୧-୧୬ ଡିସେମ୍ବର, ୨୦୧୦
ଟାଟାକମ୍ପାନୀର ମୁଖ୍ୟ ରତନ ଟାଟା ଟେଲିକମ ଦୁର୍ନୀତିର କୋଳାହଳ ଭିତରେ ଗଣମାଧ୍ୟମକୁ ଶୁଣାଇଲେ ଯେ ତାଙ୍କର ପ୍ରସ୍ତାବିତ ଏକ ଘରୋଇ ବିମାନ ଚଳାଚଳ ସେବାକୁ କାର୍ଯ୍ୟକାରୀ କରାଇବା ପାଇଁ ଜଣେ ମନ୍ତ୍ରୀଙ୍କୁ ୧୫କୋଟି ଟଙ୍କା ସେ ଦେଇଦିଅନ୍ତୁ ବୋଲି ତାଙ୍କୁ ଜଣେ ତାଙ୍କର ବନ୍ଧୁ ଶିଳ୍ପପତି ପରାମର୍ଶ ଦେଇଥିଲେ-କିଛିବର୍ଷ ପୂର୍ବେ । ଏବେ କାହିଁକି ରତନଟାଟା ସେ ପରାମର୍ଶକୁ ପ୍ରଘଟ କରିଦେଲେ ତାହା ହେଉଛି ତାପôର୍ଯ୍ୟପୂର୍ଣ୍ଣ ବିଶେଷତଃ ଯେତେବେଳେ ଟେଲିକମ୍ ଦୁର୍ନୀତିର ଏକ ହିତାଧିକାରୀ ହେଉଛି ଟାଟା ଟେଲି ସର୍ଭିସେସ । ତେବେ ରତନ ଟାଟାଙ୍କର ଏହି ବୟାନ ସେତେବେଳେ ଇଙ୍ଗିତ କରୁଥିଲା ଭାରତୀୟ କର୍ପୋରେଟମାନଙ୍କର ବିଭିନ୍ନ ଦୁର୍ନୀତିରେ ସାମିଲ ପ୍ରତି, ସେତେବେଳେ ବଜାଜ ଅଟୋର ମୁଖ୍ୟ, ରାଜ୍ୟସଭା ସଦସ୍ୟ ରାହୁଳ ବଜାଜ ସ୍ପଷ୍ଟ କହିଲେ ଯେ ଅନେକ ବଡ଼ ବଡ଼ କର୍ପୋରେଟ ସଂସ୍ଥା ସେମାନଙ୍କର କାର୍ଯ୍ୟ ପାଇଁ ଉକ୍ରୋଚ ଦେଉଛନ୍ତି ।
ଏହାର ଉତ୍ତରରେ ଏକଦା ଯୁବକଂଗ୍ରେସର ସଭାପତି, ବର୍ତ୍ତମାନ ଶିଳ୍ପମନ୍ତ୍ରୀ ଆନନ୍ଦ ଶର୍ମା କହିଲେ ଯଦି ଏହିଭଳି ଦୃଷ୍ଟାନ୍ତ ତାଙ୍କଦୃଷ୍ଟିକୁ ଅଣାଯାଏ , ତା’ହେଲେ ସେ ନିଶ୍ଚିତ ଠିକଣା ପଦକ୍ଷେପ ନେବେ । ଏହି ଦୃଢ଼ୋକ୍ତି କଲାବେଳେ ସେ କହିଲେ, ‘ମୁଁ ସ୍ପଷ୍ଟ କରିଦିଏ ଯେ ଆମ ସରକାରର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯିଏ କି ଜଣେ ସଚ୍ଚୋଟ ଓ ପ୍ରଜ୍ଞାଦୀପ୍ତ ବ୍ୟକ୍ତି । ‘(‘Let me make it clear that this government is led by prime Minister Manmohan Singh, a man of intellect and integrity’- Business Standard, 17th Nov, 2010, P-12)
ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଯେ ଏହି ସଚ୍ଚୋଟ ବ୍ୟକ୍ତିଙ୍କର ଦାୟିତ୍ୱ କାଳରେ ହିଁ ସବୁଠାରୁ ବଡ଼ ଦୁର୍ନୀତିମାନ ହୋଇଛି ଓ ହେଉଛି । ଏହି ସଚ୍ଚୋଟ ବ୍ୟକ୍ତି ଅର୍ଥମନ୍ତ୍ରୀ ଥିବାବେଳେ ହୋଇଥିଲା ପ୍ରାୟ ୬୦୦୦ କୋଟି ଟଙ୍କାର ଫଟ୍କା ବଜାର(Stock Market) ଦୁର୍ନୀତି, ଯାହାର ମୁଖ୍ୟ ନାୟକ ଥିଲେ ହର୍ଷଦ ମେହେଟ୍ଟା । ଆଦ୍ୟ ନବେଦଶକରେ ଏହି ପରିମାଣ ଅର୍ଥ ଏକ ବିରାଟ ପରିମାଣ ହୋଇଥିଲେ ହେଁ- ଅର୍ଥମନ୍ତ୍ରୀଙ୍କର ନିଦ୍ରାକୁ ବ୍ୟାଘାତ କରିବା ପାଇଁ ଯଥେଷ୍ଟ ନଥିଲା । ଏହି ସଚ୍ଚୋଟ ବ୍ୟକ୍ତିଙ୍କ ପ୍ରଧାନମନ୍ତ୍ରୀ କାଳରେ ଦୁର୍ନୀତିର ତାଲିକା ତ ଲମ୍ବି ଲମ୍ବି ଚାଲିଛି । ଦୁର୍ନୀତିର ଋତୁ ସତେଯେପରି ଭାରତରେ ପ୍ରବେଶ କରିଛି । (ଦ୍ରଷ୍ଟବ୍ୟ -A season of corruption by B.G. Verghes, New Indian Express, 26 Nov, 2010) । ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଆଦର୍ଶ ଗୃହଯୋଜନା ଓ ସର୍ବୋପରି ଟେଲିକମ୍ ଦୁର୍ନୀତି ଗଣମାଧ୍ୟମକୁ ଆଚ୍ଛାଦିତ କରିଦେଇଛି । ଦୁର୍ନୀତି ଅଭିଯୋଗରେ ଛନ୍ଦିହୋଇ ପଡ଼ିଥିବା ବ୍ୟକ୍ତି (P.J. Thomas) ଦୁର୍ନୀତି ନିବାରଣ ବିଭାଗର ସର୍ବୋଚ୍ଚ କର୍ତ୍ତାରୂପେ ନିଯୁକ୍ତି ପାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିବା ଆରମ୍ଭ କରିଛି । ଏସବୁ ଦୁର୍ନୀତି କ’ଣ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଜାଣତରେ ହୋଇଚାଲିଛି? ଅନେକେ ଏ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । (ଦ୍ରଷ୍ଟବ୍ୟ- PM’s role in the 1.76 Lakh crore loot by S.Puspavanam, New Indian Express, 22 Nov, 2010) । ଯେଉଁ ଦୃଷ୍ଟାନ୍ତମାନ ପେଶ୍ କରାଯାଉଛି-ସେଥିରୁ ମନେହେଉଛି ଯେ ବୋଧହୁଏ ଦୁର୍ନୀତି ପ୍ରତି ମନମୋହନ ସିଂହ ଉଦାର ମନୋଭାବ ପୋଷଣ କରୁଛନ୍ତି । ଭାରତଭୂଇଁରେ ଉଦାର ଅର୍ଥନୀତିର ପ୍ରବର୍ତ୍ତକ ଭାବେ ପ୍ରକଟିତ ହୋଇଥିବା ମନମୋହନ ସିଂହଙ୍କଠାରେ ଏହିଭଳି ଉଦାରତା ଦେଖାଯିବା ଅସ୍ୱାଭାବିକ ନୁହେଁ । କିନ୍ତୁ ଏତାଦୃଶ ଉଦାରତା ସହ ବ୍ୟକ୍ତିଗତ ସଚ୍ଚୋଟପଣିଆର ସହାବସ୍ଥାନ ଯେ ଭାରତବର୍ଷକୁ ଦୁର୍ନୀତି ପାଇଁ ଏକ ଊର୍ବର ଭୂଇଁରେ ପରିଣତ କରିଦେଇଛି- ଏହା ହୃଦୟଙ୍ଗମ କରି ଯଦି ଆମେ ମନମୋହନ ସିଂହ ସଚ୍ଚୋଟ ବ୍ୟକ୍ତି ଏହା ଘୋଷି ହେବାରୁ କ୍ଷାନ୍ତ ହେଉ-ତା’ହେଲେ ଦୁର୍ନୀତି ପ୍ରତି ଆମର ଦୃଷ୍ଟି ଅଧିକ ତୀକ୍ଷ୍ଣହେବ । ସଚ୍ଚୋଟ ବ୍ୟକ୍ତି ମୁରବୀ, ତେଣୁ ଦୁର୍ନୀତି ସମ୍ଭବ ନୁହେଁ ଏପରି ଧାରଣା ଜନିତ ଆତ୍ମସନ୍ତୁଷ୍ଟି (Complacency) ଆମକୁ ଆବିଷ୍ଟ କରିବ ନାହିଁ । -ଶୁଦ୍ରକ
ଯେତେବେଳେ ଦୁର୍ନୀତିର ଆକାର ହୋଇଛି ଅପ୍ରତ୍ୟାଶିତ ଭାବେ ବିଶାଳ ଓ ଏହା ବିରୋଧରେ ଉଠିଛି ବିରାଟ କୋଳାହଳ, ସେତେବେଳେ ଅଭିଯୋଗକୁ ପ୍ରତିହତ କରିବା ପାଇଁ ଭରସାଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି କୁହାଳିଆ କପିଳ ସିବଳ ।
ସ୍ୱାଧୀନଭାରତରେ ପ୍ରଥମଥର ପାଇଁ ଯେଉଁ ମହାଭିଯୋଗ ପ୍ରସ୍ତାବ ସୁପ୍ରିମକୋର୍ଟର ଜଣେ ମାନ୍ୟବର ବିଚାରପତିଙ୍କ ବିରୋଧରେ ଆଗତ ହୋଇଥିଲା ସେ ହେଉଛନ୍ତି ଭି.ରାମସ୍ୱାମୀ । କପିଳ ସିବଳ ରାମସ୍ୱାମୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ସଂସଦରେ । ମହାଭିଯୋଗ ପ୍ରସ୍ତାବ ସଫଳ ହେଲା ନାହିଁ-ଏହା ଆମେ ସମସ୍ତେ ଜାଣିଛେ ।
ତେଣୁ ଏକ ଅତିନିନ୍ଦିତ ଟେଲିକମ୍ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ତାଙ୍କୁ ଦିଆଯିବା ସଂଯୋଗ ମାତ୍ର ନୁହେଁ । ଏହି ମନ୍ତ୍ରଣାଳୟ ଓ ଏହାର ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ସେ ମୁକାବିଲା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ବିଶ୍ୱାସର ଏହା ଏକ ପ୍ରତିଫଳନ ।
ଦେଖାଯାଉ, ଏହି ମହାଦୁର୍ନୀତି ଅଭିଯୋଗକୁ ମାନବସମ୍ବଳ ବିକାଶ ମନ୍ତ୍ରୀ କପିଳ ସିବଳ କେତେଦୂର ଅକାମୀ କରିଦେଇ ପାରୁଛନ୍ତି ।
-ଶୁଦ୍ରକ