମର୍ଥନ ହାସଲ ସମ୍ପର୍କରେ ନୀଳମଣିବାବୁ ଲେଖନ୍ତି, ‘କଥାବାର୍ତ୍ତା କରି ଜଣାଗଲା ସେମାନଙ୍କର ସମର୍ଥନ ହାସଲ କରିବାକୁ ହେଲେ ବହୁତ ଦାମ ଦେବାକୁ ପଡ଼ିବ । ସେମାନଙ୍କୁ ସନ୍ତୁଷ୍ଟ କରାଗଲା । ତା’ଛଡ଼ା ଜୟପାଳ ସିଂଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ କିପରି ସନ୍ତୁଷ୍ଟ କରାଯିବ ତା’ର ଦାୟିତ୍ୱ ନେଲେ ବିଜୁବାବୁ । ମହତାବ ବାବୁଙ୍କ ମୁଖ୍ୟମନ୍ତ୍ରୀ ହେବାରେ ବିଜୁ ପଟ୍ଟନାୟକଙ୍କର ଅବଦାନ ତଥା ଅର୍ଥବଳରେ ସଭ୍ୟ ସଂଗ୍ରହର ପାରଦର୍ଶିତା ଥିଲା ବହୁତ ବେଶୀ, ଯାହାଦ୍ୱାରା ମହତାବବାବୁ ସହଜରେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ।’
କଂଗ୍ରେସ ଦଳ ଭିତରକୁ ଅଣାଯାଇଥିବା ବା ଦଳକୁ ସମର୍ଥନ ଜଣାଉଥିବା ଏହିଭଳି ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିରଖିବା ଯେ ବେଳେବେଳେ ଅସମ୍ଭବ ହୋଇପଡ଼େ- ତାହାର ସୂଚନା ଦେଇ ନୀଳମଣିବାବୁ ଲେଖନ୍ତି, ‘ସେମାନଙ୍କ ଭିତରୁ କେତେକଙ୍କର ପ୍ରତିଥର ଘରକୁ ଗଲାବେଳେ ସେମାନଙ୍କର ସ୍ତ୍ରୀଙ୍କ ପାଇଁ ସୁନାଗହଣା ଦରକାର ପଡ଼େ । ତା’ଛଡ଼ା ଜୟପାଳ ସିଂଙ୍କୁ ସନ୍ତୁଷ୍ଟ କରିବା ଆଉ ଗୋଟିଏ ସମସ୍ୟା । ସେ ମଝିରେ ମଝିରେ ଭୁବନେଶ୍ୱର ଚାଲିଆସନ୍ତି । ସେ ଆସିଲା କ୍ଷଣି ମହତାବବାବୁ ଅତି ବ୍ୟସ୍ତ ହୋଇ ‘ବିଜୟ’ଙ୍କୁ ଖୋଜନ୍ତି, ବିଜୁବାବୁ ଯେଉଁଠି ଥାଆନ୍ତୁ ପଛେ ତାଙ୍କୁ ଭୁବନେଶ୍ୱର ଅଣାଯାଏ ଏବଂ ସେ ଜୟପାଳ ସିଂଙ୍କୁ ନେଇ ପୁରୀ ରେଲୱେ ହୋଟେଲରେ ରଖି ଅତିଥିସକ୍ରାର କରି ଅନ୍ୟାନ୍ୟ ଦାବି ପୂରଣ କରନ୍ତି । ଏହା ସେତେବେଳେ ଜଣାଶୁଣା କଥା ଥିଲା ଯେ ଶ୍ରୀ ଜୟପାଳ ସିଂ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜୟପାଳ ସିଂହ ସେତେବେଳେ ଥିଲେ ଝାଡ଼ଖଣ୍ଡ ଦଳର ସର୍ବଭାରତୀୟ ସ୍ତରର ନେତା ।
ସାଢ଼େ ପାଞ୍ଚଦଶକ ପୂର୍ବର ଏହି ସ୍ଥିତିକୁ ଆମେ ବର୍ତ୍ତମାନର ଭୋଟ ପାଇଁ ଟଙ୍କା ବା ଉବଗ୍ଦଷ Cash for vote ଏକ ପୂରାତନ ସଂସ୍କରଣ କହିପାରିବା । ବିଡ଼ମ୍ବନା ଯେ ଏହିଭଳି ‘ଦଳବଳଦ ହଟଚମଟ’ ସମର୍ଥନ ପାଇଁ ପ୍ରଲୋଭନରେ ସମ୍ପୃକ୍ତି, ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଉକ୍ରଳକେଶରୀ ବା କଳିଙ୍ଗ ସମ୍ରାଟ ଭାବେ ସମ୍ବୋଧିତ ପରିଚିତି ପଥରେ ଆଦୌ ଅନ୍ତରାୟ ହୋଇନାହିଁ । ବରଂ ରାଜରାସ୍ତାରେ ସେମାନଙ୍କର ପୂର୍ଣ୍ଣାଙ୍ଗ ଅବୟବର ପ୍ରତିକୃତି ଦର୍ଶାଇ ଦେଉଛି ସର୍ବସାଧାରଣରେ ସେମାନଙ୍କର ଗ୍ରହଣୀୟତା । ଅବଶ୍ୟ ଏହିଭଳି ଯୋଜନାକୁ ପ୍ରଘଟ କରିଥିବା ନୀଳମଣି ରାଉତରାୟଙ୍କର କୌଣସିଠାରେ ପ୍ରତିକୃତି ଉନ୍ମୋଚିତ ହୋଇଥିବା ନଜରରେ ପଡ଼େ ନାହିଁ । ଯଦିଓ ନୀଳମଣି ବାବୁ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ । ତେଣୁ ଦୁର୍ନୀତି ପ୍ରସଙ୍ଗ ଏକ କାଳଜୟୀ ପ୍ରସଙ୍ଗ । ଏହାକୁ ଉତ୍ଥାପନ କରିବାରେ ରହିଛି ଏକ ରୋମାଞ୍ଚକାରୀ ପୁଲକ । ଏହି ପୁଲକର ଦୃଶ୍ୟମାନ ଅଭିବ୍ୟକ୍ତି ପାଇଁ ତ ଟିଭି ଚ୍ୟାନେଲ ଯୋଗାଇ ଦେଇଛି ଅପୂର୍ବ ସୁଯୋଗ ।                    -ଶୁଦ୍ରକ

Print Friendly, PDF & Email